puri-(1)

ବେଳାମାର୍ଗ ଯାଏଁ ମାଡ଼ିଲା ଜୁଆର

10

ପୁରୀ/ବ୍ରହ୍ମଗିରି(ବୁ୍ୟରୋ): ତିତ୍ଲୀ ପ୍ରଭାବରେ ଅଶାନ୍ତ ହୋଇପଡ଼ିଛି ବଙ୍ଗୋପସାଗର । ପୁରୀରେ ସମୁଦ୍ର ପାଣି ବେଳାମାର୍ଗ ଉପରେ ଲହଡ଼ି ଭାଙ୍ଗିଛି । ଜୁଆର ମାଡ଼ି ଆସିଥିବାରୁ ସମୁଦ୍ରକୂଳରେ ଥିବା ଉଠା ଦୋକାନଗୁଡିକ ଭାସିଯାଇଛି । ସେହିପରି ପ୍ରବଳ ଝଡ଼ ତୋଫାନ ଯୋଗୁ ଦିଗବାରେଣୀଠାରୁ ବଳିଆପଣ୍ଡା ପଣ୍ଡା ପର୍ଯ୍ୟନ୍ତ ରାସ୍ତାରେ ବାଲି ମାଡ଼ିଯାଇଛି । ଏ ନେଇ ପର୍ଯ୍ୟଟକମାନେ ଭୟଭୀତ ହୋଇପଡ଼ିଛନ୍ତି । ବହୁ ପର୍ଯ୍ୟଟକ ପୁରୀ ଛାଡ଼ିବା ପାଇଁ ଯୋଜନା କରିଥିବା ବେଳେ ପ୍ରବଳ ବର୍ଷା ହେତୁ ବାହାରକୁ ବାହାରି ପାରିନାହାନ୍ତି । ସେହିପରି ହୋଟେଲ ମାଲିକମାନଙ୍କୁ ମଧ୍ୟ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ଦେବା ପାଇଁ ପ୍ରଶାସନ ତରଫରୁ ସତର୍କ କରାଇଛି ।
ସମୁଦ୍ର ଅଶାନ୍ତ ହେବାରୁ ଚିଲିକା ଅରଖକୁଦାରେ ନୁଆ ମୁହାଣ ଖୋଲିଥିବା ଜଣାଯାଇଛି । ସମୁଦ୍ର ଜୁଆର ଖୁବ୍ ଜୋରରେ ମାଡ଼ି ଆସିବାରୁ ୧୫ଟି ଗାଁ ଏବେ ଜଳବନ୍ଦୀ ହୋଇଛନ୍ତି । ଜଳବନ୍ଦୀ ହୋଇଥିବା ଏହି ଗାଁ ଗୁଡିକ ମଧ୍ୟରେ ଅରଖକୁଦା ସମେତ ହରଚଣ୍ଡି ସାହି, ଲକ୍ଷ୍ମୀ ନାରାୟଣ ସାହି, ଶିବବନ୍ତ, ଗବକୁଣ୍ଡ, ସାନ ପାଟଣା, ମିର୍ଜାପୁର ପ୍ରମୁଖ ରହିଛନ୍ତି । ଗାଁ ଗୁଡିକରେ ୫ ଫୁଟ୍ରୁ ଅଧିକ ଉଚ୍ଚତାରେ ପାଣି ରହିଛି । ଲୋକଙ୍କ ଘରେ ଜୁଆର ଲହଡ଼ି ଭାଙ୍ଗୁଛି । ଫଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଘର ଭିତରେ ପାଣି ପଶି ଯିବାରୁ ସମସ୍ତ ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଇଛି । ବହୁ ମାଟି ଘର ବତୁରିଯାଇ ଭୁଶୁଡିବା ଭଳି ପରିସ୍ଥିତି ମଧ୍ୟ ଦେଖାଦେଲାଣି । ତେଣୁ ଲୋକଙ୍କ ଧନ ଜୀବନ ଏବେ ବିପଦମୁଖୀ ହୋଇପଡିଛି । ପ୍ରଶାସନ ତରଫରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଅନୁସାରେ କୌଣସି ପରିସ୍ଥିତିରେ କାଜୁଆଲଟିକୁ ପ୍ରଶ୍ରୟ ଦିଆଯିବ ନାହିଁ । ତହସିଲଦାର ଓ ବିଡିଓଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । ସେମାନେ ପ୍ରତି ମୁହୂର୍ତ୍ତରେ ରିପୋର୍ଟ ଦେଉଛନ୍ତି । ଲୋକମାନଙ୍କୁ ରନ୍ଧା ଖାଦ୍ୟ ସହ ଚୂଡ଼ା, ଗୁଡ, ଶିଶୁ ଖାଦ୍ୟ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଗୃହପାଳିତ ପଶୁଙ୍କ ପାଇଁ ପଶୁ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି । ଲୋକଙ୍କୁ ଛାନିଆ ନ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।




Powered by odothemes.com