3----------dharakote-block-ra-bibhina-grama-re-banya-jala-(4)00

ବ୍ୟାପକ କ୍ଷୟକ୍ଷତି, ଯୋଗାଯୋଗ ବିଚ୍ଛିନ୍ନ

43

ଧରାକୋଟ (ଆପ୍ର): ଘୂର୍ଣ୍ଣିଝଡ଼ ତିତ୍ଲୀର ପ୍ରଭାବରେ ଧରାକୋଟ ବ୍ଲକ୍ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମଧ୍ୟରାତି୍ରରୁ ଲଗାଣ ବର୍ଷା ଲାଗି ରହିଥିବାବେଳେ ପବନର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଯାହା ଫଳରେ ଧରାକୋଟ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଋଷିକୂଲ୍ୟା ନଦୀରେ ଆସିଥିବା ବନ୍ୟା ପାଣି ଯୋଗୁଁ ଏହାର ଶାଖା ନଦୀ ଆଗୁଳ ନାଳର ଜଳ ନିଷ୍କାସନ ହୋଇନପାରିବାରୁ ଜାତୀୟ ରାଜପଥ ୫୯ର ଜାନିବିଲି-ଦଶମାଇଲି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେହିପରି ବେଠୁଆର ଗ୍ରାମଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହ ଶହ ଶହ ଏକର ଚାଷ ଜମିରେ ବନ୍ୟାପାଣି ମାଡ଼ିଯାଇଛି । ଋଷିକୂଲ୍ୟା ନଦୀ ତଟ ଦେଶରେ ରହିଥିବା ଭରତପଲ୍ଲୀ, ବରଡ଼ାବାଲି, କୁଶପଡ଼ା, ଜାନବିଲି, ଗଡ଼ଦାମୋଦରପଲ୍ଲୀ, ଜାହାଡ଼ା, ମୁକ୍ତାପୁଞ୍ଜି, ସିଙ୍ଗିପୁର, ଜଗମୋହନ, ମୁଣ୍ଡମରାଇ, ସିନ୍ଦୂରାପଲ୍ଲୀ, ସୁନାପଲ୍ଲୀ, ଲକ୍ଷ୍ମୀପୁର, ପଙ୍କଳବାଡ଼ି ଓ ରେଡ୍ଡି ଦାମୋଦରପଲ୍ଲୀ ଗ୍ରାମଗୁଡ଼ିକର ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ବ୍ଲକ୍ର ଝାରପଲ୍ଲୀ, ଝାଡ଼ବନ୍ଧ ପଞ୍ଚାୟତ ସମେତ ମାଣିକପୁର, ବାହାଡପୁର, ଓଳମ୍ବ, ବାଖରକଟା ପ୍ରଭୃତି ଗ୍ରାମରେ ବନ୍ୟାଜଳ ପଶି ଯାଇଥିବାବେଳେ ଜାହାଡ଼ା ନିକଟରେ ବଡ଼ନଦୀ ଭାଙ୍ଗିଯାଇ ଜାହାଡା ନଦୀରେ ପାଣି ପଶିଯାଇଛି । ବ୍ଲକ୍ ପ୍ରଶାସନ ପକ୍ଷରୁ ଝରପାରି, ମାଣିକପୁର ଏବଂ ଧରାକୋଟରେ ୪ଟି ବାତ୍ୟା ଆଶ୍ରୟସ୍ଥଳ ଖୋଲାଯାଇଥିବାବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନ୍ୟ ୧୧ଟି ନୋଡାଲ୍ କେନ୍ଦ୍ର ଖୋଲାଯାଇଛି । ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବନେ୍ଦାବସ୍ତ କରାଯାଇଛି । ଚକଡ଼ା ପୋକରେ କ୍ଷତି ହୋଇଥିବା ଚାଷୀଙ୍କ ଆଖିରେ ଲୁହ ଶୁଖିନଥିବାବେଳେ ତିତ୍ଲୀ ପ୍ରଭାବରେ ଚାଷୀର ଚାଷ ଜମି ଜଳମଗ୍ନ ହୋଇଥିବାରୁ ଚାଷୀପାଇଁ ଏକ ବିରାଟ କ୍ଷତି ଘଟିଛି । ଧରାକୋଟ ବିଡିଓ ରବି ନାରାୟଣ ତ୍ରିପାଠୀ, ତହସିଲଦାର ଗଦାଧର ପାତ୍ର, ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ, ଚିକିତ୍ସା ଅଧିକାରୀ ଏମ୍. ଆର୍. କେ. ଆଲୋକ, ବ୍ଲକ୍ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ପଣ୍ଡା, ପଶୁ ଚିକିତ୍ସକ ମାନସ ରଞ୍ଜନ ପଲାଇ, ବିଦୁ୍ୟତ୍ ବିଭାଗର ଯନ୍ତ୍ରୀ ସୁଶାନ୍ତ କୁମାର ନାୟକ ଏବଂ ଦମକଳ ବାହିନୀ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ଦୁଇଦିନ ବିଦୁ୍ୟତ୍ ନଥିବାବେଳେ ବର୍ଷାର ପରିମାଣ ବୃଦ୍ଧି ପାଉଥିବାବେଳେ ଅନ୍ୟାନ୍ୟ ଗ୍ରାମରେ ଜଳ ପଶିବାର ଆଶଙ୍କା କରାଯାଉଛି ।

ସେଆର କରନ୍ତୁ:



Powered by odothemes.com