2-------aska-banya-(2)00

ବାତ୍ୟା ଆଶଙ୍କା ଟଳିଲା, ଏବେ ବନ୍ୟା ଭୟ

20

ଆସିକା (ଆପ୍ର) : ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ‘ତିତ୍ଲି’ ବାତ୍ୟା ପାଇଁ ଭୟଭୀତ ହୋଇପଡ଼ିଥିବା ଆସିକା ଅଞ୍ଚଳବାସୀ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରିଛନ୍ତି । ମାତ୍ର ବନ୍ୟା ଆତଙ୍କ ଥିବାରୁ ସେମାନେ ଏବେ ବି ବିପଦମୁକ୍ତ ନୁହଁନ୍ତି ।
ସାମୁଦ୍ରିକ ଝଡ଼ ‘ତିତ୍ଲି’ ଟଳିଯାଇଥିଲା ବେଳେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଆସିକା ସହରର ଦୁଇ ପାଶ୍ୱର୍ରେ ପ୍ରବାହିତ ହେଉଥିବା ଋଷିକୂଲ୍ୟା ଓ ବଡ଼ନଦୀରେ ବନ୍ୟାଜଳ ପ୍ରବେଶ କରିଛି । ଋଷିକୂଲ୍ୟା ଓ ବଡନଦୀରେ ବନ୍ୟାଜଳ କୂଳ ଲଙ୍ଘି ବିଭିନ୍ନ ଗ୍ରାମକୁ ପ୍ରବେଶ କରୁଥିବା ଯୋଗୁଁ ନଦୀତଟବର୍ତ୍ତୀ ଅଞ୍ଚଳର ଗ୍ରାମବାସୀ ଏକ ପ୍ରକାର ଭୟ ଓ ଆତଙ୍କରେ କାଳାତିପାତ କରୁଛନ୍ତି । ଗୁରୁବାର ଦିନତମାମ ପ୍ରବଳରୁ ଅତି ପ୍ରବଳ ପବନ ବହିବା ସାଙ୍ଗକୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଅତୀତର ପ୍ରଳୟଙ୍କରୀ ମହାବାତ୍ୟା ଫାଇଲିନ୍ ଓ ହୁଡ୍ହୁଡ୍ ଯେପରି ଆସିକା ସହର ଏବଂ ଏହାର ଆଖପାଖ ଅଞ୍ଚଳର ପ୍ରଭୃତ କ୍ଷତି ଘଟାଇଥିଲା । ବର୍ତ୍ତମାନ ‘ତିତ୍ଲି’ ମଧ୍ୟ ସେପରି କ୍ଷୟକ୍ଷତି ଘଟାଇବାର ସମ୍ଭାବନା ଥିବାରୁ ସାଧାରଣରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିବା ଯୋଗୁଁ ଋଷିକୂଲ୍ୟା ଓ ବଡ଼ନଦୀର ଜଳପତନ ବୃଦ୍ଧି ପାଇ ଚାଲିଛି । କାଳଷଣ୍ଢପୁରଠାରୁ ଦାମୋଦରପଲ୍ଲୀ ଗ୍ରାମ ଛକକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ପରିସ୍ଥିତିର ମୁକାବିଲା ଲାଗି ସ୍ଥାନୀୟ ବିଧାୟକ ଦେବରାଜ ମହାନ୍ତି ବିଭିନ୍ନ ବିଭାଗର ପଦାଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ପ୍ରଶାସନିକ ଅଧିକାରୀମାନେ ମଧ୍ୟ ବିଭିନ୍ନ ଅଞ୍ଚଳ ଗସ୍ତ କରି ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଓ ବାତ୍ୟା ଆଶ୍ରୟ ସ୍ଥଳ ସମେତ ବିଭିନ୍ନ ନିରାପଦ ସ୍ଥାନରେ ଆଶ୍ରୟ ନେଉଥିବା ଲୋକଙ୍କ ଅଭାବ ଅସୁବିଧା ବୁଝୁଛନ୍ତି । ସାଂସଦଙ୍କ ଆସିକା ଏନ୍ଏସି ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି ତଥା ବରିଷ୍ଠ ବିଜେଡି ନେତା ସୂର୍ଯ୍ୟକାନ୍ତ ପରିଡ଼ା, ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ଟୁଟୁ ମଲ୍ଲିକ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ବ୍ଳକ ଯୁବ ବିଜେଡି ସଭାପତି ଅନୀଲ କୁମାର ନାୟକ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ବି. ମନୋଜ କୁମାର ଦୋରା, ଦକ୍ଷିଣାଞ୍ଚଳ ଜୋନ୍ ସଂପାଦକ ସୁରେଶ ଡାକୁଆ, ଆସିକା ନଗର ସଭାପତି ନିଗମାନନ୍ଦ ରାଉତ, ଛାତ୍ରନେତା ଜିତେନ୍ଦ୍ର ମହାରଣା, ଜିଲ୍ଲା ସଂପାଦକ ସୁକାନ୍ତ ସାହୁ, ଶଙ୍କର ପାଳ, ଛାତ୍ରନେତା ବନମାଳୀ ସାହୁ, ସୁବ୍ରତ କୁମାର ପାତ୍ର, କାହ୍ନୁ ଚରଣ ଦଳାଇ, ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅନୀଲ କୁମାର ପରିଡ଼ା, ଛାତ୍ରନେତା ଜଗନ୍ନାଥ ଜେନା, କାହ୍ନା ନାୟକ, ହୃଷିକେଶ ପରିଡ଼ା, ଶ୍ରୀକାନ୍ତ କୁମାର ସ୍ୱାଇଁ, ବବୁଲୁ ମହାପାତ୍ର, ଆଲୋକ କୁମାର ରାଉତ, ସୁନୀଲ କୁମାର ପରିଡ଼ା, ରାଜେଶ ମହାନ୍ତି, ମଧୁସୂଦନ ସ୍ୱାଇଁ, ଆସିକା ଏନ୍ଏସି-ଏ ଯୁବ ବାହିନୀର ସଭାପତି ସୁନୀଲ କୁମାର ସ୍ୱାଇଁ, ଗଙ୍ଗାପୁର ପଞ୍ଚାୟତର ସମିତି ସଭ୍ୟା ଅନିମା ପରିଡ଼ା ଦିନ ତମାମ ବିଭିନ୍ନ ଅଞ୍ଚଳକୁ ନିଜ ନିଜ ସମର୍ଥକଙ୍କ ସହ ପୃଥକ୍ ପୃଥକ୍ ଭାବେ ଗସ୍ତ କରି ବନ୍ୟା ପ୍ରପୀଡ଼ିତଙ୍କ ସହ ଆଲୋଚନା ସାଙ୍ଗକୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତିି । ତିତ୍ଲି ପ୍ରଭାବରେ ଆସିକା ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦୁ୍ୟତ୍ ସରବରାହ ବିଚ୍ଛିନ୍ନ ହୋଇପଡ଼ିଥିଲା । ଦୋକାନ ବଜାର ସାଙ୍ଗକୁ ଯାନବାହାନ ଚଳାଚଳ ବନ୍ଦ ରହିଛି । ଏପରିକି ରାସ୍ତା ଘାଟ ମଧ୍ୟ ଶୁନ୍ଶାନ ହୋଇଯାଇଛି । ବାତ୍ୟା ‘ତିତ୍ଲି’ର ଭୟାବହତାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ଆସିକା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ, ଥାନା ଅଧିକାରୀ ସନ୍ତୋଷ କୁମାର ଜେନା, ତହସିଲଦାର ସୁବାସ ଚନ୍ଦ୍ର ସେଠିଆ, ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସୁରେଶ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ବିଭାଗର ପଦାଧିକାରୀମାନେ ଦିନରାତି ଏକାକାର କରିନେଇଛନ୍ତି । ଜନକଲ୍ୟାଣକାରୀ ପଦକ୍ଷେପକୁ ଗଙ୍ଗାପୁର ପଞ୍ଚାୟତ ସମିତି ସଭ୍ୟା ଅନିମା ପରିଡ଼ା ସ୍ୱାଗତ ସହ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆସିକା ବ୍ଳକ ମୁନିଗାଡି ପଞ୍ଚାୟତର ଗୋଗେଇ ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏକ ପ୍ରକାର ଅଜଣା ଭୟରେ ଦିନ କାଟୁଛନ୍ତି । ଆସିକା ଏନ୍ଏସି ଅଧିନସ୍ଥ ଲାଲଗୋର୍ଜୀ ଛକ, ଗୋଲାସାହି, କଳିଙ୍ଗ ରୋଡ୍ ସମେତ ଅଧିକାଂଶ ନଦୀ ତଟବର୍ତ୍ତୀ ତଳିଆ ଅଞ୍ଚଳରେ ବର୍ଷାଜଳ ପ୍ରବେଶ କରି ସାହିବସ୍ତିରେ ବନ୍ୟାପାଣି ଲଉଡ଼ି ମାରୁଛି । ଧରାକୋଟ ବ୍ଳକ ଗୋଲ୍ଲା ଦାମୋଦରପଲ୍ଲୀ ପଞ୍ଚାୟତର ରେଡ୍ଡି ଦାମୋଦରପଲ୍ଲୀ ଗ୍ରାମରେ ଋଷିକୂଲ୍ୟା ନଦୀରୁ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି । ସେହିଭଳି ଆସିକା ବ୍ଳକ ବାବନପୁର ପଞ୍ଚାୟତର ବାବନପୁର ଗ୍ରାମ ଓ ଭେଟନଈ ପଞ୍ଚାୟତର ଭେଟନଈ ସମେତ ଆଖପାଖ ଅଞ୍ଚଳର ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଥିବା ଯୋଗୁଁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ବନ୍ୟା ଆଶଙ୍କାରେ ଆସିକା ଏନ୍ଏସି ଓ ବ୍ଳକ ପରିସରଭୁକ୍ତ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଉଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ମାଗଣାରେ ରନ୍ଧା ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଭୟଭୀତ ନହେବାକୁ ନିବେଦନ କରାଯାଇଛି । ରାଙ୍କୁଡା-ରାମଣାପଲ୍ଲୀ ରାସ୍ତା ଉପରେ ଗଛ ପଡ଼ିଥିବା ଯୋଗୁଁ ନୂଆପଲ୍ଲୀ, ରାଙ୍କୁଡା, ବେଣାପାଟ ଓ କେଶପୁର ମଧ୍ୟରେ ଗମନାଗମନ ବାଧାପ୍ରାପ୍ତ ହୋଇଛି ।




Powered by odothemes.com