Photo

ଲଗାଣ ବର୍ଷାରେ ପରିବା ଚାଷ ନଷ୍ଟ

57

ଜାରକା(ଆପ୍ର): ସାମୁଦ୍ରିକ ଝଡ ତିତଲିର ପ୍ରଭାବରେ ଧର୍ମଶାଳା ବ୍ଲକ ଅଞ୍ଚଳରେ ୨ଦିନ ବ୍ୟାପି ଲଗାଣ ବର୍ଷା ଯୋଗୁ ବ୍ୟାପକ ପନିପରିବା ଚାଷ ନଷ୍ଟ ହୋଇଛି । ବିଶେଷ କରି କୋବି ଚାଷ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଚାଷୀମାନଙ୍କୁ ଚିନ୍ତାରେ ପକାଇଛି । ବୁଧବାର ତିତ୍ଲି ବାତ୍ୟା ଯୋଗୁ ଧର୍ମଶାଳା ବ୍ଳକରେ ୧୧୧ମିଲିମିଟର ବର୍ଷା ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି । ଏହି ବର୍ଷା ଦ୍ୱାରା ଧର୍ମଶାଳା ବ୍ଲକର ଇମାମନଗର, ରଘୁନାଥପୁର ଶାସନ, କୁସ୍ତିରା, ବାଉଁଶଅଣ୍ଟା, ଏରସଣ୍ଢା, କୁସୁନୁପୁର, ଜେନାପୁର, ମିର୍ଜାପୁର, ପାଟପୁର, କୋତପୁର, ଉତ୍ତରପ୍ରତାପ, ଦେଓଦା, ସ୍ୱାଇଁ ସାହି, ଅରାବଳ ପ୍ରଭୁତି ଗ୍ରାମମାନଙ୍କରେ ବିଶେଷ ଭାବରେ ପ୍ରଭାବିତ ହୋଇଛି ବୋଲି ପ୍ରମୁଖ ଚାଷୀ ନେତ୍ରାନନ୍ଦ ଦାସ ଅଭିଯୋଗ କରିଛନ୍ତି । ତିତଲି ପ୍ରଭାବରେ ଲାଗି ରହିଥିବା ବର୍ଷା ଜଳ ଏବେ କୋବି କିଆରିରେ ଲହଡି ଭାଙ୍ଗୁଛି । ପ୍ରାୟ ୩୦୦ହେକ୍ଟର ଚାଷ ଜମିରେ ବର୍ଷା ପାଣି ଜମି ରହିଛି । ଚାଷୀ ବହୁ ଶ୍ରମ ଓ ଅର୍ଥ ବ୍ୟୟ କରି ଚାଷ କରିଥଲା ବେଳେ ଅନେକ ଚାଷୀ ଋଣ ମଧ୍ୟ କରିଥିଲେ । ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ଚାଷୀ ଏବେ ଚାଷର କିପରି ଭରଣା କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ତେବେ ସରକାରୀ ସହାୟତା ମିଳିଲେ ପୁଣି ଅଣ୍ଟା ସଳଖି ଠିଆ ହୋଇ ପାରିବେ ବୋଲି କୃଷକ ନେତା ବସନ୍ତ ପରିଡା କହିଛନ୍ତି । ଏନେଇ ଧର୍ମଶାଳା ସହକାରୀ କୃଷିଅଧିକାରୀ ପଲ୍ଲବି ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ, ବୁଧବାର ପ୍ରବଳ ବର୍ଷା ଯୋଗୁ ବ୍ୟାପକ ଅଞ୍ଚଳରେ ପନିପରିବା ଚାଷ ନଷ୍ଟ ହୋଇଥିବା ବେଳେ ଗୁରୁବାର ମଧ୍ୟ ବର୍ଷା ଲାଗିରହିଥିବାରୁ କ୍ଷୟକ୍ଷତି ଆକଳନ କରାଯାଇ ପାରିନାହିଁ ।

ସେଆର କରନ୍ତୁ:



Powered by odothemes.com