ଓଡ଼ିଶାର କାମ୍ପା ଭାଗ ୩୯ଠଠ କୋଟି ଟଙ୍କା ଦିଅ

29

ଭୁବନେଶ୍ୱର, ୨୪ା୬(ତଥ୍ୟ): ବନୀକରଣ ସହିତ ପରିବେଶ ବିକାଶ ପାଇଁ ‘କମ୍ପେନ୍‍ସେଟୋରୀ ଆଫୋରେଷ୍ଟେସନ୍‍ ଫଣ୍ଡ୍‍’ (କାମ୍ପା) ଜମା ଥିବା ଅର୍ଥରୁ ତୁରନ୍ତ ଓଡ଼ିଶାକୁ ୩୯୦୦ କୋଟି ଟଙ୍କା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବି କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ ମନେପକାଇ ଦେଇଛନ୍ତି ଯେ ୨୦୦୨ ନଭେମ୍ବର ୨୯ ତାରିଖରେ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଧେଶ ଅନୁଯାୟୀ କେନ୍ଦ୍ର ସରକାର କାମ୍ପା ପାଣ୍ଠି ଗଠନ କରିଥିଲେ । ଖଣି, ଶିଳ୍ପ ଆଦି ପାଇଁ ଉଜୁଡ଼ୁଥିବା ଜଙ୍ଗଲ ଓ ପରିବେଶକୁ ସୁଧାରିବା ପାଇଁ ଏହି ପାଣ୍ଠି ସୃଷ୍ଟି ହୋଇଛି । ୨୦୦୪ ମସିହାରୁ ରାଜ୍ୟ ସରକାର ଏହି ପାଣ୍ଠିରେ ଅର୍ଥ ଜମାକରି ଆସୁଛନ୍ତି । ଗତ ଡିସେମ୍ବର ଶେଷ ସୁଦ୍ଧା ଓଡ଼ିଶା ସରକାର କାମ୍ପା ପାଣ୍ଠିରେ ୪୮୦୩ କୋଟି ୭୩ ଲକ୍ଷ ଟଙ୍କା ଜମା କରିସାରିଛନ୍ତି । ଏହି ଜମା ଉପରେ ଥିବା ସୁଧକୁ ହିସାବକୁ ନେଲେ ଏହି ପାଣ୍ଠିର ପରିମାଣ ଢେର୍‍ ଅଧିକ ହେବ । ତେବେ ଗତ ମଇ ମାସ ସୁଦ୍ଧା କାମ୍ପା ପାଣ୍ଠିରୁ କେନ୍ଦ୍ର ସରକାର ମାତ୍ର ୧୦୬୮ କୋଟି ୧୫ ଲକ୍ଷ ଟଙ୍କା ଓଡ଼ିଶାକୁ ୬ ବର୍ଷ ପାଇଁ ଦେଇଛନ୍ତି । ସୁଧ ବାଦ୍‍ କାମ୍ପା ପାଣ୍ଠିରେ ଓଡ଼ିଶାର ୩୯୩୪ କୋଟି ୭୩ ଲକ୍ଷ ଟଙ୍କା ପଡ଼ିରହିଛି । ଅଥଚ ରାଜ୍ୟ ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏହି ଅର୍ଥ ଓଡ଼ିଶାକୁ ଦେଉନାହିଁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କାମ୍ପାରୁ ଓଡ଼ିଶାକୁ ତୁରନ୍ତ ୩୯୦୦ କୋଟି ଟଙ୍କା ମିଳିଲେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଆଦି କ୍ଷେତ୍ରରେ ରାଜ୍ୟ ସରକାର ଦୀର୍ଘମିଆଦୀ ଯୋଜନା କରିପାରନ୍ତେ । ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଶୁଣୁନଥିବାରୁ ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ ସିଧାସଳଖ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ଖଣି ଖନନ କାର୍ଯ୍ୟରେ ନିୟୋଜିତ ସଂସ୍ଥାମାନେ ପରିବେଶଜନିତ କ୍ଷତିକୁ ସୁଧାରିବା ପାଇଁ ନିର୍ଦ୍ଧାରିତ ନୀତି ଅନୁଯାୟୀ ଯେଉଁ ଅର୍ଥ ଦେଇଛନ୍ତି ତାହା କାମ୍ପା ପାଣ୍ଠିରେ ଜମା କରାଯାଇଛି । ଇତିମଧ୍ୟରେ ରାଜ୍ୟ ସରକାର ଓଡ଼ିଶା ମିନେରାଲ ବିଅରିଙ୍ଗ୍‍ ଡେଭଲପ୍‍ମେଣ୍ଟ କର୍ପୋରେସନ୍‍ ନାମରେ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ କରିଛନ୍ତି ଯାହା ଖଣି ଖାଦାନ ଅଞ୍ଚଳରେ ବୃକ୍ଷରୋପଣ ସହିତ ପରିବେଶ ଉନ୍ନୟନ ଏବଂ ବିକାଶ କ୍ଷେତ୍ରରେ କାମ କରିବ । କାମ୍ପାରୁ ଓଡ଼ିଶାକୁ ମିଳିବାକୁ ଥିବା ଅର୍ଥ ବର୍ଷ ବର୍ଷ ଧରି ଆସୁନଥିବାରୁ ସମସ୍ୟା ଉପୁଜୁଛି ବୋଲି ନବୀନ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ କାମ୍ପାରେ ଓଡ଼ିଶା ଜମା କରିଥିବା ଅର୍ଥ ମଧ୍ୟରୁ ୩୯୩୪ କୋଟି ୭୩ ଲକ୍ଷ ଟଙ୍କା ପଡ଼ି ରହିଥିବା ବେଳେ ଏଥିରୁ ଓଡ଼ିଶାକୁ ୩୯୦୦ କୋଟି ଟଙ୍କା ଦିଆଯିବାରେ କିଛି ଅସୁବିଧା ନାହିଁ । ମୌସୁମୀ ଆସିଯାଇଥିବାରୁ ତୁରନ୍ତ ଓଡ଼ିଶାକୁ ତାହାର କାମ୍ପା ବାବଦ ହକ୍‍ କିଭଳି ମିଳିପାରିବ ସେ ଦିଗରେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com