ଶାସ୍ତି ଦୃଷ୍ଟାନ୍ତମୂଳକ ହେଉ

35

ଭୁବନେଶ୍ୱର,୨୪ା୬(ବୁ୍ୟରୋ): ବ୍ରହ୍ମ ସଂସ୍ଥାପନ ବିଭ୍ରାଟ ପାଇଁ ଦାୟୀ ସେବାୟତଙ୍କୁ କଠୋର ଦଣ୍ଡ ପ୍ରଦାନ କରାଯାଉ । ଫଳରେ ଭବିଷ୍ୟତରେ ମହାପ୍ରଭୁଙ୍କ ରୀତିନୀତି, ସେବା ଓ ପୂଜାରେ ଆଉ କେହି ବିଭ୍ରାଟ ଓ ପରମ୍ପରାର ଉଲ୍ଲଘଂନ କରିବାକୁ ସାହାସ କରିବୋ ନାହିଁ ବୋଲି ଶ୍ରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି । ଏହାଛଡ଼ା ଶ୍ରୀମନ୍ଦିରକୁ ମୋବାଇଲ୍ ନେବା ଏକ ଅପରାଧ ବୋଲି ଗଜପତି ମହାରାଜ ବର୍ଣ୍ଣନା କରିବା ସହ ବିଭ୍ରାଟର ନିରପେକ୍ଷ ତଦନ୍ତ ପାଇଁ କହିଛନ୍ତି । ଆଜି ଶ୍ରୀ ଗଜପତି ମହାରାଜଙ୍କୁ ଭୁବନେଶ୍ୱରରେ ବିଶ୍ୱ ହିନ୍ଦୁ ପରିଷଦର ନେତା ଓ ସାଧୁ ସନ୍ଥମାନେ ସାକ୍ଷାତ କରିଥିଲେ । ସେମାନଙ୍କ ସହ ଆଲୋଚନା କଲା ପରେ ଗଜପତି ମହାରାଜ ଗଣମାଧ୍ୟମ ନିକଟରେ ପୁଣି ଥରେ ଶ୍ରୀମନ୍ଦିର ପରିଚାଳନା ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଗଜପତି ମହାରାଜ କହିଛନ୍ତି, ୧୮୦୩ରେ ବିଧିବଦ୍ଧଭାବେ ଗଜପତି ମହାରାଜାଙ୍କ ରାଜସତ୍ତା ଲୋପ ପାଇଲା । ଏହା ପୂର୍ବରୁ ମରାଠା ଓ ମୋଗଲଙ୍କ ସମୟରେ ମଧ୍ୟ ଗଜପତିଙ୍କ ସ୍ଥିତି ଦୁର୍ବଳ ହେଲା । ଗଜପତି ମହାରାଜାମାନେ ଯେପର୍ଯ୍ୟନ୍ତ ଶ୍ରୀମନ୍ଦିର ରୀତିନୀତି ପରିଚାଳନା କରୁଥିଲେ ସେପର୍ଯ୍ୟନ୍ତ ତାହା ଶୃଙ୍ଖଳିତ ଭାବେ ଚାଲୁଥିଲା । ଦେଶ ସ୍ୱାଧୀନ ହେବା ପରେ ଗଜପତି ଜଣେ ସାଧାରଣ ନାଗରିକ ଭାବେ ବିବେଚିତ ହେଲେ । ତାଙ୍କ ପାଖରେ କିଛି କ୍ଷମତା ବା ଅଧିକାର ନଥିଲା । କ୍ଷମତା ଓ ଅଧିକାର ନଥିଲେ ଏତେ ବଡ଼ ମନ୍ଦିର ଚଲାଇଥା’ନ୍ତେ କେମିତି ? ସମଗ୍ର ଦେଶରେ ଥିବା ମନ୍ଦିରଗୁଡ଼ିକର ପରିଚାଳନା ଦାୟିତ୍ୱ ସରକାର ହାତକୁ ନେଲେ । ରାଜ୍ୟ ସରକାର ମଧ୍ୟ ଆଇନ୍ କରି ୧୯୫୫ରେ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱ ନିଜ ହାତକୁ ନେଲେ । ତେବେ ଦେଶର ଅନ୍ୟ ମନ୍ଦିର ଗୁଡ଼ିକର ପରିଚାଳନା ବ୍ୟବସ୍ଥାରେ ଉନ୍ନତି ହୋଇଥିଲେ ହେଁ ଶ୍ରୀମନ୍ଦିର ପରିଚାଳନାରେ ସେଭଳି କିଛି ଆଖି ଦୃଶିଆ ଉନ୍ନତି ପରିଲକ୍ଷତି ହେଲା ନାହିଁ । ଶ୍ରୀମନ୍ଦିରକୁ ଯେଭଳି ପ୍ରାଧ୍ୟନ୍ୟ ଦେବା କଥା ତାହା ସରକାର ଦେଲେ ନାହିଁ । ଫଲରେ ୧୯୬୦ରୁ ବିଭ୍ରାଟ ପରିଲକ୍ଷିତ ହେଲା । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପରମ୍ପରାକୁ ପ୍ରାଧାନ୍ୟ ଦେଲେ ଅସୁବିଧା ଦୂର ହେବ । ଶ୍ରୀମନ୍ଦିର ପରିଚାଳନା ଆଇନ୍ରେ ନୀତି ଓ ସେବାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ସରକାର ତଦ୍ନୁଯାୟୀ କାର୍ଯ୍ୟାନୁଷ୍ଠାନ କରିବା ଦରକାର ବୋଲି ସେ କହିଛନ୍ତି ।
ବ୍ରହ୍ମ ସଂସ୍ଥାପନରେ ହୋଇଥିବା ବିଭ୍ରାଟକୁ ପ୍ରସଙ୍ଗରେ ଗଜପତି ମହାରଜା କହିଛନ୍ତି, ଶ୍ରୀମନ୍ଦିରର ବହୁ ରୀତିନୀତି ରହିଛି । ଯାହା ଅନେକ ଲୋକ ଜାଣି ନାହାଁନ୍ତି । ଗତକାଲି ତାଙ୍କୁ ମଧ୍ୟ ବିଭିନ୍ନ ନିଯୋଗର ସଭାପତିମାନେ ଭେଟିଥିଲେ । ସେମାନେ ତାଙ୍କୁ କହିଥିଲେ ଯେ, ଏହି ବିଭ୍ରାଟ ପାଇଁ ସମସ୍ତଙ୍କୁ ଦାୟୀ କରାଯାଉଛି । ଏହା ଠିକ୍ ନୁହେଁ ବୋଲି ତାଙ୍କୁ ସେ କହିଥିଲେ । ନବକଳେବରରେ ମହାପ୍ରଭୁଙ୍କର ଯେଉଁ ସେବା କରାଯାଏ ତାହା କେବଳ ଦଇତାପତିମାନେ କରିଥାନ୍ତି । ଏଥିରେ ଅନ୍ୟ ସେବାୟତମାନଙ୍କର କୌଣସି ସଂପୃକ୍ତି ନାହିଁ । ଏହି ଉତ୍ତର ବୋଧହୁଏ ସେମାନଙ୍କୁ ତାଙ୍କୁ ସନ୍ତୁଷ୍ଟ କରି ପାରି ନଥିଲା । ତେବେ ବ୍ରହ୍ମ ପରବିର୍ତ୍ତନରେ ଯେଉଁ ବିଭ୍ରାଟ ହୋଇଛି ତାହା ଅତ୍ୟନ୍ତ ଦୁଃଖଦାୟକ । ଶ୍ରୀମନ୍ଦିର ପ୍ରଶାସନ ଏହାର ତଦନ୍ତ କରୁଛନ୍ତି । ଯଥାଶୀଘ୍ର ତଦନ୍ତ ସାରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉ । ମନ୍ଦିର ଭିତରକୁ ମୋବାଇଲ ନେବା ପରମ୍ପରା ବିରୋଧୀ । ଏହାଛଡ଼ା ଗୁପ୍ତସେବା ସମୟରେ ମୋବାଇଲ୍ ନେବା ଆଦୌ ଗ୍ରହଣୀୟ ନୁହେଁ । ଏହା ଏକ ଅପରାଧ । ଏଥିପାଇଁ କଡ଼ା ଦଣ୍ଡ ବିଧାନ କରାଯାଉ ବୋଲି ମହାରାଜା କହିଛନ୍ତି ।
ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଗଜପତି ମହାରାଜ ଶ୍ରୀ ମନ୍ଦିର ପରିଚାଳନାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ‘ଦେଖ ମୋର ସ୍ଥିତି କଣ ହେଲାଣି’ ‘ଏବେ କଣ ତୁମେ ଉଠିବ ନାହିଁ’ ବୋଲି ମହାପ୍ରଭୁ ଜଗନ୍ନାଥ ପ୍ରେମୀ, ଭକ୍ତ ଓ ସେବକଙ୍କୁ ବାର୍ତ୍ତା ଦେଇଛନ୍ତି ବୋଲି କହିଥିଲେ । ଶ୍ରୀମନ୍ଦିରକୁ ରାଜନୀତିରୁ ଉଦ୍ଧ୍ୱର୍ରେ ରଖିବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com