୨୬ରେ କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

30

ଭୁବନେଶ୍ୱର,୨୪ା୬(ବୁ୍ୟରୋ): ଶ୍ରୀ ଜିଉମାନଙ୍କ ଘଟ ପରିବର୍ତ୍ତନରେ ହୋଇଥିବା ବିଭ୍ରାଟ ଓ ନବକଳେବରକୁ ପରିଚାଳନା କରିବାରେ ସରକାରଙ୍କ ବିଫଳତାର ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ଆସନ୍ତା ୨୬ ତାରିଖରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଏହି ବନ୍ଦ ଡ଼ାକରାକୁ ଜନସାଧାରଣ, ସମସ୍ତ ଜଗନ୍ନାଥପ୍ରେମୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ସମର୍ଥନ କରିବାକୁ ପିସିସି ପକ୍ଷରୁ ନିବେଦନ କରାଯାଇଛି । ତେବେ ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ, ସରକାର ଅତ୍ୟନ୍ତ ଖାମଖିଆଲି ଢଙ୍ଗରେ ନବକେଳବରକୁ ପରିଚାଳନା କଲେ । ଫଳରେ ଦାରୁ ଚିହ୍ନଟ ଠାରୁ ଆରମ୍ଭ କରି ଘଟ ପରିବର୍ତ୍ତନ ପର୍ଯ୍ୟନ୍ତ ସବୁଥିରେ ବିଭ୍ରାଟ ଦେଖାଗଲା । ଘଟ ପରିବର୍ତ୍ତନରେ ଯାହା ଘଟିଲା ତାହା ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ ବାଧିଛି । ସେମାନଙ୍କ ବିଶ୍ୱାସ ଓ ଭାବାବେଗ ସହ ଖେଳାଯାଇଛି । କଂଗ୍ରେସ ପକ୍ଷରୁ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯିବା ସହ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଅଭ୍ୟାସଗତ ଭାବେ ନିରବତା ଅବଲମ୍ବନ କରିଛନ୍ତି । ମୋଟ ୫ଜଣ ମନ୍ତ୍ରୀ ଭାଗୁଆଳୀଭାବେ ଆଗାମୀ ରଥଯାତ୍ରାକୁ ପରିଚାଳନା କରିବେ । ଯାହା ବିଭ୍ରାଟ ହେବାର ସମସ୍ତ ସୂଚନା ମିଳିଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଆସିଥିଲେ । ସମସ୍ତ ସହଯୋଗ କରାଯିବ ବୋଲି କହିଥିଲେ । ମାତ୍ର ରେଳପଥ ଓ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କାର୍ଯ୍ୟ ସରିଲାନି । ଉଭୟ ବିଜେପି ଓ ବିଜେଡ଼ି ନବକଳେବର ପାଇଁ ଆନ୍ତରିକତା ପ୍ରକାଶ କରି ନାହାନ୍ତି । ଟଙ୍କା ନାହିଁ ନାହିଁ ବୋଲି କହି ଏ ଜାତିଟାକୁ ସରକାର ମାଗିଖିଆ ଜାତି ଭାବେ ପରିଗଣିତ କରି ସାରିଲେଣି । ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟର କେବଳ ତଦନ୍ତ ଚାଲିଛି ବୋଲି କହି ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ସମୟ ଟାଳିବାରେ ଲାଗିଛନ୍ତି । ସରକାର ଆଉ କେଉଁ ପ୍ରମାଣକୁ ଅପେକ୍ଷା କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ପିସିସି ପକ୍ଷରୁ ୨୬ ତାରିଖରେ ପୂର୍ବାର୍ହ୍ନ ୬ଟା ଅପରାହ୍ନ ୬ଟା ପର୍ଯ୍ୟନ୍ତ ସମସ୍ତ କଂଗ୍ରେସ କର୍ମୀ ଉଜାଗର ଓ ଉପବାସ ରହି ଦୀପ ଜାଳିବେ । ଏହି ମହାପାପ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ଷମା କରିବା ଓ ରଥଯାତ୍ରା କିଭଳି ଶୃଙ୍ଖଳିତ ହେବ ସେଥିପାଇଁ ପ୍ରାର୍ଥନା କରାଯିବ । ଭୁବନେଶ୍ୱରର ରାମ ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ସରକାରଙ୍କୁ ଯାଗା ମଗାଯାଇଛି । ସରକାର ଏବାବଦରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଜୟଦେବ ଜେନା, ଚନ୍ଦ୍ର ଶେଖର ସାହୁ, କଂଗ୍ରେସ ବିଧାୟକ ଦଳର ଉପନେତା ଚିରଞ୍ଜୀବ ବିଶ୍ୱାଳ ଓ ଅନ୍ୟାନ୍ୟ ନେତୃବର୍ଗ ଉପସ୍ଥିତ ଥିଲେ ।




Powered by odothemes.com