naveen

ମୋଦିଙ୍କୁ ନବୀନଙ୍କ ଜବାବ୍

31

ଭୁବନେଶ୍ୱର, ୨୨ା୯(ବୁ୍ୟରୋ): ଦିନିକିଆ ସରକାରୀ ଗସ୍ତରେ ଓଡିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଳଚେର ଓ ଝାରସୁଗୁଡାରେ ଆୟୋଜିତ ଜନସଭାଗୁଡିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି । ଏପରିକି ରାଜ୍ୟ ସରକାର ପରିଚୟ ଏବେ ପିସି ବୋଲି ସେ କଟାକ୍ଷ କରିଛନ୍ତି । ତେବେ ଶ୍ରୀ ମୋଦିଙ୍କ ଏହି ଆକ୍ଷେପର ଦୃଢ ଜବାବ୍ ରଖିଛନ୍ତି ଶ୍ରୀ ପଟ୍ଟନାୟକ । ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ମୋଦିଙ୍କ ବକ୍ତବ୍ୟ ଉଦ୍ଦିଷ୍ଟ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ତାଳଚେର ଓ ଝରସୁଗୁଡାରୁ ଫେରିଲା ପରେ ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କୁ ଆକ୍ଷେପ କରି ଦେଇଥିବା ମନ୍ତବ୍ୟ ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ ଯେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ସେ ଏଭଳି ବକ୍ତବ୍ୟ ରଖିଛନ୍ତି । ତାଳଚେର ସାରକାରଖାନା ଉତ୍ସବରେ ମୁଁ ଦାବି କରିଥିଲି ଯେ ନୂତନ ବୈଷୟିକ କୌଶଳରେ ପ୍ଲାଣ୍ଟରୁ ୟୁରିଆ ସାର ଉତ୍ପାଦନ କରାଯାଇ ସେଥିରୁ ୫୦% ଓଡିଶା ଚାଷୀଙ୍କୁ ଦିଆଯାଉ । ସେହିଭଳି ଝାରସୁୁଗୁଡା ବିମାନବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ଯେଉଁ ଅନୁରୋଧ କରିଥିଲି, ତାହାକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରି ଘୋଷଣା କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନା ନେଇ ସେ ଯେଉଁ ଟିପ୍ପଣୀ ଦେଇଛନ୍ତି, ସେ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆୟୁଷ୍ମାନ ଯୋଜନାଠାରୁ ଢେର୍ ଭଲ । ଏଥିରୁ ଆମେ ମହିଳାଙ୍କୁ ୭ ଲକ୍ଷ ଟଙ୍କା ଦେଉଛୁ । ଯାହା ଆୟୁଷ୍ମାନ ଯୋଜନାରେ ନାହିଁ । କେନ୍ଦ୍ର ପକ୍ଷରୁ ହେଉଥିବା ଆୟୁଷ୍ମାନ ଯୋଜନାରେ ଏହି ଫାଇଦା ନଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିକ ଲୋକାଭିମୁଖୀ । ଏଥିରେ ୫୦ ଲକ୍ଷ ହିତାଧିକାରୀଙ୍କୁ ଯୋଡା ଯାଇଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ଖାଦ୍ୟ ଯୋଗାଇଦିଆଯାଉଛି । ଏହି ଯୋଜନାରେ ୨୫ ଲକ୍ଷ ଗରିବ ଉପକୃତ ହେଉଛନ୍ତି । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍କିଲ୍ ଇଣ୍ଡିଆ ଓ ଉଜ୍ଜଳା ସ୍କାମ୍ କଥା ବୋଧେ ପ୍ରଧାନମନ୍ତ୍ରୀ ଭୁଲି ଗଲେଣି । ଦୁର୍ନୀତି ନେଇ ନୁହେଁ, ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ସେ ଏହା କହିଛନ୍ତି । ପେଟ୍ରୋଲ ଓ ଡିଜେଲର ଦର ଏବେ ରେକର୍ଡ ସ୍ତର ଅତିକ୍ରମ କରିଛି । କେନ୍ଦ୍ର ସରକାର ତୈଳର ବର୍ଦ୍ଧିତ ମୂଲ୍ୟକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ସେହିଭଳି ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ବିଜେଡିକୁ ଯଚା ଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ଟିପ୍ପଣୀ ଉପରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସେଭଳି କିଛି ପ୍ରସ୍ତାବ ନଥିଲା । ନୀତିଶ କୁମାରଙ୍କ ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିଲା ବୋଲି ସେ କହିଛନ୍ତି ।
ତେବେ ନିର୍ବାଚନର କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିବା ଘଟଣାକୁ ନେଇ ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି ହୋଇଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ମୋଦିଙ୍କ ଏହି ବକ୍ତବ୍ୟ ବେଶ୍ ଗୁରୁତ୍ୱ ବହନ କରୁଛି । ବିଜେଡି ସହ ବିଜେପି ସଲାସୁତରାରେ ଅଛି ବୋଲି କଂଗ୍ରେସ ସମେତ ଅନ୍ୟ ଦଳଗୁଡିକ ଯେଉଁ ଅଭିଯୋଗ ଆଣୁଥିଲେ, ତାହାର ଏବେ ପୂର୍ଣ୍ଣଚ୍ଛେଦ ପଡିଛି । କେନ୍ଦ୍ର ସରକାରଙ୍କୁ ମଧ୍ୟ ସେ ତୀବ୍ର ସମାଲୋଚନା କରିଛନ୍ତି ।
ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ବକ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀ ଉତ୍କ୍ଷିପ୍ତ ହେବା ତାଙ୍କ ଚରିତ୍ରର ଏକ ବ୍ୟତୀକ୍ରମ ବୋଲି ସେ କହିଛନ୍ତି । ସେ କାହିଁକି ତାଙ୍କ ଉପରେ ରାଗ ସୁଛାଉଛନ୍ତି ବୋଲି ସେ କହିଛନ୍ତି । ସ୍କିଲ୍ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ଦୁର୍ନୀତି ନେଇ ଗଣମାଧ୍ୟମର ଖବର ପରେ ଏହି ଦୁର୍ନୀତିରେ ସମ୍ପୃକ୍ତ ସଂସ୍ଥା ଓଡିଶା ଲାଗି ଆଳୁ ଖୋଳୁଖୋଳୁ ମହାଦେବ ବାହାରିବ ବୋଲି କହିଛନ୍ତି । ଉଜ୍ଜଳା ଯୋଜନାରେ ୩୪ ଲକ୍ଷ ଗରିବ ମହିଳାଙ୍କ ଘରେ ଗ୍ୟାସ୍ ପହଞ୍ଚôଛି । ମୁଖ୍ୟମନ୍ତ୍ରୀ ତାଙ୍କ ପସନ୍ଦର କେଉଁ ଜିଲ୍ଲା ଓ ଗାଁ ହିତାଧିକାରୀ ବାଛନ୍ତୁ । ମୋତେ ଡାକିଲେ ତାଙ୍କ ସାଙ୍ଗରେ ଯିବି । ସ୍କାମ୍ ହୋଇଛି କି ମହିଳା ଉପକୃତ ହୋଇଛନ୍ତି, ତାହା ଜଣାପଡିବ । ସ୍ୱଚ୍ଛ ଭାରତ ଅଭିଯାନ ଧୀମା ହୋଇଛି । ପିସିରେ ଲୋକେ ପେଶି ହେଉଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫୦ ଲକ୍ଷ ପରିବାର ସାମିଲ କେଉଁ ଆଧାରରେ ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com