talcher-fortiliger-(3)

୩୬ ମାସରେ ହେବ କାର୍ଯ୍ୟକ୍ଷମ

23

ତାଳଚେର ସାର କାରଖାନାର ପୁନରୁଦ୍ଧାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ତାଳଚେର/ଝାରସୁଗୁଡା, ୨୨ା୯(ଆପ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଜି ପୂର୍ବାହ୍ନରେ ତାଳଚେରରେ ବନ୍ଦ ଥିବା ସାରକାରଖାନାର ପୁନରୁଦ୍ଧାର ଲାଗି ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମହତ୍ୱାକାଂକ୍ଷୀ ଯୋଜନା ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରାଯିବ । ଆଧୁନିକ ପ୍ରଯୁକ୍ତି କୋ÷ଶଳ ଉପଯୋଗରେ କୋଇଲାରୁ ପ୍ରାକୃତିକ ବାଷ୍ପ ଉତ୍ପାଦନ ହେବ ଏବଂ ସେହି ବାଷ୍ପକୁ ବ୍ୟବହାର କରି ରସାୟନିକ ସାର ପ୍ରସ୍ତୁତ ହେବ । ଏହାଛଡା ପ୍ରଧାନମନ୍ତ୍ରୀ ଝାରସୁଗୁଡା ବିମାନବନ୍ଦରକୁ ଉଦ୍ଘାଟନ କରିବା ସହ ଗର୍ଜନବାହାଲ ଖୋଲାମୁହଁ ଖଣି ପ୍ରକଳ୍ପ, ସୁନ୍ଦରଗଡର ଏମ୍ସିଏଲ୍ର ଝାରସୁଗୁଡା-ସରଡେଗା ରେଳ ଲାଇନ୍ର ଲୋକାର୍ପିତ ଏବଂ ସୁନ୍ଦରଗଡରେ ଏନ୍ଟିପିସିର ଦୁଲଙ୍ଗା କୋଇଲା ଖଣିରୁ କୋଇଲା ଉତ୍ପାଦନ ତଥା ପରିବହନ କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ସମୀକ୍ଷା କରି ଦେଖିଲେ ଯେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅଧାପନ୍ତରିଆ ଅଥବା ପୁନରୁଦ୍ଧାର ଅପେକ୍ଷାରେ ପଡି ରହିଛି । ସେଥିମଧ୍ୟରେ ତାଳଚେର ସାର କାରଖାନା ଅନ୍ୟତମ । ତାଙ୍କ ସରକାର ଏହି ପ୍ରକଳ୍ପକୁ ପୁଣି ଥରେ ଆଧୂନିକ ଟେକ୍ନୋଲୋଜିରେ ନିର୍ମାଣ କରିବା ଲାଗି ସଂକଳ୍ପ ନେଲେ । ଏହି ନିଷ୍ପତିର ଅଂଶ ସ୍ୱରୂପ ଆଜି ତାଳଚେର ସାର କାରଖାନାର ପୁନରୁଦ୍ଧାର ଲାଗି ଆଧାରଶିଳା ରଖାଯାଇଛି । ଏହାକୁ ୩୬ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ ଏବଂ ସେ ନିଜେ ଏଠାକୁ ପୁଣି ଆସିବେ ଏବଂ ନବନିର୍ମିତ ସାର କାରଖାନାକୁ ରାଷ୍ଟ୍ରକୁ ସମର୍ପିତ କରିବେ । ଏହି ପ୍ରସ୍ତାବିତ ସାର କାରଖାନାରେ ପ୍ରାୟ ୪ ହଜାର ଲୋକ କାର୍ଯ୍ୟ କରିବେ । ଓଡ଼ିଶା ଏବଂ ଦେଶର ଚାଷୀ ଏହି ସାର କାରଖାନା ଦ୍ୱାରା ଉପକୃତ ହେବେ । ଏବେ ବିଦେଶରୁ ୟୁରିଆ ଆମଦାନୀ ହେଉଛି । ଏଥିଲାଗି ଦେଶକୁ ବିପୁଳ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି । ତାଳଚେର ସାର କାରଖାନା ଦ୍ୱାରା ଓଡ଼ିଶା ଏବଂ ଦେଶର ଚାଷୀମାନଙ୍କ ଆଶା ଓ ଚାହିଦା ପୂରଣ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ସାଂସଦ ତଥାଗତ ଶତପଥୀ, ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଏହାପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ ବିଶାଳ ଜନସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହ ତାଳଚେର ମାଟିକୁ ବୀରଭୂମି ଭାବେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ତାଳଚେର ସବୁବେଳେ ରାଷ୍ଟ୍ର ନିର୍ମାଣର ଅଂଶ ହୋଇରହିଛି । ଏବେ ପ୍ରସ୍ତାବିତ ସାର କାରଖାନା ପୂର୍ବ ଭାରତର ବିକାଶକୁ ନୂତନ ଦିଗଦର୍ଶନ ଦେବ । ରୁଗ୍ଣ ସାର କାରଖାନା ବିଗତ ସରକାରର ବିଫଳତା ଥିବାବେଳେ ଏହି କାରଖାନାର ପୁନରୁଦ୍ଧାର ଏନଡିଏ ସରକାର ପାଇଁ ସଫଳତାର ପ୍ରତୀକ ହେବ । ପୂର୍ବ ସରକାର ବେଳେ ଅନେକ କାରଖାନା ବନ୍ଦହୋଇ ପଡିରହିଥିଲା । ତେବେ କୃଷକମାନଙ୍କୁ ସଶକ୍ତ କରିବା ଏବଂ ଦେଶରେ ରସାୟନିକ ସାରକୁ ଶସ୍ତାରେ ଉପଲବ୍ଧ କରାଇବା ପାଇଁ ତାଳଚେର ସମେତ ୫ଟି ସାର କାରଖାନାର ପୁନରୁଦ୍ଧାର କରାଯାଉଛି । ଏହି କାରଖାନାଗୁଡିକ ହେଲା- ଉତରପ୍ରଦେଶର ଗୋରଖପୁର, ଝାଡଖଣ୍ଡର ସିନ୍ଦ୍ରି, ତେଲଙ୍ଗାନାର ରାମଗୁଣ୍ଡମ୍ ଏବଂ ବିହାରର ବରୋ÷ଣୀ ସାର କାରଖାନା ।
ଓଡ଼ିଶାରେ ସ୍ୱଚ୍ଛତା ଅଭିଯାନର ଶିଥିଳ ଗତି ନେଇ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ୨୦୧୪ ରେ ଓଡ଼ିଶାରେ ସ୍ୱଚ୍ଛତା ହାର ୧୦% ଥିଲା । ତାଙ୍କ ସରକାର ଆସିବା ପରେ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ ବ୍ୟାପକ ମାତ୍ରାରେ ଚାଲିଲା ଏବଂ ରାଜ୍ୟରେ ଏହି ହାର ୫୫%ରେ ପହଞ୍ଚôଛି । ତଥାପି ଓଡ଼ିଶାକୁ ଅନେକ କିଛି କରିବାର ଅଛି । ଓଡ଼ିଶାଠାରୁ ଅନେକ ଗରିବ ରାଜ୍ୟ ସ୍ୱଚ୍ଛତା କ୍ଷେତ୍ରରେ ଆଗରେ ରହିଛନ୍ତି । ଅନ୍ୟ ପକ୍ଷରେ ଓଡ଼ିଶାର ଅନେକ ସ୍ଥାନରେ ଏବେ ମଧ୍ୟ ଖୋଲାରେ ଶୌଚ ହେଉଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା କାଲି ରାଞ୍ଚôରୁ ସେ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦେଶବ୍ୟାପୀ ଆରମ୍ଭ କରିବେ । ଏହାଦ୍ୱାରା ୧୦ କୋଟି ଗରିବ ପରିବାର ଅର୍ଥାତ ପ୍ରାୟ ୫୦ କୋଟି ଲୋକ ଉପକୃତ ହେବେ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜଣଙ୍କୁ ଚିକିତ୍ସା ଖର୍ଚ୍ଚ ଲାଗି ବୀମା ସୁବିଧା ମିଳିବ । ଏହି ଯୋଜନାରେ ୨୭ ରାଜ୍ୟ ସାମିଲ ହୋଇଥିଲେ ହେଁ ଓଡ଼ିଶା ଏଥିରେ ସାମିଲ ନ ହେବା ଦୁର୍ଭାଗ୍ୟର ବିଷୟ । ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ପରିବାରଙ୍କ କଲ୍ୟାଣ ପାଇଁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଆହ୍ୱାନ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାତୃ ଓ ଶିଶୁ ମୃତ୍ୟୁହାର ରାଜ୍ୟରେ ଅଧିକ ରହିଛି । ଏହାକୁ ମଧ୍ୟ କମାଇବାକୁ ପଡିବ । ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଏବଂ ଆଧୂନିକ ଚିକିତ୍ସା ସେବାକୁ ବିକଶିତ କରିବା ଲାଗି କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି । ୫ ଟି ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ ହସ୍ପିଟାଲରେ ପରିଣତ କରାଯାଇଛି । ଏଗୁଡିକ ହେଲା – ବାଲେଶ୍ୱର, ବାରିପଦା, କୋରାପୁଟ, ବଲାଙ୍ଗୀର ଏବଂ ପୁରୀ । ତାଳଚେର ଓ ସୁନ୍ଦରଗଡରେ ଆଉ ଦୁଇଟି ମେଡିକାଲ କଲେଜ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଚାଲିଛି । ୩୬୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାରେ କଟକ, ବୁର୍ଲା ଏବଂ ବ୍ରହ୍ମପୁର ମେଡିକାଲ କଲେଜର ଆଧୂନିକୀକରଣ କାର୍ଯ୍ୟ ଚାଲିଛି । ୫୭୦ କୋଟି ଟଙ୍କା ବିନିଯୋଗରେ ରାଉରକେଲା ମେଡିକାଲ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର ଆଧୂନିକୀକରଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସେ କହିଥିଲେ ଯେ ୨୦୧୪ ରେ ଏନଡିଏ ସରକାର କ୍ଷମତାକୁ ଆସିବାବେଳେ ଓଡ଼ିଶାରେ ଏଲପିଜି ଗ୍ୟାସ ସଂଯୋଗ ହାର ମାତ୍ର ୨୨% ଥିଲା । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରୀ ହେବାପରେ ରାଜ୍ୟରେ ଏଲପିଜି ବ୍ୟବହାରକାରୀଙ୍କ ହାର ୬୦ ରୁ ୬୫ % ପର୍ଯ୍ୟନ୍ତ ପହଞ୍ଚିଛି । ଓଡ଼ିଶାରେ ଟଙ୍କିକିଆ ଚାଉଳ ଯୋଜନାର ରହସ୍ୟ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତି ମାସରେ ରାଜ୍ୟର ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବାଲାଗି କେନ୍ଦ୍ର ସରକାର ମାସିକ ୪୫୦ କୋଟି ଟଙ୍କା ସହାୟତା ଦେଉଛନ୍ତି । ପ୍ରତି କିଲୋ ଚାଉଳ ପିଛା କେନ୍ଦ୍ର ସରକାର ୨୫ ରୁ ୩୦ ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି । ସାଧାରଣ ବଂଟନ ବ୍ୟବସ୍ଥାକୁ ସୁସଂଗତ କରାଯାଇ ଖାଦ୍ୟ ସାମଗ୍ରୀର ବାଟମାରଣା କରାଯାଇଛି । ଏଣୁ ଗରିବ ଲୋକଙ୍କୁ ଏକ ଟଙ୍କାରେ ଚାଉଳ ଯୋଗାଇବାର ଅଧିକ ଶ୍ରେୟ କେନ୍ଦ୍ର ସରକାରଙ୍କର ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଓବିସି କମିଶନ ଗଠନ କରି ଏହାକୁ ସାମ୍ବିଧାନିକ ମର୍ଯ୍ୟାଦା ଦେବାର ଐତିହାସିକ ପଦକ୍ଷେପ ନେଇଛନ୍ତି । ତିନି ତଲାକ ଭଳି ପ୍ରଥା ଦ୍ୱାରା ମୁସଲିମ ସମାଜର ଭଉଣୀମାନଙ୍କ ଜୀବନ ଦୁର୍ବିସହ ହେଉଥିଲା । ଏନଡିଏ ସରକାର ପ୍ରଥମେ ଲୋକସଭାରେ ଏହାକୁ ପାସ କରାଇଥିଲେ । କିନ୍ତୁ ରାଜ୍ୟସଭାରେ ଗୃହୀତ ନ କରାଇବା ପାଇଁ ଉଦ୍ୟମ ହେଉଛି । ତଥାପି ତାଙ୍କ ସରକାର ନିଷ୍ଠାର ସହ ଏ ଦିଗରେ ଆଗକୁ ବଢି ତିନି ଦିନ ତଳେ ତିନି ତଲାକ ସଂପର୍କୀତ ଅଧ୍ୟାଦେଶ ଜାରି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।




Powered by odothemes.com