Sj-Gopal-Subramanian-Gajapati-Maharajanka-Sahita-Alochana-Karuchhani-(1)

ଭକ୍ତଙ୍କୁ ଉତ୍ତମ ବ୍ୟବହାର କର

27

ପୁରୀ, ୨୨ା୯(ବୁ୍ୟରୋ): ଶ୍ରୀମନ୍ଦିର ପରିଚାଳନା ଓ ସଂସ୍କାର ନେଇ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍କୁ୍ୟରୀ ଗୋପାଳ ସୁବ୍ରମଣ୍ୟମ୍ ଆଜି ମହାରାଜା ଦିବ୍ୟସିଂହ ଦେବଙ୍କୁ ସାକ୍ଷାତ କଲାପରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଯୋଗଦେଇଥିଲେ । ଭକ୍ତଙ୍କୁ ଉତ୍ତମ ବ୍ୟବହାର କରିବା ପାଇଁ ସେ ସେବାୟତମାନଙ୍କୁ ପରାମର୍ଶ ଦେବା ସହ ଠିକ୍ ସମୟ ମଧ୍ୟରେ ନୀତିକାନ୍ତି ସମ୍ପାଦନ କରିବା ସହ ମନ୍ଦିର ଆସିବା ଲାଗି ମଧ୍ୟ କହିଛନ୍ତି ।
ଆଜି ଗଜପତି ମହାରାଜାଙ୍କୁ ଶ୍ରୀନଅରରେ ସକାଳ ୯ଟା ୪୦ରେ ସେ ସାକ୍ଷାତ କରିଥିଲେ । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ । ସାକ୍ଷାତ ପରେ ଶ୍ରୀ ସୁବ୍ରମଣ୍ୟମ୍ ଗଣମାଧ୍ୟମକୁ କହିଥିଲେ ଯେ ମହାପ୍ରଭୁଙ୍କ ନୀତିକାନ୍ତି, ପରମ୍ପରା, ସଂସ୍କାର ବିଷୟରେ ଅବଗତ ହୋଇଥିଲେ । ମହାପ୍ରଭୁଙ୍କ ପରମ୍ପରା ସହ ଗଜପତିଙ୍କ ସମ୍ପର୍କ ଓ ଐତିହ୍ୟ ଘଟଣା ସମ୍ପର୍କରେ ଜାଣି ବହୁତ ଖୁସି ହୋଇଛି । ଏହାପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସେ ଯୋଗଦେଇଥିଲେ । ବୈଠକରେ ୧୨ ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ୯ ପ୍ରସ୍ତାବକୁ ସେବାୟତ ଗ୍ରହଣ କରିଥିବାବେଳେ ୩ ପ୍ରସ୍ତାବ ଉପରେ ସେମାନଙ୍କ ଆପତ୍ତି ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ର କହିଥିଲେ ଯେ ବଂଶାନୁକ୍ରମିକ ସେବା ଉଚ୍ଛେଦ କରାନଯାଉ । କିନ୍ତୁ ସେବାୟତଙ୍କ ସଂଖ୍ୟା କମ୍ କରାଯିବ । ଶ୍ରୀମନ୍ଦିରରେ ସେବାୟତମାନେ ଦାନ, ଦକ୍ଷିଣା ସିଧାସଳଖ ଗ୍ରହଣ କରିପାରିବେନାହିଁ । ଶ୍ରୀମନ୍ଦିରରେ ଯାହା ଆୟ ତାହା ସିଧାସଳଖ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଯିବ । ବିଶେଷଭାବରେ ଅନ୍ନଦାନ ଆଟିକା ଓ ଥାଳି ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଶ୍ରୀମନ୍ଦିର ଭିତରେ ହୁଣ୍ଡି ନରହି ୪ ଦ୍ୱାରରେ ୪ଟି ହୁଣ୍ଡି ସ୍ଥାପନ କରାଯିବ । ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ନିୟୋଜିତ ସେବାୟତଙ୍କ ପାଇଁ ପରିଚୟପତ୍ର ଏବଂ ମହାପ୍ରଭୁଙ୍କ ସେବାରେ ସମ୍ପୃକ୍ତ ନଥିବା ସେବାୟତଙ୍କ ପାଇଁ ଭିନ୍ନ ପରିଚୟପତ୍ର ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ପରିସରରେ ସେବାୟତମାନେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେନାହିଁ । ଭକ୍ତମାନେ ଶୃଙ୍ଖଳିତଭାବରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଓ ସିଂହଦ୍ୱାର ଦେଇ ପ୍ରବେଶ କରି ଅନ୍ୟ ଦ୍ୱାର ଦେଇ ବାହାରକୁ ବାହାରିବେ ବୋଲି ପ୍ରସ୍ତାବ ଦିଆଯାଇଛି । ଏହିସବୁ ପ୍ରସ୍ତାବ ସୁପ୍ରିମ୍କୋର୍ଟଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି । ଉକ୍ତ ବୈଠକରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଏସ୍ପି ସାର୍ଥକ ଷଡଙ୍ଗୀ, ସମସ୍ତ ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ ।
ଅପରାହ୍ଣରେ ସର୍କିଟ୍ ହାଉସ୍ରେ ଆଡ୍ଭୋକେଟ୍ ଜେନେରାଲ୍, ପୁରୀ ସାଂସଦ ପୀନାକି ମିଶ୍ର, ବିଧାୟକ ମହେଶ୍ୱର ମହାନ୍ତିଙ୍କ ସହ ଆମିକସ୍କୁ୍ୟରୀ ଆଲୋଚନା କରିଛନ୍ତି । ଶେଷରେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ଛତିଶାନିଯୋଗ ବୈଠକରେ ରହି ବିଭିନ୍ନ ସେବାୟତ ଓ ନିଯୋଗର ସଦସ୍ୟଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଏହାପରେ ଆମିକସ୍କୁ୍ୟରୀ ଶ୍ରୀମନ୍ଦିରର ଅନୁଭୂତି ଓ ଶ୍ରୀମନ୍ଦିରର ପରମ୍ପରା, ସଂସ୍କୃତି ସହ ବିଭିନ୍ନ ବ୍ୟକ୍ତିଙ୍କ ସହ ଆଲୋଚନା କରି ରିପୋର୍ଟ ସୁପ୍ରିମ୍କୋର୍ଟରେ ପ୍ରଦାନ କରିବେ । ଆସନ୍ତା ୨୪ ତାରିଖରେ କ’ଣ ନିଷ୍ପତ୍ତି ହେଉଛି, ତାହା ଉପରେ ନଜର ରହିଛି ।
ବୈଠକ ପରେ ଶ୍ରୀ ସୁବ୍ରମଣ୍ୟମ୍ କହିଛନ୍ତି ଯେ ୧୨ ପ୍ରସ୍ତାବ କିପରି ଭଲଭାବରେ କାର୍ଯ୍ୟକାରୀ କରାଯିବ ସେ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଛି । ପ୍ରଥମେ ସେବାୟତଙ୍କୁ କେତୋଟି ପରାମର୍ଶ ଦେଇଛି । ଶ୍ରୀମନ୍ଦିର ଆସୁଥିବା ଭକ୍ତମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଲାଗି କହିଛି । ଏହାଛଡା ମହାପ୍ରଭୁଙ୍କ ନୀତିକାନ୍ତି ସଠିକ୍ ସମୟରେ କରିବା ସହ ନୀତିକାନ୍ତି ସମୟରେ କୌଣସି ସେବାୟତ ପାନ, ଗୁଟ୍କା ଆଦି ଦ୍ରବ୍ୟ ଖାଇ ଶ୍ରୀମନ୍ଦିର ନଯିବା ଲାଗି ପରାମର୍ଶ ଦେଇଛି । ଶ୍ରୀମନ୍ଦିର ସବୁବେଳେ ସ୍ୱଚ୍ଛତା ରହୁ । ୨୧ ଦିନ ପରେ ଉକ୍ତ କାର୍ଯ୍ୟର ତର୍ଜମା ହେବ । ଶ୍ରୀଜିଉଙ୍କ ସକାଳ ନୀତିକାନ୍ତିଠାରୁ ଆରମ୍ଭ କରି ରାତ୍ର ପହୁଡ ହେବା ପର୍ଯ୍ୟନ୍ତ ସମସ୍ତ ନୀତି ସଠିକ୍ ଭାବେ କରିବା ପାଇଁ ସେବାୟତଙ୍କୁ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com