konark

ପୁଣି ଚର୍ଚ୍ଚାରେ ସୂର୍ଯ୍ୟ ମନ୍ଦିର

125

କୋଣାର୍କ (ଆପ୍ର): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଟୋକନ ବିକ୍ରି ଓ ସଂଗ୍ରହ ସଠିକ୍ ପରିଚାଳନା ହେଉନଥିବାରୁ ଦେଶ ବିଦେଶରୁ ଆସିଥିବା ଶହ ଶହ ପର୍ଯ୍ୟଟକ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିବା ଅଭିଯୋଗ ହୋଇଛି । ଏପରିକି କେତେକ ପର୍ଯ୍ୟଟକ ମନ୍ଦିର ପରିଦର୍ଶନ ନକରି ଫେରିଯାଇଥିବା ଜଣାପଡ଼ିଛି । ଏନେଇ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଗତ ଶୁକ୍ରବାର ପୂର୍ବାହ୍ନରେ ଟିକେଟ କାଉଣ୍ଟର ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ପ୍ରକାଶ ଯେ, ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସାମାନ୍ୟ ବର୍ଷାରେ ପାଣି ଜମି ରହିବା ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାବେଳେ ଏବେ ଟୋକନ ବିକ୍ରୟରେ ତ୍ରୁଟି ପାଇଁ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗୁରୁତର ଅଭିଯୋଗ ହୋଇଛି । ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଟିକେଟ୍ର ମୂଲ୍ୟ ଭାରତୀୟ ନାଗରିକଙ୍କ ପାଇଁ ୩୦ ଟଙ୍କାରୁ ୪୦ ଟଙ୍କାକୁ ବୃଦ୍ଧି କରିଥିଲେ ଏବଂ ବିଦେଶୀ ନାଗରିକଙ୍କ ପାଇଁ ଟିକେଟ୍ର ମୂଲ୍ୟ ୫୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରିଥିଲେ । ସୂର୍ଯ୍ୟ ମନ୍ଦିର ପ୍ରବେଶ ଦ୍ୱାରକୁ ଆଧୁନିକୀକରଣ କରାଯାଇ ଟିକେଟ୍ ବିକ୍ରୟ ଜୁନ୍ ୧୯ରୁ ବନ୍ଦ କରି ଟୋକନ ବ୍ୟବସ୍ଥା କରାଯାଇଥିଲା । ଭାରତୀୟ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସୂର୍ଯ୍ୟ ମନ୍ଦିର ପାଇଁ ୩୭୫୦ଟି ଟୋକନ ଯୋଗାଇ ଦିଆଯାଇଥିଲା । ଫଳରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଲେ ଟିକେଟ୍ କାଉଣ୍ଟର ସାମ୍ନାରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିବାବେଳେ ଟୋକନ ପାଇଁ ପର୍ଯ୍ୟଟକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଏଏସ୍ଆଇ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାଶ, ବିଜେଡି ନଗର ସଭାପତି ଗୋପାଳ ଚନ୍ଦ୍ର ବେହେରା, ଯୁବ ସଭାପତି ଶତ୍ରୁଜିତ୍ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସଂପର୍କରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଦାୟିତ୍ୱରେ ଥିବା ଅଧିକାରୀ ଚିତ୍ତରଞ୍ଜନ ଦାଶଙ୍କୁ କହିଛନ୍ତି ପର୍ଯ୍ୟାପ୍ତ ପରିମାଣରେ ଟୋକନ ନଥିବାରୁ ଏପରି ସମସ୍ୟା ଦେଖାଦେଇଛି । ଏହି ଅସୁବିଧା ଦୂର ପାଇଁ ଦିଲ୍ଲୀରୁ ୨ ହଜାର ଟୋକନ ପାଇଁ ପତ୍ର ଲେଖାଯାଇଛି ଏବଂ ଅକ୍ଟୋବର ୧ ସୁଦ୍ଧା ଆଉ ଅତିରିକ୍ତ ଏକ ହଜାର ଟୋକନ ଯୋଗାଇ ଦେବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖାଯାଇଛି ।

ସେଆର କରନ୍ତୁ:



Powered by odothemes.com