balaram--Photo---9

ଚାଉଳ ବନ୍ଦ କଲେ, ଆବାସ ବିଲ୍ କଲେନି

15

ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାରୁ ବାବୁଙ୍କ ତାଡ଼ନା
ବଡ଼ଚଣା(ଆପ୍ର): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଜ ପରିବାର ସମସ୍ୟା ଜଣାଇବା ଏବଂ ଦୁର୍ନୀତି ନେଇ ଦୃଷ୍ଟି ଆକର୍ଷଣ କରିବା ପରେ ଜଣେ ଗରୀବ ଅନୁସୂଚିତ ଜାତିର ବ୍ୟକ୍ତିକୁ ପ୍ରଶାସନିକ ତାଡ଼ନାର ଶିକାର ହେବାକୁ ପଡିଛି । ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବା ପରେ ତାଙ୍କ ସମସ୍ୟା ସମାଧାନ ହେବ କ’ଣ ଓଲଟି ତାଙ୍କୁ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହେବାକୁ ପଡିଛି । ଏପରି ଘଟଣା ଘଟିଛି ବଡଚଣା ବ୍ଲକ୍ ଦର୍ପଣି ପଞ୍ଚାୟତର ଗୁଲଜାରନଗର ପାଟଣାରେ । ପ୍ରଶାସନିକ ଷଡ଼ଯନ୍ତ୍ର ଓ ଆକୋ୍ରଶର ଶିକାର ହୋଇଥିବା ଦଳିତ ବ୍ୟକ୍ତି ଜଣକ ଏବେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇ ପୁର୍ନବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ଗୁଲଜାରନଗରପାଟଣା ଗାଁର ବଳରାମ ମଳିକ । ନିହାତି ଗରୀବ, ଦୁଃଖୀ, ଦିନ ମଜୁରିଆ । ତାଙ୍କୁ ତଥା ଏ ଅଞ୍ଚଳରେ ବସବାସ କରୁଥିବା ତାଙ୍କପରି ବହୁ ଦଳିତ ଲୋକଙ୍କୁ କୌଣସି ସରକାରୀ ସୁବିଧା ସୁଯୋଗ ମିଳୁ ନଥିବା ତଥା ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଗୁଡିକରେ ବ୍ୟାପକ ଦୁୁର୍ନୀତି ହେଉଥିବା ନେଇ ସେ ଗତ ୬ ମାସ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ଏହି ଚିଠି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପାଇବା ପରେ ବିହିତ କାର୍ଯ୍ୟନୁଷ୍ଠାନ ପାଇଁ ସ୍ଥାନୀୟ ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଆସିବା ପରେ ବଳରାମଙ୍କ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ତାଙ୍କ ପ୍ରତି ପ୍ରଶାସନିକ ଆକୋ୍ରଶ ଆରମ୍ଭ ହୋଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ନିଦେ୍ର୍ଦଶ ଆସିବା ପରେ ବଳରାମଙ୍କ ବିଧବା ମା’ଙ୍କୁ ମିଳୁଥିବା ମାସିକ ୫କେଜି ଚାଉଳକୁ ବନ୍ଦ କରିଦିଆ ଯାଇଛି । ଏଥିସହ ତାଙ୍କ ନାଁରେ ହୋଇଥିବା ଆବାସ ଯୋଜନାର ବିଲ ବନ୍ଦ କରି ଦିଆଯାଇଛି । ବଳରାମଙ୍କ ବାପା ମୃତ୍ୟୁ ବରଣ କରିଥିଲେ ମଧ୍ୟ ହରିଶ୍ଚନ୍ଦ୍ର ଯାଜନାରେ ତାଙ୍କୁ ସହାୟତା ଦିଆଯାଇ ନାହିଁ । ଏଥିନେଇ ଶନିବାର ବଳରାମ ମୁଖ୍ୟମନ୍ତ୍ରୀଙ୍କୁ ପୁର୍ନବାର ଚିଠି ଲେଖିବା ସହ ତାଙ୍କ ସମସ୍ୟା କମୁ ନଥିବାରୁ ସେ ଆତ୍ମହତ୍ୟା କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବ୍ଲକ୍କୁ ଚିଠି ଆସିବା ପରେ ବିଡିଓଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ମାନେ ତାଙ୍କୁ ଜାଣିଶୁଣି ହଇରାଣ ହରକତ କରୁଥିବାରୁ ସେ ବାଧ୍ୟ ହୋଇ ଏପରି ନିଷ୍ପତି ନେଇଥିବା ବଳରାମ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଏ ସଂପର୍କରେ ବଡଚଣା ବିଡିଓଙ୍କୁ ପଚାରିବାରୁ ସେ ବଳରାମଙ୍କ ଅଭିଯୋଗ ସଂପର୍କରେ ତଦନ୍ତ ହେବ ବୋଲି କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com