AG-office-Report-unmochana-(1)

ବାଟବଣା ହୋଇଛି ପିଏମ୍ଜିଏସ୍ୱାଇ

59

ଭୁବନେଶ୍ୱର, ୨୦ା୯(ବୁ୍ୟରୋ): ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା (ପିଏମ୍ଜିଏସ୍ୱାଇ), ଜାତୀୟ ଗ୍ରାମ୍ୟ ପାଇପ୍ ଜଳ କାର୍ଯ୍ୟକ୍ରମ ଓ କାରାଗାର ପ୍ରଶାସନ ନେଇ ମହାଲେଖା ନିୟନ୍ତ୍ରକ (ସିଏଜି) ଆପତ୍ତି ଉଠାଇଛନ୍ତି । ଏକ୍ଷେତ୍ରରେ କାର୍ଯ୍ୟକାରିତାକୁ ନେଇ ସିଏଜି ପ୍ରଶ୍ନ କରିବା ସହ ଏଥିରେ ହୋଇଥିବା କେତେକ ଅନିୟମିତତା ସମ୍ପର୍କରେ ଦୃଷ୍ଟିଆକର୍ଷଣ କରିଛନ୍ତି ।
ଆଜି ବିଧାନସଭାରେ ସିଏଜିଙ୍କ ସାଧାରଣ ଓ ସାମାଜିକ କ୍ଷେତ୍ର ରିପୋର୍ଟ-୨୦୧୭ ଉପସ୍ଥାପନ କରାଯାଇଥିଲା । ଏଥିରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଗ୍ରାମ୍ୟ ସଡକର କୋର ନେଟୱର୍କରେ ଅନ୍ତର୍ଭୁକ୍ତ କରାଯାଇଥିବା ୧୮ହଜାର ୧୭୬ ଜନବସତି ମଧ୍ୟରୁ ୬,୦୪୮ ଅର୍ଥାତ ୩୩% ଜନବସତିକୁ ମାର୍ଚ୍ଚ ୨୦୧୭ ସୁଦ୍ଧା ସଂଯୋଗୀକରଣ କରାଯାଇନଥିଲା । କୋର ନେଟୱର୍କ ଅନ୍ତର୍ଗତ ୧୨୧ ଗ୍ରାମ୍ୟ ସଡକର ଦୈର୍ଘ୍ୟ, ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଠାରୁ ଭିନ୍ନ ଥିଲା । ଏହି ଭିନ୍ନତା ଯୋଗୁଁ ସେହିସବୁ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ରୀୟ ଅନୁମତି ମିଳିନଥିଲା । ଫଳରେ ରାଜ୍ୟ ସରକାର ୧୫୫ କୋଟି ୩୩ ଲକ୍ଷ ଟଙ୍କା ଏବାବଦରେ ହରାଇଛନ୍ତି । ଗ୍ରାମୀଣ ରାସ୍ତା ନିର୍ମାଣରେ ଜଙ୍ଗଲ ଜମି ଅନୁମତି ସଂପର୍କରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ଉଲ୍ଲେଖ କରାଯାଇନଥିବାରୁ ୨୦୦୩ରୁ ୨୦୧୭ ମଧ୍ୟରେ ୪୪୧ କିଲୋମିଟର ରାସ୍ତା ୫୩ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟ ସତ୍ତ୍ୱେ ସମ୍ପୂର୍ଣ୍ଣ ହୋଇପାରିନଥିଲା । ସୁନ୍ଦରଗଡ ଜିଲ୍ଲାର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ନିଜ କ୍ଷମତା ବର୍ହିଭୂତ ୧୩ ରାସ୍ତା ନିର୍ମାଣ କାର୍ଯ୍ୟ ଠିକାଦାରଙ୍କୁ ପ୍ରଦାନ କରିଥିଲେ । ସଂପୃକ୍ତ ଠିକାଦାରମାନେ ମଧ୍ୟ ନିର୍ଦ୍ଧାରିତ ସମୟରେ କାମ ସାରିପାରିନଥିଲେ । ୨୦୧୨ରୁ ୨୦୧୭ ମଧ୍ୟରେ ୧୯,୨୦୩ ରାସ୍ତା ମରାମତିର ଆବଶ୍ୟକତା ଥିବା ବେଳେ ମାତ୍ର ୩୯% ଅର୍ଥାତ ୭,୪୯୬ ରାସ୍ତା ମରାମତି ହୋଇପାରିଥିଲା । ସବୁଠାରୁ ଉଦ୍ବେଗର କଥା ହେଉଛି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସ୍ତରୀୟ ଷ୍ଟାଣ୍ଡିଙ୍ଗ କମିଟି ପରିକଳ୍ପନା କରାଯାଇଥିବା କାର୍ଯ୍ୟର ସଠିକ ଭାବେ ପର୍ଯ୍ୟାଲୋଚନା କରିନାହାଁନ୍ତି ।
ସେହିଭଳି ପାନୀୟ ଜଳ ମାନ ପରୀକ୍ଷା ଲାଗି ନମୂନା କେନ୍ଦ୍ର ନଥିବା ନେଇ ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ସରକାର ପାନୀୟ ଜଳକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା କହୁଥିବାବେଳେ ଏକ୍ଷେତ୍ରରେ ଟାର୍ଗେଟ୍ ପୂରଣ କରିବାରେ ବିଫଳ ହୋଇଛନ୍ତି । ୨୦୧୭ ସୁଦ୍ଧା ୩୫% ପରିବାରକୁ ଜଳ ଯୋଗାଣ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୩.୭୦% ପରିବାରକୁ ଜଳଯୋଗାଣ ପାଇଁ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର । ଭୂପୃଷ୍ଠ ଜଳ ଆଧାରିତ ପାଇପ ଯୋଗେ ଜଳ ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ଘୋଷଣା କରାଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ୧୫,୩୫୭ ପାଇପ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୧,୪୭୧ ଅର୍ଥାତ ୯.୫୮% ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ସେହିଭଳି ପାନୀୟ ଜଳର ମାନ ନିର୍ଦ୍ଧାରଣ ପାଇଁ ୩୧୭ ନମୂନା ପରୀକ୍ଷା କେନ୍ଦ୍ରର ଆବଶ୍ୟକତା ଥିବା ବେଳେ ମାତ୍ର ୭୭ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ହୋଇଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।
ଏହାଛଡା କାରାଗାର ମାର୍ଗଦର୍ଶିକା ବା ଜେଲ୍ ମାନୁ୍ୟଆଲ୍ ସଠିକ୍ଭାବେ ଅନୁସରଣ କରାଯାଉନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତ୍ରୟୋଦଶ ଅର୍ଥ କମିଶନଙ୍କଠାରୁ ମିଳିଥିବା ୭୫ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଗୃହ ବିଭାଗ ଦାଖଲ କରିପାରିନଥିବାରୁ କେନ୍ଦ୍ର ସରକାର ୨୫ କୋଟି ଟଙ୍କା ପ୍ରଦାନ କରିନାହାନ୍ତି । ଜେଲ୍ର କଏଦୀଙ୍କ ବନ୍ଦୀ ଗୃହରେ ମଧ୍ୟ ଜେଲ୍ ମାନୁ୍ୟଆଲ୍ ଉଲ୍ଲଂଘନ ହୋଇଛି । ୪୭୨ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ୧୯୮୮ ଜଣ ବିଚାରାଧୀନ କଏଦୀଙ୍କୁ କାରାଗାର କର୍ତ୍ତୃପକ୍ଷ ଭିନ୍ନ ଗୃହରେ ନରଖି ଗୋଟିଏ ୱାର୍ଡରେ ରଖିଥିଲେ । ଯାହା ମାନୁ୍ୟଆଲ୍କୁ ବିରୁଦ୍ଧାଚରଣ କରିଛି । ରାଜ୍ୟର ୫ କାରାଗାରରେ ସ୍ଥାପିତ ହୋଇଥିବା ଟୁ-ଜି ଫୋନ ଜାମର ଥ୍ରୀ-ଜି ସିଗ୍ନାଲ୍କୁ ବ୍ଲକ କରିବାରେ ଅସଫଳ ହୋଇଥିଲା । ଫଳରେ ଏବାବଦରେ ହୋଇଥିବା ୩ କୋଟି ୯୧ ଲକ୍ଷ ବ୍ୟୟ ଅଜଥା ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଜେଲ୍ ବାବଦରେ କ୍ରୟ କରାଯାଉଥିବା ସାମଗ୍ରୀର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସିଏଜି । ୫୯ ଲକ୍ଷ ୭୪ ହଜାର ଟଙ୍କା ବ୍ୟୟରେ କ୍ରୟ କରାଯାଇଥିବା ୮୭୩ ୱାକି-ଟକି ମଧ୍ୟରୁ ୨୫୭ କିଣା ହେବା ଦିନରୁ ଅକାମି ହୋଇ ରହିଛି । ରାଜ୍ୟର ୧୧ କାରାଗାର ପାଇଁ କ୍ରୟ କରାଯାଇଥିବା ୨୩୪ ରାଇଫଲ ମଧ୍ୟରୁ ୯୬ କାର୍ଯ୍ୟପୋଯୋଗୀ ନଥିଲା । ରାଜ୍ୟର ୫ କାରାଗାରକୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଯୋଗାଇ ଦିଆଯାଇନଥିଲା । ଯଥେଷ୍ଟ ସୁରକ୍ଷା ଅଭାବରୁ ୨୦୧୪-୧୭ ମଧ୍ୟରେ ୨୧ଜଣ ବନ୍ଦୀ ଫେରାର ହେବାରେ ସକ୍ଷମ ହୋଇଛନ୍ତି ।

ସେଆର କରନ୍ତୁ:



Powered by odothemes.com