banpur-1

ଏସିଆର ବୃହତ୍ତମ ଜଙ୍ଗଲ ବରବରା ଧ୍ୱଂସମୁଖୀ

56

ବାଣପୁର (ଆପ୍ର): ଏସିଆ ମହାଦେଶର ସର୍ବବୃହତ୍ ଶାଳ ଶାଗୁଆନ ଜଙ୍ଗଲ ଦାମିଆ ବରବରା । କଥିତ ଅଛି, ୧୮୯୫ରେ ଏହି ଜଙ୍ଗଲ ପ୍ରତିଷ୍ଠା କରିଥିଲେ ବ୍ରିଟିଶ ସରକାର । ପୂର୍ବରୁ ବରବରାର ସୁରକ୍ଷା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ । କିନ୍ତୁ କିଛି ବର୍ଷ ହେଲା ସୁରକ୍ଷାରେ ଶିଥିଳତା ପରିଲକ୍ଷିତ ହେବା ସହିତ ପ୍ରଶାସନିକ ଅବହେଳା ଏହାକୁ ଧ୍ୱଂସମୁଖୀ କରିଛି । କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀ-କାଠ ମାଫିଆ ମଧୁଚନ୍ଦ୍ରିକା ଦାମିଆ ବରବରାକୁ ମରୁଭୂମିରେ ପରିଣତ କରିବାକୁ ଯାଉଛି । ଏପରିକି ସୁରକ୍ଷା ଲାଗି ଚିନ୍ତିତ ସ୍ଥାନୀୟ ଆଦିବାସୀ ପ୍ରଶାସନ ନିକଟରେ କାଠ ମାଫିଆଙ୍କୁ ଦମନ ଲାଗି ଯେତେ ଦାବିକଲେ ମଧ୍ୟ ତାହା ଫଳପ୍ରଦ ହେଉନି । ବିଭିନ୍ନ ସମୟରେ ଜଙ୍ଗଲ ଜମିକୁ ନେଇ ଆଦିବାସୀ ଓ ବନ ବିଭାଗ ମଧ୍ୟରେ ଦେଖାଯାଇଛି ବିବାଦ । ଅଭିଯୋଗ କଲେ ଆଦିବାସୀଙ୍କୁ ବନ ବିଭାଗ କର୍ମଚାରୀ ଧମକ୍ ଦେଇ ସେମାନଙ୍କଠାରୁ ଜଙ୍ଗଲ ଜମି ଛଡାଇ ନେଉଛନ୍ତି ।
ବରବରାର ସୁରକ୍ଷାରେ ହେଉଥିବା ତ୍ରୁଟି ବିଚୁ୍ୟତିକୁ ବିରୋଧ ଆଦିବାସୀଙ୍କ ଫସଲ ଉଜାଡି ଦେଇ ମୋକଦ୍ଦମାରେ ଫସାଇ ଦେବାକୁ ଧମକ ମିଳୁଛି ।କେତେକ ଅସାଧୁ କର୍ମଚାରୀ ଅର୍ଥ ରୋଜଗାର ଲାଗି ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ନିର୍ଦ୍ଦିଷ୍ଟ କାଠ ମାଫିଆଙ୍କ ସହିତ ସଲାସୁତୁରା ହୋଇ ପ୍ରତ୍ୟହ ଯାନବାହନରେ ବରବରା ସ୍ଥିତ ରିସର୍ଚ୍ଚ ସେଣ୍ଟରରୁ କାଠ ଚୋରା ଚାଲାଣ କରୁଛନ୍ତି । ଏହି ଅସାଧୁ ବନ କର୍ମଚାରୀଙ୍କ ସାହାଯ୍ୟ ପାଇ ସଂରକ୍ଷିତ ଜଙ୍ଗଲରେ କାଠ ମାଫିଆ ପ୍ରବେଶ କରି ଜଙ୍ଗଲ ଲୁଟ କରୁଛନ୍ତି । ମାଫିଆମାନେ ଚୋରା କାଠକୁ ପାଞ୍ଚ ନମ୍ବର କଙ୍କାଣି ରାସ୍ତା ଓ ଅନ୍ୟବାଟ ଦେଇ ଚାଲାଣ କରୁଥବବା ସୂଚନା ମିଳିଛି । ଏ ସଂପର୍କରେ ସ୍ଥାନୀୟ ଫରେଷ୍ଟରଙ୍କୁ ପଚାରିବାରେ ସେ କୁହନ୍ତି, ସେପରି କିଛି ଘଟୁନି, କାଁ ଭାଁ କେତେବେଳେ କିଏ ନେଉଥିବ । ବିଭାଗୀୟ ଗାଡ଼ିରେ ଯାହାକିଛି ଯାଉଛି ବୋଲି ସେ କହିଥିôଲେ । ଏଥିରୁ ବିଭାଗୀୟ ଅଧିକାରୀ ଜଙ୍ଗଲ ଲୁଟ୍କୁ ହାଲକା ଭାବେ ନେଉଥିବା ସାଧାରଣରେ ଆଲୋଚନା ଜୋର୍ ଧରିଛି । ଅନ୍ୟପକ୍ଷରେ ଏକାଧିକ ଗାଡ଼ିରେ କାଠ ବୁହା ହେଉଥିବା ବେଳେ ଏହା ପ୍ରକୃତରେ ସରକାରୀ ଡିପୋକୁ ଯାଉଛି ନାଁ ଆଉ କୁଆଡ଼େ ଯାଉଛି ତାହା ତଦନ୍ତ ସାପେକ୍ଷ ।




Powered by odothemes.com