triple

ଟ୍ରିପଲ୍ ତଲାକ୍ ଅଧ୍ୟାଦେଶକୁ ମଞ୍ଜୁରୀ

65

ହାଇକୋର୍ଟ ଯିବ ଏଆଇଏମ୍ପିଏଲ୍ବି
ନୂଆଦିଲ୍ଲୀ, ୧୯ା୯: ଟ୍ରିପଲ ତଲାକ୍ ଅଧ୍ୟାଦେଶକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ରାଷ୍ଟ୍ରପତିଙ୍କ ମୋହର ପରେ ଏହା କାର୍ଯ୍ୟକାରୀ ହେବ । କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ‘ମୁସ୍ଲିମ୍ ୱିମେନ୍ ପ୍ରୋଟେକ୍ସନ୍ ଅଫ୍ ରାଇଟ୍ସ ଅନ୍ ମ୍ୟାରେଜ୍ ବିଲ୍’ରେ ଆସିଥିବା ୩ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ମୂଳ ବିଲ୍ରେ ଏହା ଜାମିନବିହୀନ ବ୍ୟବସ୍ଥା ଥିଲା । ସଂଶୋଧନ ଅନୁଯାୟୀ, ଏବେ ଅଭିଯୁକ୍ତ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଜାମିନ ପାଇଁ ଆବେଦନ କରିବେ । ପୁଲିସ୍ ଏ ସମ୍ପର୍କରେ ଥାନାରେ ଜାମିନ ଦେଇପାରିବନାହିଁ । ଅନ୍ୟତମ ସଂଶୋଧନ ଅନୁଯାୟୀ, ପୁଲିସ୍ କେବଳ ପୀଡିତା କିମ୍ବା ତାଙ୍କର ରକ୍ତସମ୍ପର୍କୀୟ ବା ତା’ର କୌଣସି ସମ୍ପର୍କୀୟ ଯଦି ବିବାହବିଚ୍ଛେଦ ସମ୍ପର୍କରେ ଅଭିଯୋଗ କରନ୍ତି, ତାହା ଗ୍ରହଣ କରାଯାଇପାରିବ । ସେହିଭଳି ତତ୍କ୍ଷଣାତ ଟ୍ରିପଲ ତଲାକ୍କୁ ବୁଝାମଣାଯୋଗ୍ୟ ବୋଲି ସଂଶୋଧନ କରାଯାଇଛି । ମାଜିଷ୍ଟ୍ରେଟ୍ ତାଙ୍କ କ୍ଷମତା ବ୍ୟବହାର କରି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିପାରିବେ । ଯଦି ଉଭୟ ପକ୍ଷ ମାମଲା ପ୍ରତ୍ୟାହାର ନେଇ ମଧ୍ୟ ସ୍ୱାଧୀନ ମତବ୍ୟକ୍ତ କରିପାରିବେ । ସୂଚନାଯୋଗ୍ୟ, ସୁପ୍ରିମ୍କୋର୍ଟ ଗତବର୍ଷ ଅଗଷ୍ଟରେ ଟ୍ରିପଲ ତଲାକ୍କୁ ଅସମ୍ବିଧାନିକ ଓ ବେଆଇନ ବୋଲି ମନ୍ତବ୍ୟ ଦେଇଥିଲେ ।
ଶ୍ରୀ ପ୍ରସାଦ କହିଛନ୍ତି ଯେ କଂଗ୍ରେସ ଏହି ବିଲ୍କୁ ପାରିତ କରିବା ଲାଗି ସଂସଦରେ ସହଯୋଗ କଲାନାହିଁ । ଟ୍ରିପଲ ତଲାକ୍ ବ୍ୟବସ୍ଥା ଏକ ଅମାନବୀୟ ଓ ନିର୍ଦ୍ଦୟ ବ୍ୟବସ୍ଥା । ୨୨ ଦେଶରେ ଏହା ଉପରେ ରୋକ୍ ଲଗାଯାଇଛି । ଭାରତ ଭଳି ଧର୍ମନିରପେକ୍ଷ ରାଷ୍ଟ୍ରରେ ଲିଙ୍ଗଗତ ନ୍ୟାୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ମାତ୍ର ଭୋଟ୍ ବ୍ୟାଙ୍କ ରାଜନୀତି ଯୋଗୁଁ ତାହା କରାଯାଉନଥିଲା । ଏହି ଅଧ୍ୟାଦେଶ ଲିଙ୍ଗଗତ ନ୍ୟାୟ ଦେବା ପାଇଁ ଦେଶର ସ୍ୱାର୍ଥ ଦୃଷ୍ଟିରୁ ଅଣାଯାଇଛି ବୋଲି ମୁଁ ସୋନିଆ ଗାନ୍ଧିଙ୍କୁ ପୁନର୍ବାର ଅନୁରୋଧ କରୁଛି । ଭୋଟ୍ ବ୍ୟାଙ୍କ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ମହିଳାମାନଙ୍କ ନ୍ୟାୟିକ ସ୍ୱାର୍ଥ ଲାଗି ଦୃଷ୍ଟି ଦେଇ ଏହାକୁ ପାରିତ କରିବା ପାଇଁ ମୁଁ ଅନୁରୋଧ କରୁଛି । ଏହି ବିଲ୍କୁ ରାଜ୍ୟସଭାରେ ପାରିତ ନହୋଇପାରିବାରୁ ସରକାର ଅଧ୍ୟାଦେଶ ଆଣିଛନ୍ତି । ଲୋକସଭାର ଶୀତ ଅଧିବେଶନରେ ଏହା ପାରିତ ହୋଇଥିଲା । ମାତ୍ର ରାଜ୍ୟସଭାରେ ଏହା ପାରିତ ହୋଇପାରିନଥିଲା ।
ଅଲ୍ ଇଣ୍ଡିଆ ମୁସ୍ଲିମ୍ ପର୍ସନାଲ୍ ଲ’ ବୋର୍ଡ (ଏଆଇଏମ୍ପିଏଲ୍ବି) ଅଧ୍ୟାଦେଶ ବିରୋଧରେ କୋର୍ଟକୁ ଯିବ ବୋଲି ସୂଚନା ଦେଇଛି । କାରଣ ଏହାକୁ ଏକ ଦଣ୍ଡନୀୟ ଅପରାଧ ବୋଲି ଅଧ୍ୟାଦେଶ ଅଣାଯାଇଛି । ଏଆଇଏମ୍ପିଏଲ୍ବିର ମୁଖପାତ୍ର ମୌଲାନା ଖଲିଦ୍ ସୈଫୁଲ୍ଲା ରହମାନି କହିଛନ୍ତି ଯେ ସରକାର ଅଧ୍ୟାଦେଶ ଆଣି ପ୍ରସ୍ତାବିତ ବିଲ୍କୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିଛନ୍ତି । ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ । ବୋର୍ଡର ବିଧି କମିଟି ଅଧ୍ୟାଦେଶର ପ୍ରତ୍ୟେକଟି ଧାରା ସମ୍ପର୍କରେ ତର୍ଜମା କରିବ । ଏହା ମହିଳା ବିରୋଧୀ ବିଲ୍ ବୋଲି ସେ କହିବା ସହ ଦେଶବ୍ୟାପୀ ମୁସ୍ଲିମ୍ ମହିଳାମାନେ ଏହାର ବିରୋଧ କରିବେ । ଏହା ବିରୋଧରେ ମଧ୍ୟ ଆମେ କୋର୍ଟକୁ ଯିବୁ । ବୋର୍ଡର କାର୍ଯ୍ୟକାରୀ କମିଟି ଏ ସମ୍ପର୍କରେ ନିଷ୍ପତ୍ତି ନେଇସାରିଛନ୍ତି । ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ରାସ୍ତା ଗ୍ରହଣ କରି ସରକାର ଏହା କରିଛନ୍ତି । ଯଦି ମୌସୁମୀ ଅଧିବେଶନରେ ଏହା ପାରିତ ହୋଇନପାରିଲା, ତାହେଲେ ଶୀତ ଅଧିବେଶନରେ ଏ ସମ୍ପର୍କରେ ଆଲୋଚନା ହୋଇପାରିଥାନ୍ତା ବୋଲି ସେ କହିଛନ୍ତି । ସମସ୍ତ ବିରୋଧୀ ଦଳ ଓ ମୁସ୍ଲିମ୍ ସଂଗଠନଗୁଡିକ ଏହି ବିଲ୍କୁ ସଂସଦର ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଥିଲେ । ମାତ୍ର ତାହା ହେଲାନାହିଁ । କୋଟି କୋଟି ମୁସ୍ଲି୍ମ ମହିଳାମାନେ ଏହାକୁ ବିରୋଧ କରୁଛନ୍ତି ।
ଅପରପକ୍ଷରେ ଅଧ୍ୟାଦେଶ ଅଣାଯିବା ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲ କହିଛନ୍ତି ଯେ ମୋଦି ସରକାର ମୁସ୍ଲିମ୍ ମହିଳାଙ୍କୁ ଅଧିକାର ଦେବା ସପକ୍ଷରେ ନାହାନ୍ତି । କେବଳ ଏହି ପ୍ରସଙ୍ଗରେ ରାଜନୀତି କରୁଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଲୋକସଭାରେ ବିଲ୍ଟି ପାସ୍ ହୋଇଥିବା କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ପାଇଁ ରାଜ୍ୟସଭାରେ ଅଟକି ରହିଛି ।

ସେଆର କରନ୍ତୁ:



Powered by odothemes.com