biajayant

ଅଡୁଆରେ ବୈଜୟନ୍ତ

37

ହେଲିକପ୍ଟର ଉଡ଼ାଣ, ଅଣଓଡ଼ିଆ ବନ୍ଧୁଙ୍କ ଅପଶବ୍ଦ
ଭୁବନେଶ୍ୱର, ୧୮ା୯(ବୁ୍ୟରୋ): ଚିଲିକା, ଶ୍ରୀମନ୍ଦିର, କୋଣାର୍କ ଓ ଶିମିଳିପାଳ ଉପରେ ନିଜର ଅଣ ଓଡିଆ ଦୁଇ ବନ୍ଧୁଙ୍କୁ ଧରି ହେଲିକପ୍ଟର ଉଡାଇ ଅଡୁଆରେ ପଡିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ନିଷିଦ୍ଧାଞ୍ଚଳରେ ହେଲିକପ୍ଟର ଉଡାଇବା ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ତାଙ୍କର ବନ୍ଧୁ ଅଭିଜିତ୍ ଆୟାର ମିତ୍ର କୋଣାର୍କର କାରୁକାର୍ଯ୍ୟ ଓ ଶ୍ରୀମନ୍ଦିର ଉପରେ ଦେଇଥିବା ଅରୁଚିକକର ମନ୍ତବ୍ୟ ନେଇ ଏବେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବୈଜୟନ୍ତଙ୍କ ହେଲିକପ୍ଟର ୧୫ ତାରିଖ ଦିନ ଗରଦପୁର, ରାଜହଂସ, କୋଣାର୍କ ଓ ପୁରୀ ଯିବାକୁ ଅନୁମତି ପାଇଥିଲେ । କିନ୍ତୁ ବେଆଇନଭାବେ ସେ ଚିଲିକା ଓ ଶିମିଳିପାଳ ଉପରେ ବିମାନ ଉଡାଇଥିବା ସୂଚନା ମିଳିଛି । ଏପରିକି ଚିଲିକାରେ ଅବତରଣ କରାଇଥିବା ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି । ଫଳରେ ଚିଲିକାରେ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକମାନେ ବେଶ୍ ଆତଙ୍କିତ ହୋଇପଡିଥିଲେ । ପୁଲିସ୍ ପକ୍ଷରୁ ବୈଜୟନ୍ତ ଓ ଇମ୍ଫାକୁ ନୋଟିସ୍ କରାଯାଇଛି । ଏହାଛଡା ବିମାନରେ ଥିବା ଦୁଇ ଯାତ୍ରୀଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି ।
ବିମାନବନ୍ଦର ନିଦେ୍ର୍ଦଶକଙ୍କ କହିବା ଅନୁଯାୟୀ, ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣ ପାଇଁ ଅନୁମତି ନେଇ ସକାଳ ୮ଟା ୪୬ରୁ ବାହାରିଥିଲା ଓ ୧ଟା ୨୬ରେ ଫେରିଥିଲା । ଭୁବନେଶ୍ୱରରୁ ରାଜହଂସ, ପୁରୀ, କୋଣାର୍କ, ଗରଦପୁର ଓ ଜଗନ୍ନାଥପୁର ଦେଇ ପୁଣି ଭୁବନେଶ୍ୱର ଫେରିଥିଲା । ଅନୁମତି ନଥାଇ ଚିଲିକାର ଅଳ୍ପ ଉଚ୍ଚତାରେ ବିମାନ ଉଡାଇବା ଅଭିଯୋଗରେ ତାଙ୍କୁ ନୋଟିସ୍ ହୋଇଛି । ବ୍ଲାକ୍ ବକ୍ସରୁ ଉଡାଣର ସୂଚନା ପାଇଁ ଡିଜିସିଏ ତଥ୍ୟ ମାଗିଛି । ବିମାନ ପୁରୀ ଓ କୋଣାର୍କ ମନ୍ଦିର ଉପରେ ଉଡିଥିବା ଓ ଶିମିଳିପାଳ ଯାଇଥିବା କଥାକୁ ଏଥିରେ ଥିବା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ସୋସିଆଲ୍ ମିଡିଆରେ ପୋଷ୍ଟ କରି ପ୍ରମାଣିତ କରିଛନ୍ତି । ଆକାଶ ମାର୍ଗରୁ ସେ ଶ୍ରୀମନ୍ଦିରର ଫଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ସହ କୋଣାର୍କ ସମ୍ପର୍କରେ ମଧ୍ୟ ଅରୁଚିକର ମନ୍ତବ୍ୟ ଦେଇଛନ୍ତି । ଶିମିଳିପାଳର ଝରଣାର ଫଟୋ ସେ ପୋଷ୍ଟ କରିଛନ୍ତି । ଏହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସେଆର କରନ୍ତୁ:



Powered by odothemes.com