DSC_0325

ଗୃହରେ ଝଡ଼

56

ଓଡ଼ିଶାର ଅସ୍ମିତାକୁ ଅପମାନ
ଭୁବନେଶ୍ୱର, ୧୮ା୯ (ବୁ୍ୟରୋ): ଚିଲିକା, ଶ୍ରୀମନ୍ଦିର ଓ କୋଣାର୍କ ଉପରେ ହେଲିକପ୍ଟର ଉଡ଼ାଇବା ଏବଂ କୋଣାର୍କ ମନ୍ଦିର ଓ ପୁରୀ ଶ୍ରୀମନ୍ଦିର ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ ନେଇ ଆଜି ବିଧାନସଭାରେ ହୁଲୁସ୍ତୁଲ ହୋଇଛି । ପୁରୀ କୋଣାର୍କ ହେଉଛି ଓଡ଼ିଶା ସ୍ୱାଭିବାନ ପ୍ରତୀକ । ଏହାକୁ ନିନ୍ଦିତ କରି ଯେଉଁମାନେ ମନ୍ତବ୍ୟ ଦେଇଛନ୍ତି । ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାନସଭାରେ ଦାବି ହୋଇଛି । ଏଭଳି ଜଣେ ସ୍ୱାଭିମାନୀ ଓଡ଼ିଆ ଏଭଳି ମନ୍ତବ୍ୟକୁ କଦାପି ବରଦାସ୍ତ କରିପାରିବ ନାହିଁ ବୋଲି ବିଧାୟକମାନେ ମତ ଦେଇଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡ଼ି, କଂଗ୍ରେସ ଓ ବିଜେପି ସଦସ୍ୟମାନେ ପୃଥକ୍ ପୃଥକ୍ ଦାବି ନେଇ ହଟ୍ଟଗୋଳ ଆରମ୍ଭ କରିଥିଲେ । ବିଜେଡ଼ି ପକ୍ଷରୁ ଚିଲିକା ଉପରେ ହେଲିକପ୍ଟର ଉଡାଯିବା ଓ ଏହା ଅବତରଣ କରାଯିବା ଏବଂ ଜୈନିକ ଅଭିଜିତ ଆୟାର କୋଣାର୍କ ଓ ଶ୍ରୀମନ୍ଦିର ସମ୍ପର୍କରେ ଦେଇଥିବା ଆପତ୍ତି ଜନକ ମନ୍ତବ୍ୟକୁ ବିରୋଧ କରି ଏହାର ତଦନ୍ତ ଦାବି କରିଥିଲେ । କଂଗ୍ରେସ ସଦସ୍ୟମାନେ ଓକିଲଙ୍କ ଆନେ୍ଦାଳନକୁ ପ୍ରସଙ୍ଗ କରିଥିବାବେଳେ ବିଜେପି ବିଧାୟକମାନେ ସମବାୟ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଥିଲେ । ତେବେ ହଟ୍ଟଗୋଳ ଯୋଗୁଁ ଗୃହର କାର୍ଯ୍ୟକୁ ସାଢ଼େ ୧୧ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା । ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ ଯେ, ଜଣେ ବ୍ୟକ୍ତି ଏକ ହେଲିକପ୍ଟରରେ ଶ୍ରୀମନ୍ଦର ଓ କୋଣାର୍କ ଉପରେ ଉଡ଼ି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଜଣକ ଆର୍ଏସ୍ଏସ୍ର । ସେ ସାମ୍ପ୍ରଦାୟିକତା କଥା ଉଠାଇଛନ୍ତି । ତାଙ୍କୁ ଜଣେ ଆମ ରାଜ୍ୟର ରାଜନେତା ସାଙ୍ଗରେ ନେଇ ଯାଇଥିଲେ । ଯଦି ଏହା ସତ୍ୟ ହୋଇଥାଏ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । କୋଣାର୍କ ମନ୍ଦିରର କଳା ଓ ଭାସ୍କର୍ଯ୍ୟକୁ ମୁସଲିମ୍ ମାନସିକତା ବୋଲି କହିବା ସହ ଶ୍ରୀମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀ ବୋଲି କହିଛନ୍ତି । ତାହାଛଡ଼ା ତାଙ୍କୁ ଯିଏ ସାଙ୍ଗରେ ନେଇ ଯାଇଥିଲେ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ । ବିଜେଡ଼ି ବିଧାୟକ ସଞ୍ଜୟ ଦାସବର୍ମା ଆଲୋଚନା ଆରମ୍ଭ କରି କହିଥିଲେ ଯେ, ଚିଲିକାର ସୌନ୍ଦର୍ଯ୍ୟ ଏହାର ଜୈବ ବିବିଧତା ପର୍ଯ୍ୟଟକଙ୍କୁ ସର୍ବଦା ଆକୃଷ୍ଟ କରିଥାଏ । ସ୍ୱର୍ଗୀୟା ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଥିବା ସମୟରେ ନଳବଣକୁ ଅଭୟାରଣ୍ୟ ଘୋଷଣା କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଆଇଏନ୍ଏସ୍ ଚିଲିକା ସ୍ଥାପନ କରିଥିଲେ ।
ଦୁଇଲକ୍ଷ ମତ୍ସ୍ୟଜୀବୀ ଚିଲିକା ଉପରେ ନିର୍ଭରଶୀଳ । ବିଜୁ ବାବୁ ଚିଲିକା ହ୍ରଦର ପୁନଃରୁଦ୍ଧାର ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରିଥିଲେ । ମାତ୍ର ତିନିଦିନ ତଳେ ଚିଲିକା ଉପରେ ହେଲିକପ୍ଟର ଉଡୁଥିବା ସ୍ଥାନୀୟ ଲୋକ ଦେଖିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଶିପକୁଦ ଠାରେ ଏହା ଅବତରଣ ମଧ୍ୟ କରିଥିଲା । ୧୫ମିନିଟ୍ ସେଠି ରହିଥିଲା । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ଏହି ହେଲିକପ୍ଟର ବୋଲି ଜଣାପଡ଼ିଛି । ତେବେ ତାଙ୍କ ସାଙ୍ଗରେ ଅଭିଜିତ ଆୟାର ଯାଇଥିଲେ । ସେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି । ଏ ଜାତି, ଏ ମାଟି କୋଣାର୍କ ଓ ଶ୍ରୀମନ୍ଦିର ପାଇଁ ଗର୍ବ କରେ । ମୁସଲିମ୍ମାନେ ଏହି ମନ୍ଦିର ତିଆରି କରିଛନ୍ତି ବୋଲି ସେ ମନ୍ତବ୍ୟ ଦେଇ ସାମ୍ପ୍ରଦାୟିକତାର ମଞ୍ଜି ବୁଣିଛନ୍ତି । ଅଯୋଧ୍ୟାରେ ଯେଉଁ ରାମ ମନ୍ଦିର ତିଆରି ହେବ ସେଥିରେ ଏଭଳି କାରୁକାର୍ଯ୍ୟ ରହିବ ନାହିଁ ବୋଲି ସେ କହିଛନ୍ତି । ଏହାଛଡ଼ା ପୁରୀକୁ ଏକ ପର୍ଯ୍ୟଟନ ସ୍ଥଳ ବୋଲି କହିଛନ୍ତି । ଯାହା କୋଟି କୋଟି ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି କୁଠାରଘାତ କରିଛି । ଜଣେ ସ୍ୱାଭିମାନୀ ଓଡ଼ିଆ ଏହାକୁ ବରଦାସ୍ତ କରିବ ନାହିଁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂଦେଓ କହିଛନ୍ତି ଯେ, ଅଭିଜିତ ଆୟର ନାମକ ବ୍ୟକ୍ତି ବିଜେପି କିମ୍ବା ଆର୍ଏସ୍ଏସ୍ର ନୁହଁନ୍ତି । ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ସହ ତାଙ୍କର ସମ୍ପର୍କ ନାହିଁ । ସେଠି ରାମଲାଲା ଟ୍ରଷ୍ଟ ରାମ ମନ୍ଦିର ନିର୍ମାଣ କରିବ । ତେବେ ଯଦି ଓଡ଼ିଶା କୋଣାର୍କ ଓ ଶ୍ରୀମନ୍ଦିର ପ୍ରତି ସେ ଦେଇଥିବା ମନ୍ତବ୍ୟ ଯଦି ସତ୍ୟ ହୋଇଥାଏ ଆମେ ତାକୁ ବିରୋଧ କରୁଛୁ । ସେହିଭଳି ଡିଜିସିଏଙ୍କ ଠାରୁ ତଥ୍ୟ ମଗାଯାଉ । ପ୍ରକୃତରେ ବିମାନ ଅବତରଣ କରିଛି କି ନାହିଁ ତାହା ଅନୁଧ୍ୟାନ ହେଉ । ପାଣିରେ ଶବ୍ଦ ପ୍ରଦୂଷଣ ବହୁତ ହୋଇଥାଏ । ତେଣୁ ଚିଲିକାରେ ଚାଲୁଥିବା ମଟର ବୋଟ୍ ଚଳାଚଳକୁ ନିଷିଧ କରିବା ପାଇଁ ବିଧାୟକ ଦାବି କରିବେ ବୋଲି ସେ ପ୍ରଶ୍ନ କରିଥିଲେ ।
ସେ ଭଳି ବିଧାୟକ ସମୀର ଦାସ କହିଥିଲେ ଯେ ବିଜେପି ବିଧାୟକମାନେ ଶ୍ରୀମନ୍ଦିର ଓ କୋଣାର୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ପରୋକ୍ଷରେ ସମର୍ଥନ କରୁଛନ୍ତି । ସେଠିକାର ଜୈବବିବିଧତା ନଷ୍ଟ ହେବାକୁ ଦିଆଯିବ ନାହିଁ । ସେଭଳି ବିଧାୟକ କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, କୋଣାର୍କ ପ୍ରତି ଏଭଳି ମନ୍ତବ୍ୟ ଦୁଃଖଦାୟକ । ଏହାକୁ ଗୃହ ନିନ୍ଦା କରିବା ଉଚିତ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ଯେଉଁମାନେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍ସେଙ୍କୁ ସମର୍ଥନ କରନ୍ତି ସେମାନଙ୍କ ହାତରେ ଏବେ ଦେଶ ପରିଚାଳିତ ହେଉଛି । ୪ବର୍ଷ ମଧ୍ୟରେ କିଛି କରିପାରିନଥିବାରୁ ଏବେ ସାମ୍ପ୍ରଦାୟିକ ବିଧ୍ୱସର ମଞ୍ଜି ବୁଣିବାକୁ ଚେଷ୍ଟା କରୁଛନ୍ତି । କୋଣାର୍କ ନିକଟରେ ଠିଆ ହୋଇ ଜଣେ ଲୋକ ଆସି ସାମ୍ପ୍ରଦାୟିକର କଥା କହିଛି । ଓଡ଼ିଶାରେ ଏହାକୁ ବରଦାସ୍ତ କରାଯିବ ନାହିଁ । ଯେତେ ଚାହିଁଲେ ବି ସେମାନେ ଧର୍ମ ନିରପେକ୍ଷତାକୁ ନଷ୍ଟ କରିପାରିବେ ନାହିଁ । ମହାପ୍ରଭୂ ଜଗନ୍ନାଥ ହେଉଛନ୍ତି ସର୍ବଧର୍ମ ସମନ୍ୱୟର ପ୍ରତୀକ । ଧର୍ମନିରପେକ୍ଷତାରେ ଆମେ ବି ବିଶ୍ୱାସ କରୁ । ଯିଏ ଏହି ମନ୍ତବ୍ୟ ଦେଇଛି ଓ ଯିଏ ତାଙ୍କୁ ସାଙ୍ଗରେ ନେଇ ଯାଇଥିଲା । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ମଧ୍ୟ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ।




Powered by odothemes.com