bullet-train

ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ଚାଷୀଙ୍କ ବିରୋଧ

29

ଅହମ୍ମଦାବାଦ୍, ୧୮ା୯: ମୁମ୍ବାଇ-ଅହମ୍ମଦାବାଦ୍ ମଧ୍ୟରେ ପ୍ରସ୍ତାବିତ ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ହଜାରେରୁ ଊଦ୍ଧ୍ୱର୍ ଚାଷୀ ବିରୋଧ କରିଛନ୍ତି । ଗୁଜରାଟ ହାଇକୋର୍ଟରେ ଆଜି ପୃଥକ ପୃଥକଭାବେ ସେମାନେ ସତ୍ୟପାଠ ଦାଖଲ କରିଛନ୍ତି । ମୁଖ୍ୟ ବିଚାରପତି ପି. ସୁବାଷ ରେଡ୍ଡୀ ଓ ଜଷ୍ଟିସ୍ ଭିଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଅଭିଯୋଗ ଅନୁଯାୟୀ ପ୍ରସ୍ତାବିତ ବୁଲେଟ ଟ୍ରେନ୍ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ଚାଲିଛି । ଏହି ଜମି ଅଧିଗ୍ରହଣକୁ ଚାଷୀମାନେ ବିରୋଧ କରୁଛନ୍ତି । ୧.୧୦ ଲକ୍ଷ କୋଟି ଟଙ୍କା ବିନିମୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେବ । ଗୁଜରାଟର ବିଭିନ୍ନ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀମାନେ ଦର୍ଶାଇଛନ୍ତି ଯେ ତାଙ୍କ ଅଞ୍ଚଳ ଦେଇ ଏହି ପ୍ରକଳ୍ପ ଯିବ । ମାତ୍ର ଏହି ପ୍ରକଳ୍ପ ଲାଗି ସେମାନେ ଜମି ଦେବାକୁ ଚାହୁଁନାହାନ୍ତି । ସେମାନେ ଉଲ୍ଲେଖ କରିଛନ୍ତି ଯେ ଜାପାନ ଇଣ୍ଟରନ୍ୟାସ୍ନାଲ୍ କୋଅପରେସନ୍ ଏଜେନ୍ସି (ଜାଇକା) ଏଥିଲାଗି ଭାରତ ସରକାରଙ୍କୁ କମ୍ ସୁଧରେ ଋଣ ପ୍ରଦାନ କରୁଛି । ତେବେ ଜାଇକା ଏଥିରେ ଅଂଶଗ୍ରହଣ କଲାପରେ ଗୁଜରାଟ ସରକାର ଜମି ଅଧିଗ୍ରହଣ ଆଇନ-୨୦୧୩କୁ ପରିବର୍ତ୍ତନ କରିଛନ୍ତି । ୨୦୧୫ ସେପ୍ଟେମ୍ବରରେ ଏଥିପାଇଁ ଜାଇକା ସହ ଚୁକ୍ତି ସ୍ୱାକ୍ଷର ହୋଇଛି । ତେବେ ଜମି ଅଧିଗ୍ରହଣ ପୂର୍ବରୁ ସେମାନଙ୍କ ସହମତି ନିଆଯାଇନାହିଁ କିମ୍ବା ସେମାନଙ୍କ ସହ ବିଚାରବିମର୍ଶ କରାଯାଇନାହିଁ । ଏହି ପ୍ରକଳ୍ପ ଯୋଗୁଁ ଯେଉଁମାନେ ବିସ୍ଥାପିତ ହେବେ ସେମାନଙ୍କ ଥଇଥାନ ଲାଗି ସରକାରଙ୍କ ପକ୍ଷରୁ କୌଣସି ଆଲୋଚନା କରାଯାଇନାହିଁ କି ପ୍ରତିଶ୍ରୁତି ମଧ୍ୟ ଦିଆଯାଇନାହିଁ । ତେବେ ଶୁଣାଣି ସମୟରେ କେନ୍ଦ୍ର ସରକାର ଏହାର ଜବାବ୍ ଦେବା ପାଇଁ ଅଧିକ ସମୟ ଲୋଡିଥିଲେ । ସୂଚନାଯୋଗ୍ୟ, ଅଗଷ୍ଟ ୧୦ ତାରିଖରେ ସୁପ୍ରିମ୍କୋର୍ଟ ଗୁଜରାଟ ହାଇକୋର୍ଟକୁ ନିଦେ୍ର୍ଦଶ ଦେଇଥିଲେ ଯେ ବୁଲେଟ୍ ଟ୍ରେନ୍ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କ ମାମଲାର ଶୁଣାଣି ଶୀଘ୍ର ଶେଷ କରିବା ପାଇଁ । ଚାଷୀମାନଙ୍କ ଓକିଲ ଆନନ୍ଦ ଜାଗ୍ନିକ୍ କହିଛନ୍ତି ଯେ ହାଇକୋର୍ଟ ୫ ସପ୍ତାହ ପାଇଁ ଏବେ ଏହି ମାମଲାର ଶୁଣାଣି ହୋଇପାରିବନାହିଁ । କାରଣ କେନ୍ଦ୍ର ସରକାର ଉତ୍ତର ଦେବାକୁ ୫ ସପ୍ତାହ ସମୟ ମାଗିଛନ୍ତି । ହଜାରେ କ୍ଷତିଗ୍ରସ୍ତ ଚାଷୀ ସୁପ୍ରିମ୍କୋର୍ଟରେ ପ୍ରକଳ୍ପର ସ୍ଥଗିତାଦେଶ ପାଇଁ ଆବେଦନ କରିବେ । ସୁପ୍ରିମ୍କୋର୍ଟରେ ଆସନ୍ତାକାଲି ଏହାର ଆବେଦନ କରାଯାଇ ଜରୁରୀ ଶୁଣାଣି ଲାଗି ଅନୁରୋଧ କରାଯିବ । ଜୁଲାଇରେ ସୁରତ ଜିଲ୍ଲାର ୫ ଜଣ ଚାଷୀ ଦାଖଲ କରିଥିବା ଆବେଦନରେ ଉଲ୍ଲେଖ କରିଥିଲେ ଯେ ଯେହେତୁ ପ୍ରକଳ୍ପଟି ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେଉଛି, ତେଣୁ କେନ୍ଦ୍ର ସରକାର ହିଁ ଜମି ଅଧିଗ୍ରହଣ କରିପାରିବେ । ସେ ହେଉଛନ୍ତି ଏହି ପ୍ରକଳ୍ପ ଲାଗି ପ୍ରକୃତ ସରକାର । ସେହିଭଳି ଜମିର ବଜାର ମୂଲ୍ୟକୁ ମଧ୍ୟ ସଂଶୋଧନ କରାଯାଇନାହିଁ । ଗୁଜରାଟ ସରକାର ଜମି ଅଧିଗ୍ରହଣ ଆଇନକୁ ୨୦୧୬ରେ ସଂଶୋଧନ କରିଛନ୍ତି । ଯାହା ୨୦୧୩ ଆଇନ ତୁଳନାରେ ଦୁର୍ବଳ । ରାଜ୍ୟ ସରକାର ଯେଉଁ ପ୍ରକଳ୍ପ କରିବେ ତାହାର ସାମାଜିକ ପ୍ରଭାବ ଉପରେ ଆକଳନ କରିବା ଆବଶ୍ୟକ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ରାଜ୍ୟ ସରକାର ତାଙ୍କ ଉତ୍ତରରେ ଦେଖାଇଥିଲେ ଯେ ପ୍ରକଳ୍ପ ଲାଗି ମାତ୍ର ୧୭.୫ ମିଟର ଓସାର ଥିବା ଜମିକୁ ପ୍ରକଳ୍ପ ଲାଗି ଅଧିଗ୍ରହଣ କରାଯିବ ।

ସେଆର କରନ୍ତୁ:



Powered by odothemes.com