bjd

ପ୍ରତି ଘରକୁ ଯିବ ମହିଳା ବିଜେଡି

11

ଭୁବନେଶ୍ୱର(ବୁ୍ୟରୋ): ଓଡ଼ିଶା ଅଗ୍ରଗତିରେ କେନ୍ଦ୍ରର ବିଜେପି ସରକାର ବାଧକ ସାଜିଛି । କୌଣସି କ୍ଷେତ୍ରରେ କେନ୍ଦ୍ର ସହଯୋଗ କରୁନି । ଯଦି ଗରିବୀ ଦେଖିବ, ତାହେଲେ ଓଡ଼ିଶାକୁ ଚାଲ ବୋଲି ପ୍ରଧନମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟବାସୀଙ୍କୁ ହତାସ କରିଛି । କେନ୍ଦ୍ର ସରକାରଙ୍କ ଏଭଳି ବିଫଳତା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ନେଇ ପ୍ରତି ମହିଳାଙ୍କ ନିକଟକୁ ଯିବ ବିଜେଡି । ଆସନ୍ତା ୨୪ରୁ ୩୦ ତାରିଖ ଯାଏ ସମସ୍ତ ପଞ୍ଚାୟତ, ବ୍ଲକ୍ ଏବଂ ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ଜନସଚେତନତା ତଥା ମହିଳା ସମାବେଶ କରାଯିବ ବୋଲି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲିକ୍ କହିଛନ୍ତି ।
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମଲିକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସଫଳତାର ବାର୍ତ୍ତା, ଅଧିକରୁ ଅଧିକ ମହିଳାଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ନିମନ୍ତେ ପ୍ରୋତ୍ସାହିତ କରାଇବା, ମହିଳା ଚାଷୀଙ୍କୁ ଓ ଜୀବିକା ନିର୍ବାହରେ ସଫଳ ମହିଳାଙ୍କୁ ସମ୍ମାନ ଦେବା, ମହିଳାଙ୍କ ରାଜନୈତିକ, ସାମାଜିକ ତଥା ସାଂସ୍କୃତିକ କ୍ଷେତ୍ରରେ ସଶକ୍ତିକରଣ, ତୃଣମୂଳ ସ୍ତର ପର୍ଯ୍ୟନ୍ତ ମହିଳାଙ୍କୁ ସଂଗଠିତ କରିବା ଏବଂ ମହାନଦୀ, ପୋଲାଭରମ୍‌ ତଥା ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସଂପର୍କୀୟ ବିଭିନ୍ନ ପ୍ରସଂଗକୁ ଏହି ସମାବେଶ ଦ୍ୱାରା ଘରେ ଘରେ ପହଞ୍ଚାଇବ ବିଜୁ ମହିଳା ଜନତା ଦଳ । ଏହାଛଡ଼ା ଓଡ଼ିଶା ପ୍ରତି କେନ୍ଦ୍ରର ଅବିଚାର, ଭାରତବର୍ଷର ରାଜନୈତିକ ପରିସ୍ଥିତି ଏବଂ ଏଭଳି ପରିସ୍ଥିତିରେ ଓଡ଼ିଶା କେତେ ଲାଭାନ୍ୱିତ ଓ କ୍ଷତିଗ୍ରସ୍ତ ହୋଇଛି, ଓଡ଼ିଶାର ପ୍ରଗତି, ଅଗ୍ରଗତି ଓ ବିକାଶ କେତେ ହୋଇଛି, ବିଶେଷକରି ମହିଳାମାନଙ୍କ ସମାଜ ଗଠନରେ ଅବଦାନ, ଯୋଗଦାନ ଏବଂ ଭବିଷ୍ୟତରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦେବା ଏହି ସମାବେଶର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ରାଜନୀତିରେ ମହିଳାମାନଙ୍କ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ସ୍ୱର୍ଗତ ବିଜୁ ପଟ୍ଟନାୟକ ୩୩ ଭାଗ ସ୍ଥାନ ସଂରକ୍ଷଣ କରିଥିବା ବେଳେ ତାଙ୍କ ପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାକୁ ବୃଦ୍ଧି କରି ୫୦ ପ୍ରତିଶତ ମହିଳା ରାଜନୀତିରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ମହିଳାମାନଙ୍କୁ ରାଜନୈତିକ, ଅର୍ଥନୈତିକ, ସାମାଜିକ କ୍ଷେତ୍ରରେ ଉନ୍ନତ କରିବା ସହ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱୟଂ ସାହାୟିକା ଗୋଷ୍ଠୀ ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥôକ ସହାୟତା ଯୋଗାଇ ଦେଉଛନ୍ତି । ମହିଳାମାନଙ୍କ ପାଇଁ ରାଜ୍ୟରେ ଯେଉଁ ଯୋଜନା କାର୍ଯ୍ୟକାରୀ ହେଉଛି, ସେଥିରୁ ଉପକୃତ ହେବା ପାଇଁ ଆଜି ମହିଳାମାନେ ସଚେତନ ହୋଇପାରିଛନ୍ତି । ମମତା ଯୋଜନାରେ ମହିଳା ଓ ଶିଶୁଙ୍କୁ ସୁରକ୍ଷା, ମହିଳା କୃଷକଙ୍କୁ ରାଜ୍ୟ ସରକାର ସମ୍ମାନିତ କରିବା, ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳାମାନଙ୍କୁ ଘରର ମୁରବୀ ଭାବରେ ମାନ୍ୟତା ପ୍ରଦାନ, ପିଏମ୍‌ଏୱାଇ ଯୋଜନାରେ କାର୍ଯ୍ୟାଦେଶରେ ପରିବାରର ମହିଳାଙ୍କ ନାମ ରହିବା, ଛାତ୍ରୀମାନଙ୍କୁ ସାଇକେଲ୍‌ଠାରୁ ଆରମ୍ଭ କରି ଲାପ୍‌ଟପ୍‌ ପର୍ଯ୍ୟନ୍ତ ଦିଆଯିବା, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୫ ହଜାରରୁ ଊଦ୍ଧ୍ୱର୍ ଛାତ୍ରୀନିବାସ କରିବା, ପ୍ରତ୍ୟେକ ଜିଲ୍ଲାର ଯୋଜନା ବୋର୍ଡରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ରଖାଯିବା ସହ ସଭ୍ୟ ହେବାର ସୁଯୋଗ ଦେବା, ପ୍ରତି ମହିଳାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବା, ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ‘ଓଡ଼ିଶା ଜୀବିକା ମିଶନ’ ଯୋଜନାରେ ସାମିଲ କରି ବୈଷୟିକ ତାଲିମ ଦେବା ଯୋଗୁ ମହିଳାମାନଙ୍କ ବୌଦ୍ଧିକ ବିକାଶ ବୃଦ୍ଧି ପାଇଛି, ଯେଉଁଥିରେ ବିଜେଡି୦ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ ବୋଲି ଉପ-ସଭାନେତ୍ରୀ ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ଓ ସାଧାରଣ ସଂପାଦକ ଡ. ଅରୁଣ କୁମାର ସାହୁ ପ୍ରମୁଖ କହିଥିଲେ ।




Powered by odothemes.com