baliapala

ଟାୟାର ଜାଳି ରାସ୍ତା ଅବରୋଧକଲେ ଗ୍ରାମବାସୀ

20

ପ୍ରତାପପୁର ସିଏଚ୍ସିରେ ଡାକ୍ତର ମରୁଡ଼ି
ବାଲିଆପାଳ,୧୮ ।୯(ଆପ୍ର): ବାଲିଆପାଳ ବ୍ଲକରେ ସ୍ୱାସ୍ଥ୍ୟ ସେବା ଯୋଗାଣ କ୍ଷେତ୍ର୍ରରେ ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ବ୍ଲକରେ ଦୁଇଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ସମସ୍ତ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଜନସାଧାରଣ ଅତିଷ୍ଟ ହୋଇଗଲେଣି । ସ୍ୱାସ୍ଥ୍ୟସେବା ପାଇଁ ବ୍ଲକର ତିନିଲକ୍ଷରୁ ଊଦ୍ଧ୍ୱର୍ ଜନସାଧାରଣ ନିର୍ଭର କରୁଥିବା ବାଲିଆପାଳ ଏବଂ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଚାରୋଟି ଡାକ୍ତର ପଦବୀ ବଦଳରେ ପ୍ରତିଦିନ ଜଣେବି ଡାକ୍ତର ରଖିବାରେ ପ୍ରଶାସନ ବିଫଳ ହୋଇଛନ୍ତି । ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ପୂରଣ ପାଇଁ ଶନିବାର ବରିଷ୍ଠ ନାଗରିକ ମଞ୍ଚ ଏବଂ ସୂଚନା ଅଧିକାର ସଂଘ ପକ୍ଷରୁ ଧାରଣା ପରେ ସିଡିଏମ୍ଓ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକମାତ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ବେଣୁଧର ହୁଇଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନରେ ଡ୍ୟୁଟି କରିବା ପାଇଁ ଦାୟିତ୍ୱ ଦେଇଥିଲେ । ଫଳରେ ଶନିବାର ଠାରୁ ଫ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ପାଇଁ ଅଚଳାବସ୍ଥା ସୃଷ୍ଟି ହୋଇଛି । ସେଠାରେ ଫାର୍ମାସିଷ୍ଟ ଏବଂ ଷ୍ଟାଫନର୍ସମାନେ ରୋଗୀସେବା କରୁଛନ୍ତି ।
ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାରୋଟି ଡାକ୍ତର ପଦବୀ ଥିଲାବେଳେ ଜଣେହେଲେ ଡାକ୍ତର ନଥିବା ସହ ଏହିଭଳି ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ଡାକ୍ତରଖାନାରେ ତାଲା ପକାଇବା ସହ ଡାକ୍ତରଖାନା ସମ୍ମୁଖ କାଳୀପଦା ରାସ୍ତା ଉପରେ ଟାୟାର ଜାଳି ରାସ୍ତାକୁ ଅବରୋଧ କରିଥିଲେ । ସକାଳ ୯ଟାରୁ ଶହ ଶହ ପୁରୁଷ ଓମହିଳା ରାସ୍ତା ଉପରେ ରୁଣ୍ଡ ହୋଇ ବିକ୍ଷୋଭ କରିଥିଲେ । ଖବର ପାଇ ସିଡିଏମଓ ଡା. ବିବେକାନନ୍ଦ ଦାସ, ବାଲିଆପାଳ ଆଇଆଇସି ପାସ୍କଲ ଏକା, ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଶାରଦା ପ୍ରସନ୍ନ ମୁଦୁଲି ପ୍ରମୁଖ ଘଟଣାସ୍ଥଳରେ ପହ‚ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ପ୍ରତାପପୁର ଏବଂ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନାନା ଅବ୍ୟବସ୍ଥା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ସିଡିଏମଓ ଶ୍ରୀ ଦାସ ଆସନ୍ତାକାଲି ଠାରୁ ଡା. ହୁଇ ପ୍ରତାପୁରରେ ପୁନର୍ବାର ଡ୍ୟୁଟିକରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ତେବେ ମିଳିଥିବା ସୂଚନା ଅନୁଯାଇ ସିଡିଏମଓ ଡାକ୍ତର ହୁଇଙ୍କୁ ପୁନର୍ବାର ପ୍ରତାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ଚିଠି କରିଥିବା ବେଳେ ବର୍ତ୍ତମାନ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷ କିମ୍ବା ହୋଇମିଓ ପ୍ୟାଥିକ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।
ଆଜିର ଏହି ଧାରଣାରେ ଦୀପକ ପ୍ରଧାନ, ବସନ୍ତ ବିସି, କୁମୁଦ ରଞ୍ଜନ ବେହେରା, ମନ୍ମଥ ବେହେରା, ଗଣେଶ ସେଠୀ, ସୁବଳ ଗୋଚ୍ଛାୟତ୍ତ, ସୁଶାନ୍ତ ବିଶ୍ୱାଳ, ଝରଣା ଦାସ, ଜାନକୀ ଦାସ, ସୁଲୋଚନା ଜେନା, ଜନ୍ମଜୟ ପାତ୍ର, ଶଙ୍କର୍ଷଣ ଦାସ, ରଘୁନାଥ ପ୍ରଧାନ, କରୁଣାକର ଦାସ, ପ୍ରଦୀପ ପାତ୍ର ସମେତ ଶତାଧିକ ଲୋକେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com