photo--7

ରାସ୍ତା ସାଜିଛି ଝୁଲା ବାଉଁଶ

26

ବର୍ଷା ୪ମାସ ପାଣିରେ ବୁଡ଼ୁଛି ଅଞ୍ଚଳ
ବରୀ(ଆପ୍ର): ସ୍ୱାଧୀନତାର ୭୦ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁ ରାସ୍ତା ସଂଯୋଗୀକରଣ ହୋଇପାରିଲାନି । ଗାଁ ଲୋକେ ନିଜ ଖର୍ଚ୍ଚରେ ବାଉଁଶ ପାଣି ଉପରେ ବାଉଁଶ ବାନ୍ଧି ଯାତାୟତ କରୁଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଅରଙ୍ଗାବାଦ ପଞ୍ଚାୟତ ଫୁଲପୁର ଗାଁରେ ।
ବର୍ଷା ୪ମାସ ଏହି ଗାଁରାସ୍ତାରେ ପାଣି ଜମିଯାଉଥିବାରୁ ଯାତାୟତ ଅସହ୍ୟ ହୋଇପଡ଼ୁଛି । ଯଦି ଏହି ବର୍ଷା ଦିନେ କୌଣସି ଲୋକ ରୋଗରେ ପଡ଼େ, ତେବେ କଥା ସରିଲା । ଗର୍ଭବତୀଙ୍କ ଦୁଃଖ ନକହିବା ଭଲ । ଆଜି ସୁଦ୍ଧା ଗ୍ରାମବାସୀମାନେ ଲୋକପ୍ରତିନିଧି, ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରୀ କରୁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଦେଇ ଚୁପ୍ ରହୁଛନ୍ତି ସରକାରୀବାବୁ ଏବଂ ନେତାମାନେ ।
ଗାଁର ୧ନମ୍ବର ୱାର୍ଡରେ ୧୦ରୁ ୧୫ ପରିବାର ରାସ୍ତା ନଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ବାଉଁଶ ବାଡ଼ ଧରି ଯାତାୟତ କରୁଛନ୍ତି । ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଖୋଦ ଉପକୂଳ ଅଞ୍ଚଳର ବାସ୍ତବ ଚିତ୍ର । ଛୋଟ ଛୋଟ ପିଲାମାନେ ଅଙ୍ଗନୱାଡି ରଜାପୁର-୨ କେନ୍ଦ୍ରକୁ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି । ଏହି କେନ୍ଦ୍ରରେ ୨୭ ପିଲା ପଢୁଥିବାବେଳେ ରାସ୍ତାକୁ ନିଜସ୍ୱ ଖର୍ଚ୍ଚରେ ପିଲାଙ୍କ ଯାତାୟତ ପାଇଁ ତିଆରି କରାଯାଇଛି । ଠିକ୍ ସେହିପରି ରଜାପୁର ୱାର୍ଡ ନଂ୨ର ୪ଟି ପରିବାର ମୁଖ୍ୟ ରାସ୍ତାକୁ ଆସିବାକୁ ହେଲେ ପଟା ଓ ବାଉଁଶବାଡ଼ର ସହାୟତା ଲୋଡ଼ୁଛନ୍ତି । ସ୍ଥାନୀୟ ଅଞ୍ଚଳର ଅକ୍ଷୟ ମଲ୍ଲିକ୍, ସୁର ମଲ୍ଳିକ୍, କବି ମଳିକ ଏବଂ ରବି ମଳିକ ପ୍ରମୁଖ ରାସ୍ତା ସମ୍ପର୍କରେ ଏପରି ଅସହାୟତା ପ୍ରକାଶ କରିଛନ୍ତି । ତେବେ ଅରଙ୍ଗାବାଦ୍ ସରପଞ୍ଚ ଶ୍ରୀଧର ଧଳଙ୍କୁ ପଚାରିବାରେ ରାସ୍ତା ତିଆରି ପାଇଁ ମନରେଗା ଯୋଜନାରେ ପ୍ରକଳ୍ପ ଦିଆଯାଇଛି । ଆଗାମୀ ଦିନରେ ରାସ୍ତା ନିର୍ମାଣ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।
ଅପରପକ୍ଷେ ସ୍ଥାନୀୟଲୋକଙ୍କ କହିବାନୁସାରେ ଏଭଳି କେତେ ଆଗାମୀ ଦିନ ବିତିଗଲାଣି । ହେଲେ ରାସ୍ତା ନିର୍ମାଣ ତ ଦୂରର କଥା ଏ ସମ୍ପର୍କରେ ନିରୀକ୍ଷଣ ପାଇଁ ବି କୌଣସି ବାବୁମାନେ ଆସୁନାହାନ୍ତି ।




Powered by odothemes.com