1-Podi-Hoithiba-Bhabani-Sankar-phulabani

ରାତିଅଧିଆ ଚଢ଼ଉକରି ପୀଡ଼ିତଙ୍କୁ ଉଦ୍ଧାର କଲା ପୁଲିସ୍

24

‘ସର୍ବସାଧାରଣ’ ପ୍ରଭାବ
ଫୁଲବାଣୀ/ବାଲିଗୁଡ଼ା(ବୁ୍ୟରୋ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଭଗାମୁଣ୍ଡା ସାହିର ଦିବ୍ୟାଙ୍ଗ ଭବାନୀଶଙ୍କରଙ୍କୁ ଆରୋଗ୍ୟ କରିବା ଆଳରେ ଗୋଡ଼ ଉପରକୁ କରି ତଳେ ନିଆଁ ଜାଳି ଝୁଣା ଦେବା ଘଟଣାରେ ପୁଲିସ ନିଜଆଡ଼ୁ ମାମଲା ରୁଜୁ କରି ଶୁକ୍ରବାର ୨ଜଣଙ୍କୁ ଗିରଫ କରିଛି । ଗିରଫଦ୍ୱୟ ହେଲେ ଲଲାଟେନ୍ଦୁ ମଲିକ(୨୫) ଓ ମନୋଜ ନାୟକ(୨୬) । ଏ ନେଇ ବାଲିଗୁଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ପାତ୍ର କହିଛନ୍ତି ।
ସୂଚନାଥାଉକି, ୧୪ ତାରିଖ ଦୈନିକ ‘ସର୍ବସାଧାରଣ’ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇବା ପରେ ବାଲିଗୁଡ଼ା ପୁଲିସ ପୀଡ଼ିତ ଭବାନୀଶଙ୍କରଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ହସ୍ପିଟାଲରେ ଭତ୍ତି କରିଥିଲା । ସରକାର ତଥା ଜିଲ୍ଲା ପ୍ରଶାସନ ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚକରି ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ ଚଳାଇଛନ୍ତି । ମାତ୍ର ବାଲିଗୁଡ଼ା ସଦରମହକୁମାରେ ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
ଭଗାମୁଣ୍ଡା ସାହିର ମହାମାୟା ମନ୍ଦିରରେ ଭବାନୀଶଙ୍କର ନନ୍ଦଙ୍କୁ ମୁଣ୍ଡ ତଳକୁ ଓ ଗୋଡ଼ ଉପରକୁ କରି ଟାଙ୍ଗି ଦିଆଯିବା ସହ ତଳେ ଏକ ବଡ଼ କଡ଼େଇରେ ନିଆଁ ଲଗାଇ ସେଥିରେ ଝୁଣା ମରାଯାଇଥିଲା ଏବଂ ଏହାର ଭିଡିଓ ଭାଇରାଲ କରାଯାଇଥିଲା । ଭବାନୀଙ୍କ ଛାତି, ମୁଣ୍ଡ ଓ ଦୁଇ ହାତ ପୋଡ଼ିଯାଇଛି । ଘଟଣାସ୍ଥଳରେ ମନ୍ଦିରର ବଡ଼ ପଣ୍ଡା ଓ କିଛି କର୍ମକର୍ତ୍ତା ଉପସ୍ଥିତ ଥିଲେ ମଧ୍ୟ କେହି ଏହାକୁ ରୋକି ନଥିଲେ । ତେବେ ସବୁଠାରୁ ଅମାନୁଷିକ କଥା ହେଉଛି ଘଟଣାକୁ ସାତ ଦିନ ବିତିଯାଇଥିଲେ ମଧ୍ୟ ଭବାନୀଙ୍କୁ ମେଡିକାଲରେ ଭର୍ତ୍ତି କରାନଯାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉକ୍ତ ମନ୍ଦିରରେ ଲୁୁଚାଇ ରଖାଯାଇଥିଲା । ଏପରିକି ଘଟଣା ବାହାରେ ପ୍ରକାଶ ନକରିବାକୁ ମନ୍ଦିର ସହିତ ଜଡ଼ିତ କେତେକ ବ୍ୟକ୍ତି ଧମକ ଦେଇଥିବା ଅଭିଯୋଗ ହୋଇଛି । ପୀଡ଼ିତଙ୍କ ମା’ଙ୍କୁ ମଧ୍ୟ କାହାକୁ କିଛି ନକହିବା ପାଇଁ ଧମକ ଦିଆଯାଇଥିଲା ।

ସେଆର କରନ୍ତୁ:



Powered by odothemes.com