ସରକାରୀ ପ୍ରୋତ୍ସାହନଠୁ ବହୁଦୂରରେ କୁମ୍ଭକାର

27

ବଡ଼ବିଲ(ଆପ୍ର): ବର୍ତ୍ତମାନର ବିଜ୍ଞାନ ଯୁଗରେ ଲୋକମାନେ ଧୀରେ ଧୀରେ ପାରମ୍ପରିକ ଜିନିଷଠାରୁ ଦୂରେଇ ଯାଉଥିବା ଦେଖିବାକୁ ମିଳୁଛି । ମାତ୍ର ଏବେବି ଅନେକ ପରିବାର ଅଛନ୍ତି ଯେଉଁମାନେ ନିଜ କୌଳିକ ବୃତ୍ତିକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳୁଛି । ସେଥିରୁ ଆଖିଦୃଶିଆ ଲାଭ ମିଳୁନଥିଲେ ମଧ୍ୟ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସେମାନଙ୍କ ପ୍ରୟାସ ଜାରି ରହିଛି । କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା ସେଭଳି ଏକ ପରିବାର ହେଉଛି ଦେଓଗାଁ ପଞ୍ଚାୟତର ଦ୍ୱିପପାଳନର ପ୍ରଶାନ୍ତ ସାହୁଙ୍କ ପରିବାର । ଆଜିକା ଯୁଗରେ ମାଟି ପାତ୍ରର ଏତେ ଚାହିଦା ନଥିଲେ ମଧ୍ୟ ପ୍ରଶାନ୍ତଙ୍କ ପରିବାର କୁମ୍ଭକାର କାମକୁ ଛାଡ଼ିପାରିନାହାନ୍ତି । ବିବାହ, ବ୍ରତ ବେଳେ କାଁ ଭାଁ କାମରେ ଆସୁଥିବା ମାଟି ପାତ୍ର, ହାଣ୍ଡି ଆଦି ଗଢ଼ି ସେମାନେ ଜୀବିକା ନିର୍ବାହ କରୁଛନ୍ତି । ଘୋଡ଼ା ଛ’ ଟଙ୍କାକୁ ଦାନା ନ’ ଟଙ୍କା ଭଳି ଏ କାମରେ ଏବେ ଆୟ ଅପେକ୍ଷା ବ୍ୟୟ ଅଧିକା ହେଉଥିବା କହିଛନ୍ତି ପ୍ରଶାନ୍ତ । ଆଗରୁ ଦୀପାବଳି ବେଳେ ମାଟି ଦୀପର ଚାହିଦା ଥିବା ବେଳେ ଏବେ ଲୋକମାନେ ଚାଇନା ଲାଇଟ୍ ବ୍ୟବହାର କରୁଛନ୍ତି । ଫଳରେ କୁମ୍ଭକାରଙ୍କ ବେପାର ଅପେକ୍ଷାକୃତ କମୁଥିବା ସେ କହିଛନ୍ତି । ତେବେ ଅଭାବ ଅନାଟନ ସତ୍ତ୍ୱେ ପ୍ରଶାନ୍ତଙ୍କ କାମରେ ଆଧୁନିକତାର ସ୍ପର୍ଶ ଦେଖିବାକୁ ମିଳେନାହିଁ । ଚିରାଚରିତ ଢଙ୍ଗରେ ସେ ମାଟିର ସାମଗ୍ରୀ ତିଆରି କରି ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରଦାନ କରିଥାନ୍ତି । ଅତ୍ୟନ୍ତ ଦରିଦ୍ର ପରିବାର ହୋଇଥିଲେ ମଧ୍ୟ ନିଜର କୌଳିକ ବୃତ୍ତି ଉପରେ ଭରସା କରି ଆଜି ପର୍ଯ୍ୟନ୍ତ ପରିବାରକୁ ଚଳାଇ ଆସିଥିବା ଗର୍ବର ସହ କହନ୍ତି ପ୍ରଶାନ୍ତ । ତେବେ ଏଭଳି ସ୍ଥିତିରେ ସରକାର କୁମ୍ଭକାର ପରିବାରଗୁଡିକୁ ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନ କୌଶଳ ଯୋଗାଇ ଦେବା ସହ ସେମାନଙ୍କ ପାଇଁ ଉତ୍ତମ ତାଲିମ ବ୍ୟବସ୍ଥା କଲେ ସେମାନେ ମଧ୍ୟ ଆଧୁନିକ ସମାଜର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଟେରାକୋଟା ସାମଗ୍ରୀ ଉତ୍ପାଦନ କରି ସମ୍ମାନର ସହ ବଞ୍ଚିପାରନ୍ତେ ବୋଲି ପ୍ରଶାନ୍ତଙ୍କ ପରିବାର କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com