ସିବିଏସ୍ଇ ପାଠ୍ୟକ୍ରମରେ ଯୋଗ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୨ା୬(ଏଜେନ୍ସି): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଓ ସହବନ୍ଧିତ ସବୁ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ଚଳିତ ଶିକ୍ଷା ବର୍ଷରୁ ‘ଯୋଗ’ ବିଷୟ ଅନ୍ତର୍ଭୁକ୍ତ କରାଯାଇଛି । ଦିଲ୍ଲୀରେ ଅନୁଷ୍ଠିତ ଦୁଇ ଦିନିଆ ଯୋଗ ଶିକ୍ଷକ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଉନ୍ମୋଚନ କରିଥିବା ସିବିଏସ୍ଇ ସିଲାବସ୍ରୁ ଏହା ଜଣାପଡ଼ିଛି । ଶ୍ରୀମତୀ ଇରାନୀ କହିଛନ୍ତି, ଯୋଗ ଶିକ୍ଷାକୁ ବାଧ୍ୟତାମୂଳକ ବିଷୟ ଭାବେ ଗ୍ରହଣ କରାଯାଇଛି । ଏହି ବିଷୟରେ ୧୦୦ ମାର୍କରେ ପରୀକ୍ଷା ହେବ । ଲିଖିତ ପରୀକ୍ଷା ପାଇଁ ମାତ୍ର ୨୦ ନମ୍ବର ଧାର୍ଯ୍ୟ କରାଯାଇଥିଲା ବେଳେ ୮୦ ମାର୍କ ପ୍ରାକ୍ଟିକାଲ ପାଇଁ ଉଦ୍ଧିଷ୍ଟ । ତେଣୁ ଯୋଗ ଶିକ୍ଷା ବିଷୟ ଛାତ୍ରଛାତ୍ରୀଙ୍କ ପାଇଁ ଆଦୌ ଜଟିଳ ହେବ ନାହିଁ । ସେ କହିଲେ, ଆସନ୍ତା ବର୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଯୋଗ ପ୍ରତିଯୋଗିତା ଆୟୋଜନ କରାଯିବ । ଯୋଗରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଛାତ୍ରଛାତ୍ରୀଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ମଧ୍ୟ ନିୟମିତ ଯୋଗ ତାଲିମ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଯୋଗରେ ଡିପ୍ଲୋମା, ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଆଦି ତ୍ରିସ୍ତରୀୟ ତାଲିମ ବ୍ୟବସ୍ଥା ପ୍ରଣୟନ କରାଯିବ ବୋଲି ଶ୍ରୀମତୀ ଇରାନୀ ସୂଚନା ଦେଇଥିଲେ ।