3103

ଧ୍ୱଂସାଭିମୁଖୀ ସାତକୋଶିଆ

15

ଅନୁଗୁଳ,୧୪ା୯(ଆପ୍ର): ଜୈବବିବିଧତା ଓ ପ୍ରାକୃତିକ ବନରାଜି ପରିପୂର୍ଣ୍ଣ ସାତକୋଶିଆ ଅଭୟାରଣ୍ୟ ଏବେ ଧ୍ୱଂସାଭିମୁଖୀ ଆଡ଼କୁ ଗତି କରୁଛି । ରାଜ୍ୟ ଓ କେନ୍ଦ୍ର ସରକାର ଅଭୟାରଣ୍ୟର ସୁରକ୍ଷା ଓ ଅଭିବୃଦ୍ଧି ନେଇ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ତାହା ଫଳପ୍ରଦ ହେଉନାହିଁ । ବନ ବିଭାଗର କିଛି ବଡ଼ପଣ୍ଡା ଯୋଜନା ନାଁରେ ସ୍ୱାହା ସ୍ୱାହା କରୁଥିବା ଅଭିଯୋଗ ହେଉଛି । ଅପରପକ୍ଷେ ଗତ ଦୁଇଦିନ ତଳେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତୁ୍ୟ ପରେ ସ୍ଥାନୀୟ ଲୋକମାନେ ବନ ବିଭାଗର କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଜାଳି ପୋଡ଼ି ଛାରଖାର କରିଦେଇଥିଲେ । ଆଉ ଏଥିପାଇଁ ଉତ୍ତରଦାୟୀ କିଏ? ବୋଲି ଯେତେବେଳେ ପ୍ରଶ୍ନଉଠେ ସେତିକିବେଳେ ସିଧା ସଳଖ ସାତକୋଶିଆର ସମସ୍ତ ଘଟଣା ପାଇଁ ଅନୁଗୁଳ ମୁଖ୍ୟ ବନ ସଂରକ୍ଷଣ ସୁଦର୍ଶନ ପଣ୍ଡା ଓ ଡିଏଫଓ ଏସ୍.ଏମ୍.ଟି ରେହେମାନଙ୍କ କାର୍ଯ୍ୟଦକ୍ଷତା ଓ କାର୍ଯ୍ୟଧାରା ହିଁ ଦାୟୀ । କାରଣ ଆରସିସିଏଫ ଓ ଡିଏଫଓ ଅନୁଗୁଳ କାର୍ଯ୍ୟାଳୟର ଶୀତତାପ ନିୟନ୍ତ୍ରଣ କୋଠରୀରେ ରହି ସାତକୋଶିଆର ସୁରକ୍ଷା ଓ ଅଭିବୃଦ୍ଧି କାର୍ଯ୍ୟ ତୁଲାଇ ଥାଆନ୍ତି, ଏହି ଦୁୂଇ ବଡ଼ପଣ୍ଡା ବହୁତ ପାୱାରଫୁଲ ଏପରିକି ଜଣେ ମନ୍ତ୍ରୀଙ୍କ ପାଖ ଲୋକ ହୋଇଥିବାବେଳେ ଆଉ ଜଣେ ତୃତୀୟା ମହଲାର ପାଖ ଲୋକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେଣୁ ଏହି ଅଧିକାରୀମାନେ ସାତକୋଶିଆ ଅଭୟାରଣ୍ୟ ପରିଦର୍ଶନ ନକରି ଅନୁଗୁଳରୁ ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ସାତକୋଶିଆର ସୁରକ୍ଷା ଓ ଅଭିବୃଦ୍ଧି କରିଥାନ୍ତି । ଏପରିକି ସାତକୋଶିଆ ଅଧିବାସୀଙ୍କ ସହିତ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ କି ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଗୁରୁତ୍ୱ ଦିଅନ୍ତି ନାହିଁ ବୋଲି ସାତକୋଶିଆ ଅଞ୍ଚଳର ଜନସାଧାରଣ ଅଭିଯୋଗ କରିଛନ୍ତି ।
ପ୍ରକାଶ ଯେ ସାତକୋଶିଆ ଅଭୟାରଣ୍ୟର ବ୍ୟାଘ୍ର ପ୍ରକଳ୍ପ ହେଉ କିମ୍ବା ହସ୍ତୀ ପ୍ରକଳ୍ପ ହେଉ, ଯାହା ହେଲେ ମଧ୍ୟ ଅଭୟାରଣ୍ୟ ଅଧିବାସୀଙ୍କ ସହିତ ସୁସମ୍ପର୍କ ଆବଶ୍ୟକ । ମାତ୍ର ଆର୍ସିସିଏଫ ଶ୍ରୀ ପଣ୍ଡା ଓ ଡିଏଫଓ ଶ୍ରୀ ରେହେମାନ ନିଜର ଅହଂଭାବ ଓ ଦମ୍ଭକୁ ନେଇ ଲୋକଙ୍କ ସହ ସମ୍ପର୍କ ରଖିବା ଦୂରେ ଥାଉ । ବରଂ ସାତକୋଶିଆ ବନବାସୀ ଯେତେବେଳେ ନିଜର ମୌଳିକ ସମସ୍ୟା ନେଇ ଆନେ୍ଦାଳନକୁ ଓହ୍ଲାଇ ଥିଲେ ସେତିକିବେଳେ ଡିଏଫଓ ଶ୍ରୀ ରେହେମାନ ଉଗ୍ରପନ୍ଥିର ଆଖ୍ୟା ଦେଇ ସାତକୋଶିଆବାସୀଙ୍କୁ ଉତ୍ତେଜିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅପରପକ୍ଷେ ବାଘ ବାଘୁଣୀକୁ ସାତକୋଶିଆ ଅଭୟାରଣ୍ୟରେ ଛାଡ଼ିବା ପୂର୍ବରୁ ପ୍ରକଳ୍ପ ଅଧିକାରୀ ସାତକୋଶିଆ ଅଞ୍ଚଳବାସୀଙ୍କୁ କୌଣସି ସୂଚନା ଦେଇନାହାନ୍ତି କି ସଚେତନ ମଧ୍ୟ କରିନାହାନ୍ତି । ତେଣୁ ଜନସାଧାରଣଙ୍କୁ ସାମ୍ନା କରିବା ପାଇଁ ବନ ବିଭାଗର ଶତ ସାହାସ ନାହିଁ ।
ସୂଚନା ଯେ, ସୁନ୍ଦରୀ ଜଙ୍ଗଲରେ ଛାଡ଼ିବା ପରେ ତାର ଗତିବିଧି ନିରୀକ୍ଷଣ କରିବା ପାଇଁ ଅଫିସରମାନଙ୍କୁ ତାଲିମ ଦିଆଯାଇଥିଲା । ମାତ୍ର ଅଫିସରମାନେ ଜଙ୍ଗଲ ଜଗୁଆଳୀଙ୍କୁ ଦାୟିତ୍ୱ ଦେଇ ଅନୁଗୁଳର ଶୀତତାପ ନିୟନ୍ତ୍ରିତ କୋଠରୀରେ ରହି ଗତିବିଧି କାର୍ଯ୍ୟ ତୁଲାଇଥିଲେ । ସାତକୋଶିଆ ଡିଏଫଓ ଥରେ ଅଭୟାରଣ୍ୟ ବୁଲି ଯାଇଥିବା ବେଳେ ଆରସିସିଏଫ ଆଦୌ ପରିଦର୍ଶନ କରିନଥିବା ବିଶେଷ ସୂତ୍ରରୁ ଜଣାଯାଇଛି । ତେବେ ବ୍ୟାଘ୍ର ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହି ଅଧିକାରୀମାନେ ତଦାରଖରେ ନଯିବା ନେଇ ଅନେକ ସନେ୍ଦହ ଘନିଭୂତ ହେବାରେ ଲାଗିଛି । ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ସାତକୋଶିଆ ଡିଭିଜନରେ ପ୍ରମୋସନ ପାଇଥିବା ଜଣେ ରେଞ୍ଜରକୁ ଛାଡ଼ିଦେଲେ ଅନ୍ୟ ୪ ଜଣ ରେଞ୍ଜର ଡିଏଫଓକୁ ଅନୁଦାନ ଟଙ୍କା ଲାଞ୍ଚ ଦେଇ ସାତକୋଶିଆ ତଳିତଳାନ୍ତ କରିଦେଇଥିବା ଅଭିଯୋଗ ହୋଇଛି । ଅପରପକ୍ଷେ ସାତକୋଶିଆ ଅଭୟାରଣ୍ୟକୁ ଆବାସୀସ୍ଥଳୀର ଉନ୍ନତି, ଜୀବଜନ୍ତୁଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଅନାବନା ଗଛ ସଫେଇ ସହିତ ବାଘ, ହାତୀ ଓ କୁମ୍ଭୀର ଗଣନା କାର୍ଯ୍ୟପାଇଁ କୋଟି କୋଟି ଟଙ୍କା ଅନୁଦାନ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟ କରାଯାଇନାହିଁ । ଏହି କାର୍ଯ୍ୟକ୍ରମର ଅନୁଦାନ ରାଶି ବିଭିନ୍ନ ମାଧ୍ୟମରେ ହଡ଼ପ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ବନ୍ୟଜନ୍ତ ଆବାସସ୍ଥଳୀ ବିକାଶ ନହେବା ଯୋଗୁ ତୃଣ ଭାଜି ପ୍ରାଣୀ ଲୋପ ପାଇବାକୁ ବସିଲାଣି । ଯଦ୍ୱାରା ବାଘୁଣୀ ସୁନ୍ଦରୀ ଜନ୍ତୁ ଶିକାର ନକରି ପାରି ଏବେ ମଣିଷ ଓ ଗୃହପାଳିତ ପଶୁକୁ ନିଜର ଖାଦ୍ୟ ବାଛି ନେଇଛି । ଆଉ ସାତକୋଶିଆର ଅଭିବୃଦ୍ଧି ଓ ସୁରକ୍ଷା ଦିଗରେ ବିଭାଗୀୟ ଆରସିସିଏଫ ଓ ଡିଏଫଓ ଶୀତତାପ ନିୟନ୍ତ୍ରିତ କୋଠରୀରେ ରହି ପରିଚାଳନା କରିଥିବା ଜଣାଯାଇଛି । ଏହାକୁ ନେଇ ଆରସିସିଏଫ୍ ଓ ଡିଏଫ୍ଓଙ୍କର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ଉଭା ହୋଇଛି ।




Powered by odothemes.com