ବେପରୁଆ ଗାଡ଼ି ଚାଳନାରୁ ୨ଛାତ୍ରଙ୍କ ଜୀବନ ଗଲା | ସର୍ବସାଧାରଣ ଖବରକାଗଜ
UNIT-4 DALEMA HOTEL SAMUKHA ROAD RE ACCSIDENT RE 2 MRUTA O LOKA NKN BHIDA (5)

ବେପରୁଆ ଗାଡ଼ି ଚାଳନାରୁ ୨ଛାତ୍ରଙ୍କ ଜୀବନ ଗଲା

25

ଭୁବନେଶ୍ୱର, ୨୨ ।୬(ବୁ୍ୟରୋ): ବେପରୁଆ ଗାଡ଼ି ଚାଳନାରୁ ରାଜଧାନୀରେ ଆଜି ୨ଜଣ ଛାତ୍ରଙ୍କ ଜୀବନ ଯାଇଛି । ସଚିବାଳୟମାର୍ଗ ବାୟାବାବା ଆଶ୍ରମ ସମ୍ମୁଖ ରାସ୍ତାରେ ଆଜି ଦୁଇଟି ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ୨ଜଣ ଛାତ୍ରଙ୍କ ମୃତୁ୍ୟ ହୋଇଛି । ମୃତ ଛାତ୍ର ହେଲେ ନାଇଡୁ କଲେଜର ଅଭିଷେକ ନାୟକ(୧୯) ଓ ସୁମନ । ଜଗତସିଂପୁର ଜିଲ୍ଲା ଚଷାପଡା ଗାଁରେ ଅଭିଷେକଙ୍କ ଘର ହୋଇଥିବା ବେଳେ ସୁମନଙ୍କ ଘର ରାୟଗଡା ଜିଲ୍ଲା ରାମନଗୁଡା ଗାଁରେ । ମୃତ ଛାତ୍ରଦ୍ୱୟ ସତ୍ୟନଗର ଅଞ୍ଚଳର ଏକ ଛାତ୍ରାବାସରେ ରହୁଥିଲେ । ଆପାଚି ବାଇକ୍(ଓଡି-୦୨କୁ୍ୟ-୦୬୮୭)ରେ ମୃତ ଛାତ୍ରଦ୍ୱୟ ରବୀନ୍ଦ୍ର ମଣ୍ଡପରୁ ଆଚାର୍ଯ୍ୟବିହାର ଅଭିମୁଖେ ଦ୍ରୁତ ବେଗରେ ଆସୁଥିଲେ । ମହାରାଜା ହଲ୍ରେ ଫିଲ୍ମ ଦେଖିବାକୁ ଉଭୟ ଛାତ୍ର ଯାଉଥିଲେ । ସୁମନ ଗାଡି ଚଳାଉଥିବା ବେଳେ ଅଭିଷେକ ପଛରେ ବସିଥିଲେ । ଆଚାର୍ଯ୍ୟବିହାରରୁ ଏକ ଗ୍ଲାମର ବାଇକ୍ରେ ବାପପୁଅ ଏଜି ଅଭିମୁଖେ ଯାଉଥିିବା ବେଳେ ଛାତ୍ରଙ୍କ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଜୀବନ ବଞ୍ଚାଇବାକୁ ସୁମନ୍ ଗାଡ଼ିର ଡିସ୍କ୍ ବ୍ରେକ୍ ମାରିବାରୁ କିଛି ଦୂରକୁ ଛିଟିକି ପଡିଥିଲେ । ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ଅଭିଷେକ ରାସ୍ତା ମଝିରେ ଛିଟିକି ପଡିଥିବା ବେଳେ ଆଚାର୍ଯ୍ୟବିହାରରୁ ରବୀନ୍ଦ୍ର ମଣ୍ଡପ ଅଭିମୁଖେ ଦ୍ରୁତ ବେଗରେ ଆସୁଥିବା ଏକ କାର୍ ତାଙ୍କ ଉପରେ ଚଢ଼ି ପଳାଇଥିଲା । କାର୍ ଚଢ଼ିଯିବା ପରେ ଅଭିଷେକଙ୍କର ମଧ୍ୟ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିଲା । ଉକ୍ତ କାର୍ର ଏ ପର୍ଯ୍ୟନ୍ତ ପତ୍ତା ମିଳିନାହିଁ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ଛାତ୍ରଦ୍ୱୟଙ୍କ ରକ୍ତ ଜୁଡୁବୁଡୁ ଶବ ଦେଖିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଅନ୍ୟ ବାଇକ୍ରେ ଥିବା ପବିତ୍ର ଦାଶ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । ଖାରବେଳନଗର ଥାନା ପୁଲିସ୍ ପହଞ୍ଚି ଛାତ୍ରଙ୍କ ଶବ ଜବତ କରି ବ୍ୟବଛେଦ ନିମନ୍ତେ କ୍ୟାପିଟାଲ୍ ହସ୍ପିଟାଲ ପଠାଇଛି । ଅଭିଷେକଙ୍କ ପରିବାର ହସ୍ପିଟାଲ୍ରେ ପହଞ୍ଚି ଥିବା ବେଳେ ସୁମନ୍ଙ୍କ ପରିବାର ଲୋକ ପହଞ୍ଚିନଥିବା ପୁଲିସ୍ କହିଛି ।




Powered by odothemes.com