naveen

ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି ଦାମବାବୁ: ନବୀନ

17

ନୂଆ ଦଳ ଗଢିÿଲେ ବିଜେଡି ଉପରେ ଫରକ ପଡିÿବନି
ଭୁବନେଶ୍ୱର, ୧୩ା୯(ବୁ୍ୟରୋ): ବିଜେଡିରୁ ବରିଷ୍ଠ ନେତା ଦାମୋଦର ରାଉତଙ୍କ ବହିଷ୍କାର ନେଇ ଆଜି ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ନୂଆଦିଲ୍ଲୀରୁ ୩ ଦିନିଆ ଗସ୍ତରେ ଫେରିଲା ପରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦାମବାବୁ ସର୍ବଦା ଦାୟିତ୍ୱହୀନ ମନ୍ତବ୍ୟ ଦେଇଥାନ୍ତି । ତାଙ୍କର ଅଭିଯୋଗ ସର୍ବଦା ହାସ୍ୟାସ୍ପଦ ଓ ନିରାଧାର ବୋଲି ହସିହସି ଶ୍ରୀ ପଟ୍ଟନାୟକ ଏହି ମନ୍ତବ୍ୟ ରଖିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ବିଜେଡିରୁ ଶ୍ରୀ ରାଉତଙ୍କୁ ବହିଷ୍କାର କରାଯାଇଛି । ବହିଷ୍କାରକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀରେ ଥାଇ କିଭଳି ତାଙ୍କୁ ବହିଷ୍କାର କଲେ ବୋଲି ଶ୍ରୀ ରାଉତ ପ୍ରଶ୍ନ କରିଥିଲେ । ଏ ସମ୍ପର୍କରେ ଆଜି ନବୀନ ତାଙ୍କ ଟିପ୍ପଣୀ ରଖିଛନ୍ତି । ଦାମଙ୍କର ଅଭିଯୋଗ ମଧ୍ୟ ସେ ହସିହସି ଉଡାଇଦେଇଛନ୍ତି । ସେ କହିଛନ୍ତି ଯେ ଅନେକ ସମୟରେ ଦାମବାବୁ ଯେଉଁ ଅଭିଯୋଗ ଆଣିଥାନ୍ତି, ତାହାର କୌଣସି ଭିତ୍ତିଭୂମି ନଥାଏ । ବହିଷ୍କୃତ ନେତାମାନେ ଏକ ନୂଆ ଦଳ ଗଠନ କରିପାରନ୍ତି କି ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହା ହେଉଛି ସେମାନଙ୍କର କାର୍ଯ୍ୟ । ଏ ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ । ନୂଆ ଦଳ ଗଠନ ହେଲେ ବିଜେଡି ଉପରେ କୌଣସି ପ୍ରଭାବ ପଡିବନାହିଁ କି ଦଳ ପାଇଁ କିଛି ଫରକ ସୃଷ୍ଟି ହେବନାହିଁ ।
ନବୀନଙ୍କ ଏହି ମନ୍ତବ୍ୟ ପରେ ଶ୍ରୀ ରାଉତଙ୍କୁ ଦଳର ବହିଷ୍କାର କରିବା ଲାଗି ଷଡଯନ୍ତ୍ର ଚାଲିଥିଲା ବୋଲି ଯେଉଁ ଅଭିଯୋଗ ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । କାରଣ ଦିଲ୍ଲୀରୁ ଫେରି ନବୀନ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥିବାଭଳି ମନ୍ତବ୍ୟ ରଖିଛନ୍ତି । ନବୀନଙ୍କ ମନ୍ତବ୍ୟ ଗୋଟିଏ ଦିଗକୁ ସ୍ପଷ୍ଟ କରିଛି । ଦଳ ମଧ୍ୟରେ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବନାହିଁ । ସେ ଯେତେବଡ ନେତା ହୁଅନ୍ତୁ ନା କାହିଁକି ଦଳୀୟ ଶୃଙ୍ଖଳାକୁ ଯିଏ ଭଙ୍ଗ କରିବ ଓ ଦଳ ବିରୋଧୀ କାର୍ଯ୍ୟ କରିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କୁଣ୍ଠାବୋଧ କରାଯିବନାହିଁ । ଅତୀତରେ ଏଭଳି ଅନେକ ନଜିର ଶ୍ରୀ ପଟ୍ଟନାୟକ ଦେଖାଇଛନ୍ତି । ନିକଟରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରାଯାଇଥିଲା । ଏହା ପୂର୍ବରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ପ୍ରଫୁଲ୍ଲ ଘଡାଇ, ପ୍ୟାରୀମୋହନ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରି ନବୀନ ନିଜ ଦୃଢ ନେତୃତ୍ୱର ପରାକାଷ୍ଠାକୁ ପ୍ରତିପାଦନ କରିଥିଲେ । ଦାମଙ୍କ କ୍ଷେତ୍ରରେ ମଧ୍ୟ ସେ ଅନୁରୂପ ପରାକାଷ୍ଠା ଦେଖାଇଛନ୍ତି ।




Powered by odothemes.com