ହୋଟେଲ୍ ଖାଦ୍ୟ, ପାଣିପାଉଚ୍ ମାନ ଯାଞ୍ଚ ନିର୍ଦ୍ଧେଶ

23

ଭୁବନେଶ୍ୱର,୨୨ା୬(ବୁ୍ୟରୋ): ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ବଜାୟ ରଖିବା ସହ କୌଣସି ପ୍ରକାର ମହାମାରୀ ପ୍ରତି ସତର୍କ ରହିବା ଏବଂ ଖାଦ୍ୟ ପଦାର୍ଥ ଏବଂ ପାନୀୟଜଳ ମାନ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଧେଶ ଦେଇଛନ୍ତି । ପୁରୀ ସହର ସମେତ ଜିଲ୍ଲାର ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସଂପର୍କରେ ଆଜି ମନ୍ତ୍ରୀ ଶ୍ରୀ ନାୟକ ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାପଡ଼ିଛି, ବର୍ତ୍ତମାନ ଥିବା ବିଭିନ୍ନ ହୋଟେଲ ଠାରୁ ଆରମ୍ଭ କରି ଅସ୍ଥାୟୀ ଭାବେ ଖୋଲୁଥିବା ହୋଟେଲ ଏବଂ ଜଳଖିଆ ଦୋକାନରେ ମିଳୁଥିବା ଖାଦ୍ୟପଦାର୍ଥ ଏବଂ ବିକ୍ରି ହେଉଥିବା ପାଣି ବୋତଲ ସମେତ ପାଣି ପାଉଚ୍ ଗୁଡିକର ମାନ ପରୀକ୍ଷା କରିବା ଏବଂ ପୁରୀ, ଭୁବନେଶ୍ୱରରେ ପାଉଚ୍ ପ୍ରସ୍ତୁତ କରୁଥିବା କାରଖାନା ଗୁଡିକ ଉପରେ ଚଢାଉ ଜୋରଦାର କରାଯାଇ ମାନ ଯାଞ୍ଚ କରାଯିବ । ଏ କ୍ଷେତ୍ରରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ସେହିପରି ପୁରୀ ସହରରେ ଥିବା ସମସ୍ତ ନଳକୂପ ଏବଂ ପାନୀୟଜଳ ଉତ୍ସଗୁଡିକୁ ନିୟମିତ ଯାଞ୍ଚ କରାଯିବା ସହ ଯେଉଁ ଗୁଡିକର ପାଣି ଦୁଷିତ ଥିବ ସେଗୁଡିକୁ ତୁରନ୍ତ ସିଲ୍ ହେବ ।
ସେହିଭଳି ରଥଯାତ୍ରା ସମୟରେ ବଡଦାଣ୍ଡରେ ପ୍ରତି ୭୫ ମିଟର ବ୍ୟବଧାନରେ ୩୦ ଟି ଆମ୍ବୁଲାନ୍ସ ରହିବ । ଏତଦ୍ବ୍ୟତୀତ ପୁରୀ ମ୍ୟୁନିସପାଲିଟି ଅଞ୍ଚଳରେ ଆଉ ୫୦ ଟି ଆମ୍ବୁଲାନ୍ସ ରହିବ । ପ୍ରତି ରଥ ପଛେ ପଛେ ଗୋଟିଏ ଲେଖା ଆମ୍ବୁଲାନ୍ସ ରହିବ । ଉଦ୍ଧାର ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାକୁ ତ୍ୱରାନ୍ନିତ କରାଯିବ । ସହରରରେ ପ୍ରାୟ ୮୦ ଟି ଫାଷ୍ଟଏଡ୍ କେନ୍ଦ୍ର ଖାଲାଯିବ । ଏହି କେନ୍ଦ୍ରଗୁଡିକ ଦୁଇଟି ପର୍ଯ୍ୟାୟରେ ଆସନ୍ତା ମାସ ୧୭ ତାରିଖରୁ ୧୯ ତାରିଖ ଏବଂ ୨୬ ତାରିଖରୁ ୨୯ ତାରିଖ ଯାଏ କାର୍ଯ୍ୟ କରିବ । ବର୍ତ୍ତମାନ ପୁରୀର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ୪୦୮ ଟି ଶଯ୍ୟା ରହିଛି । ଆଉ ୫୨୦ ଟି ନୂତନ ଶଯ୍ୟା ଉପଲବ୍ଧ କରାଯାଇଛି । ରଥଯାତ୍ରା ସମୟରେ ଅଧିକ ୯୪ ଜଣ ଡାକ୍ତରଙ୍କ ସମେତ ପ୍ରାୟ ୬୨୬ ଜଣ ପାରାମେଡିକାଲ, ଫାର୍ମାଶିଷ୍ଟ ଏବଂ ସହାୟକ ଆଦି ନିୟୋଜିତ ହେବେ । ସେମାନେ ଆସନ୍ତା ୩୦ ତାରିଖ ସୁଦ୍ଧା ସେଠାରେ କାର୍ଯ୍ୟରେ ଯୋଗ ଦେବେ । ପୁରୀ ସହର ବ୍ୟତୀତ ବ୍ଲକ୍ ଅଞ୍ଚଳରେ ୧୧ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୬ଟି ଏରିଆ ହସ୍ପିଟାଲ ଏବଂ ୪୭ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିିଛି । ସେହିସବୁ ଅଂଚଳରେ ୨୫ଟି ଫାଷ୍ଟଏଡ୍ କେନ୍ଦ୍ର ମଧ୍ୟ ଖୋଲିବ ଏବଂ ୪୯ଟି ଆମ୍ବୁଲାନ୍ସ ଉପଲବ୍ଧ କରାଯିବ । ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସଂପର୍କରେ ବ୍ୟପାକ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନିଆଯିବ । ରଥଯାତ୍ରାକୁ ଶୃଙ୍ଖଳିତ ପରିବେଶରେ ସାରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଧେଶିକା ରୂପା ମିଶ୍ର, ସ୍ୱାସ୍ଥ୍ୟ ସେବା ନିର୍ଦ୍ଧେଶକ ଡାଃ ଚିତରଞ୍ଜନ ନାୟକ, ପୁରୀ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।




Powered by odothemes.com