dama-2

ନୂଆ ଆଞ୍ଚଳିକ ଦଳ ଲାଗି ପ୍ରସ୍ତୁତି!

18

ଭୁବନେଶ୍ୱର (ବୁ୍ୟରୋ): ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଡ. ଦାମୋଦର ରାଉତ ବହିଷ୍କୃତ ହେବା ପରେ ରାଜ୍ୟରେ ଏକ ନୂଆ ଆଞ୍ଚଳିକ ଦଳ ଜନ୍ମନେବା ଏକପ୍ରକାର ସକାରାତ୍ମକ ଦିଗକୁ ଯାଉଛି । ବୁଧବାର ଡ. ରାଉତଙ୍କ ଦଳରୁ ବହିଷ୍କାର ପରେ ଗୁରୁବାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସାକ୍ଷାତ ଆଲୋଚନାକୁ ନେଇ ଏହି ସମ୍ଭାବନା ରାଜ୍ୟ ରାଜନୀତିରେ ନୂଆ ଉତ୍ସାହ ସୃଷ୍ଟି କରିଛି ବୋଲି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ତାଙ୍କ ପ୍ରତିକି୍ରୟାରେ କହିଛନ୍ତି । ନୂତନ ଆଞ୍ଚଳିକ ଦଳ ଗଠନ ନିମନ୍ତେ ଅର୍ଥ ବାଧକ ଥିଲେ ମଧ୍ୟ ସମସ୍ତ ବିଜୁ ଅନୁଗତ ଏକାଠି ହୋଇପାରିଲେ ଓଡ଼ିଶାବାସୀଙ୍କ ମନକୁ ଛୁଇଁ ପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବିଜେଡିରୁ ଜଣଙ୍କ ପରେ ଜଣେ ବିଜୁ ଅନୁଗତଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଦଳରୁ ବହିଷ୍କାର ଘଟଣାକୁ ବିଜୁ ପରିବାର ଗ୍ରହଣ କରୁନାହାନ୍ତି । ଏଥିପାଇଁ ନୂଆ ଆଞ୍ଚଳିକ ଦଳର ଗଠନ ପ୍ରକି୍ରୟା ଏବେ ଆରମ୍ଭ ହେବାକୁ ଯାଉଛି ବୋଲି ଶ୍ରୀ କାନୁନ୍ଗୋ କହିଛନ୍ତି ।
ସେ କହିଛନ୍ତି ଯେ, ରାଜନୀତିରେ ସବୁ ସମ୍ଭବ । ବିଜେଡିରୁ ବହିଷ୍କୃତ ହେବା ପରେ ସାଂସଦ ବୈଜୟନ୍ତ ପଣ୍ଡା ଏପର୍ଯ୍ୟନ୍ତ ନିଜର ରାଜନୈତିକ ଭବିଷ୍ୟତ ପାଇଁ କୌଣସି ନିଷ୍ପତ୍ତି ନେଇନାହାନ୍ତି । ଆଜି ସକାଳେ ସେ ପ୍ରଥମେ ଡା. ରାଉତଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘରକୁ ଯାଇ ତାଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ସେହିଭଳି ସନ୍ଧ୍ୟାରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଘରକୁ ଯାଇ ସାକ୍ଷାତ କରିଥିଲେ । ସେ ଦାମଙ୍କ ସହ ମଧ୍ୟ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ତେଣୁ ଯେପର୍ଯ୍ୟନ୍ତ ରାଜନୈତିକ ଲକ୍ଷ୍ୟ ନିର୍ଦ୍ଧାରଣ ନହୋଇଛି, ସେପର୍ଯ୍ୟନ୍ତ କିଛି କହିବା ସମ୍ଭବ ନୁହେଁ । କିନ୍ତୁ ଏକଥା ସତ, ବରିଷ୍ଠ ନେତାମାନେ ଗୋଟିଏ ପ୍ଲାଟ୍ଫର୍ମରେ ରହିବାକୁ ଚାହୁଁଛନ୍ତି । ଯଦି ଥରେ ସମସ୍ତେ ଏକାଠି ବସି ରାଜନୈତିକ ଲକ୍ଷ୍ୟ ନିର୍ଦ୍ଧାରଣ କରିବେ, ତେବେ ଏଥିରେ ଅର୍ଥ ବାଧକ ସାଜିବ ନାହିଁ । ରାଜ୍ୟର ବର୍ତ୍ତମାନ ରାଜନୈତିକ ସ୍ଥିତି ଯାହା ରହିଛି ଓ ଲୋକଙ୍କ ମୁଡ୍ ଯେଉଁଭଳି ଭାବରେ ରହିଛି; ଏହି ବରିଷ୍ଠ ନେତାଙ୍କ ଏକାଠି ହେବା ନିଶ୍ଚିତ ଭାବରେ ଭୋଟ୍ ରାଜନୀତିକୁ ପ୍ରଭାବିତ କରିବ ତଥା ଓଡ଼ିଶା ରାଜନୈତିକ ଦୃଶ୍ୟପଟ୍ଟକୁ ମଧ୍ୟ ନୂଆ ଦିଗକୁ ନେବାର ସମ୍ଭାବନା ରହିଛି ବୋଲି ଶ୍ରୀ କାନୁନ୍ଗୋ କହିଛନ୍ତି ।




Powered by odothemes.com