RAYAGADA,-collector-visited-DHH-to-take-stock-about-the-bee-biting-case

ମହୁମାଛି ଆକ୍ରମଣରେ ଛାତ୍ର ମୃତ, ୫ ଗୁରତର

58

ରାୟଗଡ଼ା (ଆପ୍ର): ଗଣେଶ ପୂଜା ପୂର୍ବରୁ କାରୁବାଇ ଅପ୍ଗ୍ରେଡେଡ୍ ସ୍କୁଲରେ ଘଟିଥିବା ଅଘଟଣ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଗଣେଶ ପୂଜା ପାଇଁ ଆମ୍ବଡାଳ ଆଣିବାକୁ ଯାଇ ବାଘୁଆ ମହୁମାଛି ଆକ୍ରମଣରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ପ୍ରାଣ ହରାଇଥିବା ବେଳେ ଆଉ ୫ଜଣ ଆହତ ହୋଇଛନ୍ତି । ଏଭଳି ଅଘଯଣ ଗଣେଶ ପୂଜାର ମାହୋଲକୁ ଫିକା କରିଛି । ଗୁରୁତର ଛାତ୍ରମାନେ ରାୟଗଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତ ଛାତ୍ର ସ୍କୁଲ ପରିସରରେ ଥିବା ହଷ୍ଟେଲ୍ରେ ରହୁଥିଲେ । ମୃତ ଛାତ୍ର ହେଉଛି ଦେବଦାସ ତୁଇକା (୭) । ଗୁରତତ ହୋଇଥିବା ଛାତ୍ରମାନେ ହେଲେ ଶ୍ରୀନୁ ମାଣ୍ଡାଙ୍ଗି (୬,ପ୍ରଥମ ଶ୍ରେଣୀ), ବିକାଶ ମାଣ୍ଡାଙ୍ଗି (୬ -ପ୍ରଥମ ଶ୍ରେଣୀ) ରୋହିତ ତୁଇକା (୭- ଦ୍ୱିତୀୟ ଶ୍ରେଣୀ), ନାଟନ ମାଣ୍ଡାଙ୍ଗି (୭-ଦ୍ୱିତୀୟ ଶ୍ରେଣୀ) ଏବଂ ଆଶିଷ୍ ପୁଆଲା (୮-ତୃତୀୟ ଶ୍ରେଣୀ) ।
ଜଣାଯାଇଛି ଯେ ବୁଧବାର ସ୍କୁଲ ଛୁଟି ପରେ ହଷ୍ଟେଲ୍ ଛାତ୍ରମାନେ ଗଣେଶ ପୂଜା ଲାଗି ନିକଟରେ ଥିବା ଆମ୍ବ ଗଛରୁ ପତ୍ର ଆଣିବା ପାଇଁ ଯାଇଥିଲେ । ଜଣେ ଛାତ୍ର ମହୁ ଫେଣାକୁ ପଥର ମାରିବାରୁ ମହୁମାଛି ଦଳ ଆକ୍ରମଣ କରିଥିଲେ । ଛାତ୍ର ମାନେ ଜୀବନ ବିକଳରେ ଛାତ୍ରାବାସକୁ ଦୌଡି ପଳାଇଥିଲେ ବି ଆକ୍ରମଣରୁ ବର୍ତ୍ତି ନଥିଲେ । ସେଠାରେ ସେମାନଙ୍କୁ ଦେଶୀ ଚିକିତ୍ସା କରାଯାଇଥିଲା ଏବଂ ରାତିରେ ଖାଇବାକୁ ମଧ୍ୟ ଦିଆଯାଇଥିଲା । ଘଟଣାକୁ ଗୁରୁତ୍ୱ ଦେଇନଥିଲେ ସ୍କୁଲ କର୍ତ୍ତୃପକ୍ଷ । ମଧ୍ୟରାତ୍ରରେ ଦେବଦାସର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ଏବଂ ସେ ପ୍ରାଣ ହରାଇଥିଲେ । ଏହାସତ୍ତ୍ୱେ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇନଥିଲେ । ଗୁରୁବାର ଭୋର ୪ ଟାରେ ଆହତମାନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଅଣାଯାଇଥିଲା । ସକାଳେ ଘଟଣା ପ୍ରଘଟ ହେବାରୁ ଶିକ୍ଷା ବିଭାଗ ଏବଂ କଲ୍ୟାଣ ବିଭାଗର ଅଧିକାରୀ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚôଥିଲେ । ରାୟଗଡ଼ା ଜିଲ୍ଲାପାଳ ଗୁହା ପୂନମ ତାପସ୍ କୁମାର, ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର, ଉପଜିଲ୍ଲାପାଳ ପ୍ରବିର କୁମାର ନାୟକ ମୁଖ୍ୟ ଚିକିତ୍ସାଳୟ ଆସି ଆହତ ଛାତ୍ରମାନଙ୍କର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ।
ଜିଲ୍ଲାପାଳ କହିଛନ୍ତି, ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି ଯେ ଆହାତଥିବା ଛାତ୍ରମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଜିଲ୍ଲାପାଳ ମୃତ ଛାତ୍ରର ପରିବାରକୁ ଜିଲ୍ଲା ରେଡ୍କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି । ଏଥିସହିତ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦିଆଯିବ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଘଟଣାକୁ ଗୁରୁତର ସହ ଗ୍ରହଣ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com