nischintakoili-RASTA-(1)

ଏମିତି ରାସ୍ତା ଚାଲିକି ବି ଯାଇ ହେଉନି!

14

ନିଶ୍ଚିନ୍ତକୋଇଲି(ଆପ୍ର): ସ୍ଥାନୀୟ ବାଲିଆପଦା ପଞ୍ଚାୟତ ୯ନମ୍ବର କେନାଲବନ୍ଧ ମରଣଯନ୍ତାରେ ପରିଣତ ହୋଇଛି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଗଲେ ମଧ୍ୟ ପ୍ରତିକାର କରାଯାଉନଥିବାରୁ ମହିଳା ଗୋଷ୍ଠୀ ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବା ସହିତ ଆନେ୍ଦାଳନ କରିବାକୁ ଚେତାବନୀ ଦେଇଛନ୍ତି ।
ନିଶ୍ଚିନ୍ତକୋଇଲି ବ୍ଲକର ବାଲିଆପଦାରୁ ସୁକରପଡ଼ା ୯ନଂ କେନାଲ ବନ୍ଧ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଓ ଅସୁରେଶ୍ୱର ଜଳସମ୍ପଦ କନିଷ୍ଠ ଯନ୍ତ୍ରୀଙ୍କ ଅଧୀନରେ ରହିଛି । ପ୍ରତିବର୍ଷ ଏହି ବନ୍ଧ ମରାମତି କରାଯିବା ନାମରେ ଲକ୍ଷ ଲକ୍ଷ ଟଙ୍କା ମଞ୍ଜୁର ହେଉଛି । ଶାସକ ଦଳ ଠିକାଦାର ଓ ବିଭାଗୀୟ ଅଧିକାରୀମାନେ ନାମକୁମାତ୍ର କାର୍ଯ୍ୟକରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରୁଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ଠିକାଦାର ଓ ଅଫିସରଙ୍କ ଭାଗ୍ୟ ପରିବର୍ତ୍ତନ ଘଟୁଥିବା ବେଳେ ଏହି ରାସ୍ତାର ପରିବର୍ତ୍ତନ ଘଟୁନାହିଁ । ସଂପୃକ୍ତ ରାସ୍ତାରେ ଶହଶହ ଯାନବାହନ ଚଳାଚଳ କରିବା ସହିତ ବାଲିଆପଦା, ଫତେପୁର ତେନ୍ତଲପୁର, ମୁରଦାବାଦ, ପିଠାପଡ଼ା, କଟରପଡ଼ା, ସୁକରପଡ଼ା ଇତ୍ୟାଦି ଅଞ୍ଚଳର ଲୋକ, ଛାତ୍ରଛାତ୍ରୀ ଓ ଅଙ୍ଗନୱାଡି ଶିଶୁ ନିର୍ଭର କରିଥାନ୍ତି । ହେଲେ ରାସ୍ତାର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ଯାନବାହନ ତ ଦୂରର କଥା ପାଦରେ ଚାଲିକି ଯିବା କାଠିକରପାଠ । ରାସ୍ତା ମରଣଯନ୍ତାରେ ପରିଣତ ହୋଇଥିବାରୁ ଜରୁରୀ ପରିସ୍ଥିତିରେ ଦମକଳ କିମ୍ବା ଆମ୍ବୁଲାନ୍ସ ଆସିପାରୁନି । ଫଳରେ ବହୁ ସମୟରେ ଗର୍ଭବତୀ, ପ୍ରସୂତି, ରୋଗାକ୍ରାନ୍ତ ବ୍ୟକ୍ତି ଡାକ୍ତରଖାନାକୁ ଯାଇନପାରୁନଥିବା ଅଭିଯୋଗ ହୋଇଛି । ସମସ୍ୟାର ପ୍ରତିକାର ନିମନ୍ତେ ସ୍ଥାନୀୟ ମା’ ଲଳିତେଶ୍ୱରୀ ସ୍ୱୟଂସହାୟିକା ଗୋଷ୍ଠୀର ସଭାନେତ୍ରୀ ପ୍ରଭାତୀ ଦାସ, ସମ୍ପାଦିକା ସ୍ନେହଲତା ବାରିକ, ଗୋପୀନାଥଜିଉ ସ୍ୱୟଂସହାୟିକା ଗୋଷ୍ଠୀର ସଭାନେତ୍ରୀ ଦିପ୍ତୀ ବାରି, ସମ୍ପାଦିକା ବିଦୁ୍ୟତପ୍ରଭା ମହାନ୍ତ, ୱାର୍ଡ ସଭ୍ୟା ସସ୍ମିତା ମହାନ୍ତଙ୍କ ସମେତ ଶତାଧିକ ମହିଳା ରାଜ୍ୟ ମାନବାଧିକାର କମିଶନର, ଛତା ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ, କେନ୍ଦ୍ରାପଡ଼ା ଡ୍ରେନେଜ କଟ୍ ନିର୍ବାହୀ ଯନ୍ତ୍ରୀ, ନିଶ୍ଚିନ୍ତକୋଇଲି ତହସିଲଦାର, ବିଡିଓଙ୍କୁ ଅବଗତ କରାଇ ରାସ୍ତା ଅବରୋଧ ନିମନ୍ତେ ଦାବିପତ୍ର ଦେଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଅସୁରେଶ୍ୱର ଯିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ଆଇନ ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଙ୍ଗଳବାର ଶତାଧିକ ମହିଳା ଭେଟି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଦାବି କରିଛନ୍ତି । ଅନ୍ୟଥା ଆଗାମୀ ଦିନରେ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ।




Powered by odothemes.com