12-9-2018=4

ପୁଞ୍ଜିନିବେଶ ଲାଗି ଆହ୍ୱାନ

25

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ
ଭୁବନେଶ୍ୱର, ୧୨ା୯(ବୁ୍ୟରୋ): ରାଜ୍ୟ ସରକାର ସର୍ବଦା ଶିଳ୍ପକୁ ଗୁରୁତ୍ୱ ଦେଇଆସୁଛନ୍ତି । ଗତ ୧୮ ବର୍ଷ ଧରି ସରକାର ରାଜ୍ୟରେ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଶିଳ୍ପପତି ମାନେ ଓଡିଶାରେ ଅଧିକ ସଂଖ୍ୟାରେ ପୁଞ୍ଜି ନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ମୁମ୍ବାଇ ପରେ ଆଜି ନୂଆଦିଲ୍ଲୀର ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆୟୋଜିତ ରୋଡ୍ ଶୋ କରାଯାଇଥିଲା । ଏଥିରେ ଦେଶର ବହୁ ପ୍ରତିଷ୍ଠିତ ଶିଳ୍ପପତି ମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଇନ୍ଭେଷ୍ଟ ଓଡିଶା ୱେବସାଇଟ୍’କୁ ଉନ୍ମୋଚନ କରି ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୧୧ରୁ ୧୫ ଯାଏଁ ହେବାକୁ ଥିବା ମେକ୍ଇନ୍ ଓଡିଶା କନ୍କ୍ଲେଭ ସମ୍ପର୍କରେ ଶିଳ୍ପପତିମାନଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡିଶାରେ ଅନୂକୂଳ ପରିବେଶ ରହିଛି । ଏଣୁ ରାଜ୍ୟରେ ଶିଳ୍ପ ବିକାଶ ପାଇଁ ଅଧିକ ପୁଞ୍ଜି ନିବେଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଓଡିଶାରେ ଅଧିକ ପୁଞ୍ଜିନିବେଶ ହେଲେ ଏହା ପୂର୍ବଭାରତରେ ମାନ୍ୟୁଫ୍ୟାକଚରିଙ୍ଗ୍ ହବ୍ ପାଲଟିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଶିଳ୍ପପତି ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ହେଉଛି ଦକ୍ଷିଣ ଏସିଆରେ ଆଲୁମିନିୟମର ରାଜଧାନୀ । ଦେଶର ୫୪% ଆଲୁମିନିୟମ ଓଡିଶାରୁ ଉତ୍ପାଦିତ ହୋଇଥାଏ । ଏହା ବ୍ୟତୀତ ସମଗ୍ର ଦେଶରେ ଓଡିଶା ମଧ୍ୟ ଷ୍ଟିଲ୍ ହବ୍ ରୂପେ ପରିଚିତ । ଓଡିଶାରେ ସଡକ, ବନ୍ଦର ଏବଂ ବିଦୁ୍ୟତ୍ ଶକ୍ତିର ଯଥେଷ୍ଟ ସୁବିଧା ଥିବାରୁ ଶିଳ୍ପପତିମାନେ ଏହାର ସୁବିଧା ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାର ଟିମ୍ ୱାର୍କ, ଟେକ୍ନୋଲୋଜି ଏବଂ ଟ୍ରାନ୍ସପରେନ୍ସି ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଗତ ୬ମାସ ମଧ୍ୟରେ ୧୭ହଜାର କୋଟି ଟଙ୍କାର ଊଦ୍ଧ୍ୱର୍ର ୫୦ଟି ପ୍ରକଳ୍ପ ଓଡିଶାରେ ହେବାପାଇଁ ସୁଯୋଗ ସୃଷ୍ଟି ହୋଇଛି । ଯାହାଦ୍ୱାରା ରାଜ୍ୟରେ ନିଯୁକ୍ତି ସୁବିଧା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଆମର ଫ୍ଲାଗ୍ସିପ୍ ଦ୍ୱିବାର୍ଷିକ ଗ୍ଲୋବାଲ୍ ନିବେଶକ ସମ୍ମିଳନୀ- ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍କୁ ଆପଣମାନଙ୍କୁ ନିମନ୍ତ୍ରଣ ଜଣାଇବା ପାଇଁ ମୁଁ ଏଠାକୁ ଆସିଛି । ମେକ୍ ଇନ୍ ଓଡ଼ିଶାରେ ଆପଣମାନେ ପୂର୍ବ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ମାନୁଫାକ୍ଚରିଂ ହବ୍ ଓଡ଼ିଶାରେ ଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଜାଣିପାରିବେ । ବ୍ୟବସାୟ ଅଭିବୃଦ୍ଧି ପାଇଁ ଲଗାତର ସର୍ବୋତ୍ତମ ସୁଯୋଗ ସୃଷ୍ଟି ତଥା ସେବା ଯୋଗାଇବା ଉଦେ୍ଦଶ୍ୟରେ ଆମ୍ଭ ଭିଜନ୍ର ଅଂଶସ୍ୱରୂପ ମୋ ସରକାର ଗତ ୧୮ ବର୍ଷ ମଧ୍ୟରେ ଭିତ୍ତିଭୂମି ସୁବିଧା ସୁଧାର ଆଣିବାକୁ ଅନେକ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିଛି । ମୁଁ ଆପଣମାନଙ୍କୁ ଖୁସିର ସହ ଜଣାଇବାକୁ ଚାହେଁ ଯେ ରାଜ୍ୟର ବନ୍ଦର କ୍ଷମତା ୨୦.୫ ନିୟୁତ ଟନ୍ରୁ ୧୯୦ ନିୟୁତ ଟନ୍କୁ ବୃଦ୍ଧି ଘଟିଛି, ଶକ୍ତି ଉତ୍ପାଦନ ୩ ଗୁଣରୁ ଅଧିକ ବଢ଼ି ୧୭,୬୯୦ ମେଗାୱାଟ୍ ହୋଇଛି ଏବଂ ସଡ଼କ ନେଟ୍ୱର୍କ ୫୦%ରୁ ଅଧିକ ବୃଦ୍ଧି ଘଟିଛି ।
ଶିଳ୍ପଗୁଡ଼ିକୁ ଏକ ସ୍ୱଚ୍ଛ ଇକୋସିଷ୍ଟମ୍ ଯୋଗାଇବା ମୋ ସରକାରର ପ୍ରମୁଖ ଗୁରୁତ୍ୱ ରହିଆସିଛି । ଏହି ଉଦେ୍ଦଶ୍ୟରେ ଆମେ ସମସ୍ତ ନୀତି, କଷ୍ଟ-ଅଫ୍-ଡୁଇଙ୍ଗ୍ ବିଜ୍ନେସ୍ ଓ ଭିତ୍ତିଭୂମି ସମ୍ପର୍କୀତ ସୂଚନାକୁ ଏକ ସିଙ୍ଗଲ୍ ତଥା ଉପଭୋକ୍ତା ଅନୂକଳ ପୋର୍ଟାଲ ‘ଇନ୍ଭେଷ୍ଟ୍ ଓଡ଼ିଶା’ରେ ଉପଲବ୍ଧ କରାଇବୁ । ଆଜି ଶୁଭାରମ୍ଭ ହୋଇଥିବା ୱେବ୍ସାଇଟ୍, ନିବେଶକଙ୍କୁ ସୂଚନା ଉପଲବ୍ଧ କରାଇବାରେ ବେଶ୍ ଆଗକୁ ଯିବ ଏବଂ ଏହା ପ୍ରକୃତରେ ଏକ ଏକକ ଚାଟ୍ବଟ୍ ‘ଓଡ଼ିଶୀ’ ଜରିଆରେ ନିବେଶକଙ୍କୁ ନିୟୋଜିତ ରଖିବ, ଯାହାକି ଉପଭୋକ୍ତାଙ୍କୁ କଷ୍ଟମାଇଜ୍ଡ ସୂଚନା ଯୋଗାଇବ । ଏହି ୱେବ୍ସାଇଟ୍ ନିବେଶକଙ୍କୁ ଓଡ଼ିଶାରେ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗକୁ ଅନ୍ୟ ରାଜ୍ୟ ତଥା ରାଷ୍ଟ୍ରର ସୁବିଧା ସୁଯୋଗ ସହ ତୁଳନା କରିବାର ସୁଯୋଗ ଦେବ । ଫଳରେ ନିବେଶକମାନେ ସେମାନଙ୍କ ପୁଞ୍ଜିନିବେଶ ସମ୍ପର୍କରେ ଉପଯୁକ୍ତ ନିଷ୍ପତି ନେଇପାରିବେ । ମୋ ସରକାର ବିଭିନ୍ନ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକୁ ବାସ୍ତବରେ ପରିଣତ କରିବା ପାଇଁ ନିଜ ପ୍ରତିଶ୍ରୁତିବଦ୍ଧତାକୁ କାଯଁ୍ୟରେ ପରିଣତ କରି ଦେଖାଇଛି । ଗତ ୯ ମାସରେ ଆମେ ୧୭,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ମୂଲ୍ୟର ୫୦ଟି ପ୍ରକଳ୍ପକୁ ସଫଳତାର ସହ ଉଦ୍ଘାଟନ/ଗ୍ରାଉଣ୍ଡବ୍ରେକିଂ କରାଇଛୁ । ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ୨୧,୦୦୦ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ଆଣିବ । ସରକାରଙ୍କ ୩ଟି ମନ୍ତ୍ର- ଟିମ୍ୱାର୍କ, ଟେକ୍ନୋଲୋଜି ଏବଂ ଟ୍ରାନ୍ସପାରେନ୍ସି ବିନା ଏହା ସମ୍ଭବପର ହୋଇପାରିନଥାନ୍ତା ।
ନିବେଶକମାନଙ୍କ ସହ ସାକ୍ଷାତ୍ ବେଳେ ରାଜ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ବ୍ୟବସାୟ କରିବା, ନିବେଶକଙ୍କ ପାଇଁ ପ୍ରୋତ୍ସାହନ, ସମର୍ପିତ କ୍ଷେତ୍ରଭିତ୍ତିକ କ୍ଲଷ୍ଟର୍ ଏବଂ ଶିଳ୍ପ ବିକାଶ ପାଇଁ ଉପଲବ୍ଧ ୧,୨୫,୦୦୦ ଏକରର ଜମି ବ୍ୟାଙ୍କ ଭଳି ଓଡ଼ିଶାର ରଣନୀତିକ ଫାଇଦା ସମ୍ପର୍କରେ ଅବଗତ କରାଯାଇଥିଲା । କଳିଙ୍ଗନଗରସ୍ଥିତ ନ୍ୟାସନାଲ୍ ଇନ୍ଭେଷ୍ଟମେଣ୍ଟ୍ ମାନୁଫାକ୍ଚରିଂ ଜୋନ୍ (ଏନ୍ଆଇଏମ୍ଜେଡ୍), ଖୋର୍ଦ୍ଧା ଓ ଛତାବରର ଫୁଡ୍ ପ୍ରୋସେସିଂ ପାର୍କ, ରାମଦାସ୍ପୁର ଓ ଧାମନଗରରେ ଟେକ୍ସଟାଇଲ୍ ଓ ପୋଷାକ ପାର୍କ, ଅନୁଗୁଳ ଆଲୁମିନିୟମ ପାର୍କ ଏବଂ ପାରାଦୀପର ପ୍ଲାଷ୍ଟିକ୍ ପାର୍କରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ନିବେଶକଙ୍କୁ ବିସ୍ତୃତ ସୂଚନା ଦିଆଯାଇଥିଲା ।
ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହାରରେ ଆସୋଚାମ୍ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ର୍ୟାଙ୍କିଙ୍ଗ୍ କରିଛି ଏବଂ ଭାରତର ଲାଇଭ୍ ମାନୁଫାକ୍ଚରିଂ ପୁଞ୍ଜିନିବେଶ ଆଧାରରେ ଦେଶର ପ୍ରମୁଖ ୩ଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି । ୨୦୧୬-୧୭ରେ ଓଡ଼ିଶାର ଜିଏସ୍ଡିପି ଅଭିବୃଦ୍ଧି ୭.୯୪% ରହିଛି, ଯାହାକି ଜାତୀୟ ଅଭିବୃଦ୍ଧି ହାର ୭.୧% ତୁଳନାରେ ଢେର୍ ଅଧିକ ।
ଏ ଅବସରରେ ବହୁ ଭାରତୀୟ ଶିଳ୍ପମୁଖ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଏହି ଶିଳ୍ପମୁଖ୍ୟଙ୍କ ମଧ୍ୟରେ ଓୟୋ ରୁମ୍ସ ପ୍ରତିଷ୍ଠାତା ଓ ସିଇଓ ରିତେଶ ଅଗରୱାଲ, ଭାରତୀ ଏଣ୍ଟ୍ରପ୍ରାଇଜେସ୍ ଏମ୍ଡି ରାଜନ୍ ମିତଲ୍, ବରୁଣ ବେଭରେଜେସ୍ ଲିମିଟେଡ୍ ଅଧ୍ୟକ୍ଷ କମ୍ଲେଶ୍ ଜୈନ, ଅରାକଲ୍ ଇଣ୍ଡିଆ ଏମ୍ଡି ଶୈଳେନ୍ଦ୍ର କୁମାର ପ୍ରମୁଖ ରହିଥିଲେ । ଓଡ଼ିଶାର ଫୋକସ୍ କ୍ଷେତ୍ର ଖାଦ୍ୟ ପ୍ରକ୍ରିୟାକରଣ ଓ ସାମୁଦ୍ରିକ ଖାଦ୍ୟ, ମେଟାଲ୍ କ୍ଷେତ୍ରରେ ଆନ୍ସିଲାରି ଓ ଡାଉନ୍ଷ୍ଟ୍ରିମ୍ ଶିଳ୍ପ, ବୟନ ଶିଳ୍ପ, ଇଏସ୍ଡିଏମ୍ ମାନୁଫାକ୍ଚରିଂ, କେମିକାଲ୍ସ, ପ୍ଲାଷ୍ଟିକ୍ ଓ ପେଟ୍ରୋକେମିକାଲ୍ସ ଏବଂ ପର୍ଯ୍ୟଟନରେ ରହିଥିବା ଆକର୍ଷଣୀୟ ଅଭିବୃଦ୍ଧି ସୁଯୋଗର ଅନ୍ୱେଷଣ ପାଇଁ ଏହି ରୋଡ୍ ଶୋ’ରେ ୩୦୦ରୁ ଅଧିକ କମ୍ପାନିର ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ ।
ଏହି ନିବେଶକ ସମ୍ମିଳନୀରେ ସମ୍ମାନିତ ଅତିଥିଙ୍କ ମଧ୍ୟରେ ଜେଏସ୍ପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ, ଓୟୋ ରୁମ୍ସ ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗରୱାଲ, ଏସ୍ଏମ୍ଏସ୍ ଗ୍ରୁପ୍ ଇଣ୍ଡିଆ ଏମ୍ଡି ମାର୍କ ହଫ୍ମାନ୍ ଓ ଶାହି ଏକ୍ସପୋର୍ଟ ଅଧ୍ୟକ୍ଷ ହରିଶ୍ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଜିନ୍ଦଲ୍ ଡାଉନ୍ଷ୍ଟ୍ରିମ୍ ଇସ୍ପାତ ୟୁନିଟ୍ ପାଇଁ ଓଡ଼ିଶାରେ ଏକ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ । ମାର୍କ ହଫ୍ମାନ୍ କହିିଲେ, ଶସ୍ତାରେ ଜମି, ବିଜୁଳି ଏବଂ ଦକ୍ଷ ମାନବସମ୍ବଳ ଉପଲବ୍ଧ ହେଉଥିବା କାରଣରୁ ଏସ୍ଏମ୍ଏସ୍ ଗ୍ରୁପ୍ ଓଡ଼ିଶାରେ ନିଜର ଉତ୍ପାଦନ ପ୍ଲାଣ୍ଟ୍ ସ୍ଥାପନ କରିଛି । ଏବେ କମ୍ପାନି ଓଡ଼ିଶାର ୨ଟି ସ୍ଥାନରେ ଏହା ୟୁନିଟ୍ ଚଳାଇଛି । ରିତେଶ ଅଗରୱାଲ କହିଲେ, ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ତାଙ୍କର ପିଲାଦିନ କଟିଥିବା ବେଳେ ଏହା ତାଙ୍କ ଔଦ୍ୟୋଗିକ ଯାତ୍ରାରେ ବେଶ୍ ସକାରାତ୍ମକ ପ୍ରଭାବ ପକାଇଥିଲା । ଭାରତର ସର୍ବବୃହତ୍ ହସ୍ପିଟାଲିଟି ଶୃଙ୍ଖଳ ଓୟୋ ରୁମ୍ସର ଓଡ଼ିଶା ଯାତ୍ରା ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଓୟୋ ୨ ବର୍ଷ ପୂର୍ବେ ଓଡ଼ିଶା ଆସିଥିଲା । ଏହି ୨ ବର୍ଷ ମଧ୍ୟରେ ଓୟୋ ରୁମ୍ସ ୧୦୦ ସମ୍ପତ୍ତି ସହ ସର୍ବବୃହତ୍ ହସ୍ପିଟାଲିଟି କମ୍ପାନି ଭାବେ ଅଭିବୃଦ୍ଧି କରିଛି ଏବଂ ନିକଟ ଭବିଷ୍ୟତରେ ୩୦୦ ସମ୍ପତ୍ତିକୁ ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି । ହରିଶ୍ ଆହୁଜା କହିଲେ, ପୋଷାକ ମାନୁଫାକ୍ଚରିଂ ଏକ ଉଚ୍ଚ ନିଯୁକ୍ତିଭିତ୍ତିକ ଶିଳ୍ପ । ୨୦୧୫ ଅଗଷ୍ଟରେ ଆମେ ୟୁନିଟ୍ ସ୍ଥାପନ କରିଥିଲୁ ।
ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ର ଉଦ୍ୟାପନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଉଭୟ ଘରୋଇ ଓ ବିଦେଶୀ ପୁଞ୍ଜିନିବେଶକାରୀ ଓ ବ୍ୟବସାୟିକ ସଂସ୍ଥାକୁ ଆଗାମୀ ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ରେ ଯୋଗଦେବା ପାଇଁ ଆମନ୍ତ୍ରଣ କରୁଛି । ନଭେମ୍ବର ୧୧ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ହେବାକୁ ଥିବା ଏହି କନ୍କ୍ଲେଭ୍ ଯୋଗଦେବା ପାଇଁ ସେ କହିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ଜାପାନ ରାଷ୍ଟ୍ରଦୂତ ଓ ଜାପାନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଓ ସାଉଦୀ ଆରବର ଆମ୍ବାସୀ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ଏହାଛଡା ସେ ଇଲେକ୍ଟ୍ରୋନିକ୍ସ, ଆଇଟି, ଟେଲିକମୁ୍ୟନିକେସନ, ପେଟ୍ରୋକେମିକାଲ୍, ଏରୋସ୍ପେସ୍ ଏବଂ ପ୍ରତିରକ୍ଷା, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଓ ପୋଷାକପତ୍ର ଆଦି ଶିଳ୍ପ କ୍ଷେତ୍ରର ପ୍ରତିଷ୍ଠିତ ଶିଳ୍ପପତିମାନଙ୍କ ସହ ମଧ୍ୟ ବୈଠକ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com