dama

ଦାମ ବହିଷ୍କୃତ

21

ମହଙ୍ଗା ପଡିÿଲା ଦଳ ବିରୋଧୀ କାର୍ଯ୍ୟ
ଭୁବନେଶ୍ୱର, ୧୨ା୯(ବୁ୍ୟରୋ): ବରିଷ୍ଠ ବିଜେଡି ନେତା ତଥା ପାରାଦୀପ ବିଧାୟକ ଡା. ଦାମୋଦର ରାଉତଙ୍କୁ ଆଜି ଦଳରୁ ବହିଷ୍କାର କରାଯାଇଛି । ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ଅପରପକ୍ଷରେ ଶ୍ରୀ ରାଉତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବହିଷ୍କାରର କାରଣ କ’ଣ ଜାଣିନାହିଁ । ମୋର କାହା ବିରୋଧରେ କିଛି କହିବାର ନାହିଁ ।
ବିଜେଡିର ଜଣେ ବରିଷ୍ଠ ନେତାଭାବେ ଶ୍ରୀ ରାଉତ ଜଣାଶୁଣା । ପ୍ରାୟ ୭ ଥର ସେ ବିଧାୟକଭାବେ ଜିତିଥିଲେ । ବିଜୁ ପଟ୍ଟନାୟକଙ୍କ ସହ ସେ ରାଜନୀତିରେ ପାଦଦେଇଥିଲେ । ତେବେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଗଠନ ହୋଇଥିବା ବିଜୁ ଜନତା ଦଳରେ ସେ ପ୍ରଥମେ ସାମିଲ ହୋଇନଥିଲେ । ମୂଳ ଜନତା ଦଳରେ ସେ ରହିଥିଲେ । ତେବେ କିଛିବର୍ଷ ପରେ ବିଜେଡିରେ ସାମିଲ ହୋଇଥିଲେ । ନିଜର ବୟାନକୁ ନେଇ ସେ ସବୁବେଳେ ବିତର୍କରେ ରହୁଥିଲେ । ଅନେକ ସମୟରେ ତାଙ୍କର ବୟାନବାଜି ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଥିଲା । ଏସବୁ ସତ୍ତ୍ୱେ ବି ତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଦିଆଯିବା ସହ ମନ୍ତ୍ରୀ ମଧ୍ୟ କରାଯାଇଥିଲା । ନିକଟରେ ବ୍ରାହ୍ମଣମାନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଥିଲା । ଏହାପରେ ଦଳର ଉପସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ତାଙ୍କୁ ଅନ୍ତର କରାଯାଇଥିଲା । କିଛିଦିନ ହେବ ଶ୍ରୀ ରାଉତ ବିଜେଡିରେ ଥିଲେ ମଧ୍ୟ ଦଳର କୌଣସି କାର୍ଯ୍ୟକ୍ରମରେ ସାମିଲ ହେଉନଥିଲେ । ନିକଟରେ ଏବେ ସେ କିଛି ବିବାଦମାନ ମନ୍ତବ୍ୟ ଦେଇଥିଲେ । ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିବା ସହ ଦଳର କିଛି ନେତାଙ୍କ ବିରୋଧରେ ଟିପ୍ପଣୀ କରିଥିଲେ । ଗତ ଦୁଇଦିନ ଧରି ଜଗତସିଂହପୁର ଜିଲ୍ଲାର ନେତାମାନେ ନବୀନ ନିବାସ ଆସି ତାଙ୍କ ବିରୋଧରେ ଫେରାଦ ହୋଇଥିଲେ । ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଚରଣ ଦାସ ଦଳର ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାମଙ୍କ ଦଳବିରୋଧୀ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ଶ୍ରୀ ମୁଦୁଲି ଅଭିଯୋଗ କରିଥିଲେ ଯେ ଏରସମା ବ୍ଲକ୍ରେ ଶ୍ରୀ ରାଉତ ବିଜେପି ଓ କଂଗ୍ରେସ ନେତାଙ୍କ ସହ ଗୁପ୍ତ ମନ୍ତ୍ରଣା କରୁଛନ୍ତି । ଦଳ ବିରୋଧରେ କାର୍ଯ୍ୟ କରୁଛନ୍ତି । ଗତକାଲି ଜଗତସିଂହପୁର ଜିଲ୍ଲାର ପ୍ରାୟ ହଜାର ହଜାର କର୍ମୀ ଆସି ନବୀନ ନିବାସରେ ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରି ଶ୍ରୀ ରାଉତଙ୍କ ବିରୋଧରେ ଫେରାଦ ହୋଇଥିଲେ । ଏ ସମ୍ପର୍କରେ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଥିଲେ ଯେ ଦାମବାବୁଙ୍କ ବିରୋଧରେ କିଛି ଲୋକ ଅଭିଯୋଗ ଆଣିଛନ୍ତି । ଏହାର ଅନୁଧ୍ୟାନ କରାଯିବ । ଆଜି ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳର ପ୍ରାଥମିକ ସଭ୍ୟ ପଦରୁ ତାଙ୍କୁ ବହିଷ୍କାର କରାଯାଇଛି ।
ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି ଯେ ଦାମବାବୁଙ୍କ ସମ୍ପର୍କରେ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଯଥାର୍ଥ । ଏହାଦ୍ୱାରା ଦଳ ଉପରେ କିଛି ପ୍ରଭାବ ପଡିବନାହିଁ । ବହିଷ୍କାର ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ରାଉତ କହିଛନ୍ତି ଯେ ଦଳର ବହିଷ୍କାର ସମ୍ପର୍କରେ ସେ ଗଣମାଧ୍ୟମରୁ ଜାଣିବାକୁ ଚାହିଁଛନ୍ତି । ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ । ପ୍ରଥମେ ମୋତେ ମନ୍ତ୍ରୀ ପଦରୁ ପରେ ଦଳର ଉପସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକରୁ ବହିଷ୍କାର କରାଯାଇଥିଲା । ୮ ମାସ ଧରି ଦଳର କୌଣସି ନେତା, କର୍ମୀ ମୋ ସହ ସମ୍ପର୍କରେ ନଥିଲେ । ବହିଷ୍କାର ବାବଦରେ ମୋର କାହା ବିରୋଧରେ କିଛି କହିବାର ନାହିଁ । ସାଧାରଣ ଜୀବନରେ ଥିଲି, ରହିବି । ଆଗାମୀ ନିର୍ବାଚନ ଲଢିବି । ଦଳୀୟ ଟିକଟ ମୋ ପାଇଁ ଆବଶ୍ୟକ ନାହିଁ । ଲୋକେ ଚାହିଁଲେ ମୁଁ ସ୍ୱାଧୀନଭାବେ ନିର୍ବାଚନ ଲଢିବି । ଦଳ ବିରୋଧରେ କିଛି କହିନାହିଁ । ଚାରା ଦୁର୍ନୀତି, ଡଙ୍କରୀ ପାହାଡ, ରାମ୍କୋ ସିମେଣ୍ଟ କଥା ଉଠାଇଥିଲି । ଦୁର୍ନୀତି କଥା ଉଠାଇବା କ’ଣ ଦଳ ବିରୋଧୀ ବୋଲି ସେ ପ୍ରଶ୍ନ କରିବା ସହ ଓଡିଶାବାସୀ ଏହାର ବିଚାର କରିବେ ବୋଲି କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com