ABARJANA-RE-VARTI,-Jhumpura-(2)

ବିଷାକ୍ତ ହେଉଛି ପାଣି, ସଢୁଛନ୍ତି ୱାର୍ଡବାସୀ

15

ଆବର୍ଜନାରେ ଭର୍ତ୍ତି ପୁରୁଣା ପୋଖରୀ
ଝୁମ୍ପୁରା,୧୨ା୯(ଆପ୍ର): ଝୁମ୍ପୁରା ବସ୍ଷ୍ଟାଣ୍ଡ ଏବଂ ପଞ୍ଚାୟତ କାର୍ଯ୍ୟାଳୟର ଅନତି ଦୂରରେ ରହିଛି ପୁରୁଣା ପୋଖରୀ । ୧୦୦ ବର୍ଷରୁ ଅଧିକ ହେବ, ଏହି ପୋଖରୀ ଖୋଳା ଯାଇଥିବା ବେଳେ, ବର୍ତ୍ତମାନ ଏହି ପୋଖରୀ ପଞ୍ଚାୟତ ଅଧିନରେ ରହିଛି । ଝୁମ୍ପୁରା ଗ୍ରାମ ପଞ୍ଚାୟତର ୨ନଂ, ୪ନଂ, ୫ନଂ ଏବଂ ୭ନଂ ୱାର୍ଡ ବସିନ୍ଦା ସ୍ନାନ, ଶୌଚ ସହିତ ଦୈନଦିନର ଆନୁସଙ୍ଗିକ ପ୍ରକ୍ରିୟା ସମ୍ପାଦନ କରିବା ପାଇଁ ପୁରୁଣା ପୋଖରୀ ଉପରେ ନିର୍ଭର କରିଥାନ୍ତି । ବାରମ୍ବାର ଅଭିଯୋଗ ପରେ ଏହି ପୁରୁଣା ପୋଖରୀର ପଙ୍କୋଦ୍ଧାର ୨୦୧୫/୧୬ ଆର୍ଥିକ ବର୍ଷରେ କରାଯାଇଥିଲା, ଏଥି ପାଇଁ ୫ଲକ୍ଷ ଟଙ୍କା ମଧ୍ୟ ବ୍ୟୟବରାଦ ହୋଇଥିଲା । ପୋତି ହୋଇ ପଡିଥିବା ପୁରୁଣା ପୋଖରୀର ପଙ୍କୋଦ୍ଧାର ପରେ ୱାର୍ଡ ଗୁଡିକର ବାସିନ୍ଦା ସନ୍ତୋଷ ପ୍ରକାଶ କରିଥିଲେ । ହେଲେ ଏବେ ବଜାର ଆବର୍ଜନା ଯୋଗୁ ପୋଖରୀ ପାଣି ଦୁର୍ଗନ୍ଧ ହୋଇ ବିଷାକ୍ତ ହେବାରେ ଲାଗିଛି । ଝୁମ୍ପୁରା ବସ୍ଷ୍ଟାଣ୍ଡର ଦୈନଦିନର ସମସ୍ତ ଆବର୍ଜନା ପୁରୁଣା ପୋଖରୀ ହୁଡାରେ ପକାଯାଉଛି । ଆବର୍ଜନା ସବୁ ପାଣିରେ ଭାସି ବୁଲୁଛି । ପଙ୍କୋଦ୍ଧାର ପରେ ପୋଖରୀରେ ପାଣି ଭରି ରହୁଥିବାରୁ ୱାର୍ଡବାସୀ ବେଶ ଖୁସି ଥିଲେ, ହେଲେ ଏବେ ପୋଖରୀ ଆବର୍ଜନାମୟ ହୋଇ ଯାଉଥିବାରୁ ୱାର୍ଡବାସୀଙ୍କ ମଧ୍ୟରେ ଅସନ୍ତୁଷ୍ଟତା ପ୍ରକାଶ ପାଉଛି । ଏ ନେଇ ୱାର୍ଡବାସୀଙ୍କ ସହିତ ୧୭ନଂ ଜିଲ୍ଲାପରିଷଦ ସଦସ୍ୟ ଅନୁବ୍ରତ ବେହେରା, ପଞ୍ଚାୟତ କାର୍ଯ୍ୟାଳୟର ବୈଠକ ଗୁଡିକରେ ଅଭିଯୋଗ କରି ଚାଲିଛନ୍ତି, ହେଲେ ସମସ୍ୟାର ସମାଧାନ ହେଉନାହିଁ । ଏନେଇ ଝୁମ୍ପୁରା ସରପଞ୍ଚ ବୈଜୟନ୍ତୀ ନାଏକଙ୍କ ସହିତ ଯୋଗାଯୋଗ ହୋଇ ପରିନାହିଁ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମହାନ୍ତ କହିଲେ, ଏନେଇ ପଞ୍ଚାୟତ ବୈଠକରେ ଆଲୋଚନା ହୋଇଛି । ପୋଖରୀ ହୁଡାରୁ ଆବର୍ଜନା ସଫା ପାଇଁ ପଦକ୍ଷେପ ନିଆଯିବ ।

ସେଆର କରନ୍ତୁ:



Powered by odothemes.com