ହେଲମେଟ୍ ଚେକିଂରେ ପୁଲିସ ବ୍ୟସ୍ତ, ନାକେଦମ୍ କଲେଣି ଅପରାଧୀ

23

ଅପରାଧୀଙ୍କ ଭୂସ୍ୱର୍ଗ ପାଲଟିଛି କଟକ
କଟକ, ୨୨ା୬(ବୁ୍ୟରୋ): କଟକ ସହରର ଆଇନ୍ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅପରାଧୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି କଟକ ସହର । କେଉଁଠି ଚୋରି, ଡାକାୟତି ଓ ରାହାଜାନି ବୃଦ୍ଧି ପାଇଛି ତ ଆଉ କେଉଁଠି ଦାଦାଗିରି ଓ ବଟି ଆଦାୟକୁ ନେଇ ସହରରେ ଘନଘନ ଗୁଳିମାଡ଼ ଓ ବୋମା ବର୍ଷଣ ହେଉଛି । ପାଟ୍ରୋଲିଂ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଧନଜୀବନ ପ୍ରତି ଆଶଙ୍କା ଦେଖା ଦେଇଛି । ଅପରାଧୀଙ୍କୁ ଦମନ କରିବାରେ ପୁଲିସ୍ ବିଫଳ ହୋଇଛି । ଲୋକଦେଖାଣିଆ ଭାବେ ପୁଲିସ୍ ରାସ୍ତାଘାଟ ଓ ଛକରେ ଛିଡ଼ା ହୋଇ ଦୁଇଚକିଆ ଆରୋହୀଙ୍କ ହେଲ୍ମେଟ୍ ଯାଞ୍ଚ୍ କରିବା ସହ ନାକାବନ୍ଦୀ କରି ନିଜ କର୍ତ୍ତବ୍ୟ ଶେଷ କରିବା ବ୍ୟତୀତ ଅନ୍ୟ କୌଣସି ଦିଗରେ ଗୁରୁତ୍ୱ ଦେଉଥିବା ଭଳି ମନେ ହେଉନାହିଁ । ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପୁଲିସ୍ ବିଫଳ ହେଉଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସହରରେ ଗତ କିଛିମାସ ହେଲା ଅପରାଧ ବହୁମାତ୍ରାରେ ବୃଦ୍ଧି ପାଇଛି । ଅପରାଧୀମାନେ ଗୁଳି, ବୋମା ବର୍ଷଣ କରି ସହରରେ ଆତଙ୍କ ସୃଷ୍ଟି କରିଛନ୍ତି । ଦୁର୍ବୃତ୍ତମାନେ ସହରରେ ଦେବାଳୟ ଠାରୁ ଆରମ୍ଭ କରି ବ୍ୟବସାୟ ପ୍ରତିଷ୍ଠାନ ସମେତ ଘର କବାଟ ଏବଂ ତାଲା ଭାଙ୍ଗି ଲୁଟ୍ପାଟ କରୁଛନ୍ତି । ଗତ କିଛିମାସ ମଧ୍ୟରେ ସହରର ବିଭିନ୍ନ ସାହି ବସ୍ତିରେ ଚୋରି ବୃଦ୍ଧି ପାଇଛି । ଲୁଟେରାମାନେ ଠାକୁରଙ୍କର ଲକ୍ଷାଧିକ ଟଙ୍କାର ଅଳଙ୍କାର ଏବଂ ପୂଜା ସାମଗ୍ରୀ ଲୁଟି ନେଇଥିଲେ ମଧ୍ୟ କୌଣସି ଗୋଟିଏ ଘଟଣାରେ ପୁଲିସ୍ ଜଣେ ହେଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରିପାରି ନାହିଁ । ବିଭିନ୍ନ ଚୋରି ଘଟଣାରେ ପୁଲିସ କେବଳ ମାମଲା ରୁଜୁ କରି ଚୁପ୍ ହୋଇ ବସିଯାଉଛି । ବାଇକ୍ ଚୋରି ମଧ୍ୟ ବୃଦ୍ଧି ପାଇଛି । ଏସବୁ ଅପରାଧ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଠାବ କରିବାରେ ବିଫଳ ହୋଇଛି । ସହରରେ ଅପରାଧ ଧରପଗଡ଼କୁ ପୁଲିସ ଗୁରୁତ୍ୱ ଦେବା ବଦଳରେ ହେଲ୍ମେଟ୍ ଚେକିଂ କରି ହାତ ଝାଡ଼ି ବସିଯାଉଛି । ସିଡ଼ିଏ ଅଞ୍ଚଳ ଅପରାଧୀଙ୍କ ଚରାଭୂଇଁ ପାଲଟିିଛି । କିଛିମାସ ହେଲା ମର୍କତନଗର ଏବଂ ସିଡିଏ ଫେଜ୍-୨ ଅଞ୍ଚଳରେ ଚୋରି, ଡକାୟତି ବୃଦ୍ଧି ପାଇଛି । ରବିବାର ପୁଣି ୯ନମ୍ବର ସେକ୍ଟର ଅଞ୍ଚଳରେ ଚୋରି ହୋଇଛି । ଥାନା ପାଖରେ ଏହି ଘଟଣା ଘଟିଥିବାବେଳେ ପୁଲିସ ଅଚିନ୍ତାରେ ବସି ତଦନ୍ତ କରୁନଥିବା ଅଭିଯୋଗ ହୋଇଛି ।

ସେଆର କରନ୍ତୁ:



Powered by odothemes.com