telengena-front

ମର୍ମନ୍ତୁଦ ବସ୍ ଦୁର୍ଘଟଣା: ୫୫ ମୃତ

19

୩୨ ଆହତ – ମୃତକଙ୍କ ଲାଗି ୮ ଲକ୍ଷ ଅନୁକମ୍ପା ରାଶି ଘୋଷଣା
ହାଇଦ୍ରାବାଦ୍, ୧୧ା୯: ତେଲେଙ୍ଗାନାର ଜାଗତିଆଲ ଜିଲ୍ଲାର ସନିଭାରାମ୍ପେଟ ଗାଁ ନିକଟସ୍ଥ କୋଣ୍ଡାଗାଟ୍ଟୁ ମଣ୍ଡଳରେ ଏକ ତୀର୍ଥଯାତ୍ରୀ ବସ୍ ଖାଇକୁ ଖସିପଡିବା ପରେ ୫୫ ଜଣ ଲୋକଙ୍କ ମୃତୁ୍ୟ ହେବା ସହ ୩୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨୯ ଜଣ ମହିଳା ଅଛନ୍ତି । ତେଲେଙ୍ଗାନା ରାଜ୍ୟ ପରିବହନ ନିଗମର ଏହି ବସ୍ଟି ୩୦ ଫୁଟ୍ ତଳକୁ ଖସିପଡିଥିଲା । ସମଗ୍ର ଦେଶରେ ବସ୍ ଦୁର୍ଘଟଣାରେ ଏତେ ସଂଖ୍ୟକ ମୃତୁ୍ୟ ହେବା ହେଉଛି ପ୍ରଥମ ଘଟଣା । ପୂର୍ବରୁ କାଶ୍ମୀରରେ ଏକ ବସ୍ ଦୁର୍ଘଟଣାରେ ୫୧ ଜଣଙ୍କ ମୃତୁ୍ୟ ହୋଇଥିଲା । ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କ ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି । ସେହିଭଳି ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ମଧ୍ୟ ୩ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ, ୱାଇଏସ୍ଆର୍ସିପି ସଭାପତି ୱାଇଏସ୍ ଜଗମୋହନ ରେଡ୍ଡୀଙ୍କ ସମେତ ବହୁ ନେତା ବସ୍ ଦୁର୍ଘଟଣା ଘଟଣା ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ତେଲେଙ୍ଗାନା ରାଜ୍ୟ ପରିବହନର ଏହି ବସ୍ଟି ୮୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା । ଯାତ୍ରୀମାନେ ପର୍ବତ ଶିଖରରେ ଥିବା ଶ୍ରୀ ଅଞ୍ଜନେୟା ସ୍ୱାମୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ସନିଭାରାମ୍ପେଟ ଗ୍ରାମ ନିକଟରେ ବସ୍ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇଥିବାରୁ ବସ୍ଟି ୩୦ ଫୁଟ୍ ତଳକୁ ଖସିପଡିଥିଲା । ଫଳରେ ଏହି ବଡ ଦୁର୍ଘଟଣା ଘଟିଥିଲା । ବସ୍ ଡ୍ରାଇଭର ଶ୍ରୀନିବାସର କହିବା ଅନୁଯାୟୀ ରାସ୍ତାରେ ଥିବା ହମ୍ପସ୍ଗୁଡିକ ସେ ଦେଖିପାରିନଥିଲା । ଫଳରେ ବସ୍ର ଗତିକୁ କମାଇପାରିନଥିଲା । ଯେଉଁଥିପାଇଁ ସେ ତା’ର ନିୟନ୍ତ୍ରଣ ହରାଇବସିଥିଲା । ବସ୍ଟି ଖାଇକୁ ଖସିବା ପୂର୍ବରୁ ୪ ଥର ରାସ୍ତା ତଳକୁ ଆସିଥିଲା । ବସ୍ଟି ଯାତ୍ରୀଙ୍କ ଦ୍ୱାରା ଭରପୁର ଥିବାରୁ ନିୟନ୍ତ୍ରଣ ରଖିବା ସମ୍ଭବ ହୋଇପାରିଲା ନାହିଁ । ଡ୍ରାଇଭର ଶ୍ରୀନିବାସକୁ ତେଲେଙ୍ଗାନା ସଡକ ପରିବହନ ନିଗମ ପକ୍ଷରୁ ଉଲ୍ଲେଖନୀୟ ସେବା ଲାଗି ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧିକାଂଶ ଯାତ୍ରୀ ଜଣଙ୍କ ଉପରେ ଜଣେ ପଡିଯାଇଥିବାରୁ ଶ୍ୱାସରୁଦ୍ଧ ହୋଇ ମୃତୁ୍ୟବରଣ କରିଛନ୍ତି । ତେଲେଙ୍ଗାନାର ଆଇଟି ମନ୍ତ୍ରୀ କେଟି ରାମାରାଓ ଘଟଣାସ୍ଥଳକୁ ଯାଇ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ଗୁରୁତର ଆହତମାନଙ୍କୁ ତୁରନ୍ତ ହାଇଦ୍ରାବାଦ୍ ଓ କରିମ୍ନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜିଲ୍ଲା ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚô ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଖାଇ ମଧ୍ୟରୁ ଶବଗୁଡିକ ବାହାର କରାଯାଇ ଜାଗତିଆଲ୍ ସରକାରୀ ହସ୍ପିଟାଲକୁ ଚିହ୍ନଟ ଓ ବ୍ୟବିଚ୍ଛେଦ ପାଇଁ ପଠାଯାଇଛି । ପ୍ରାୟ ୪୫ ଜଣ ମୃତକଙ୍କୁ ଚିହ୍ନଟ କରାଯାଇଛି । ମୃତକଙ୍କ ମଧ୍ୟରେ ଥିବା ମହିଳାମାନେ ୪୦ ବର୍ଷରୁ ଊଦ୍ଧ୍ୱର୍ ବୋଲି ଜଣାପଡିଛି । ମଙ୍ଗଳବାର ହୋଇଥିବାରୁ ଏହି ମନ୍ଦିରରେ ବ୍ୟାପକ ଭିଡ ହୋଇଥିଲା । ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ସେହିଭଳି ଜିଲ୍ଲାମନ୍ତ୍ରୀ ଇଟାଲା ରାଜେନ୍ଦରନ୍ଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ କୁହାଯିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ ହେଲ୍ପଲାଇନ୍ ନମ୍ବର ପ୍ରଦାନ କରାଯାଇଛି । ପରିବହନ ମନ୍ତ୍ରୀ ମରେନ୍ଦ୍ର ରେଡ୍ଡୀ ଦୁର୍ଘଟଣାସ୍ଥଳ ଓ ହସ୍ପିଟାଲରେ ଚିକିତ୍ସା ହେଉଥିବା ଲୋକମାନଙ୍କୁ ଭେଟିଛନ୍ତି । ସେହିଭଳି ୬ ଜଣ ବିଶେଷଜ୍ଞକୁ ନେଇ ଗଠିତ ଏକ ଡାକ୍ତରୀ ଟିମ୍ ହାଇଦ୍ରାବାଦ୍ରୁ ଘଟଣାସ୍ଥଳକୁ ପଠାଯାଇଛି । ସେମାନେ ଆହତମାନଙ୍କ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆମ୍ବୁଲାନ୍ସ ମଧ୍ୟ ସଜାଗ ରଖାଯାଇଛି ।




Powered by odothemes.com