11-TODAY-TUSE-DAY-ASSAMBLY-(5)

ପୁଞ୍ଜି ନିବେଶ ପ୍ରସଙ୍ଗରେ ପ୍ରଶ୍ନକାଳ ଅଚଳ

32

ଭୁବନେଶ୍ୱର,୧୧ ।୯(ବୁ୍ୟରୋ): ରାଜ୍ୟରେ ଶିଳ୍ପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ରାଜ୍ୟ ତଥା ଦେଶବାହାରେ ରୋଡ୍ ଶୋର ଆୟୋଜନ କରୁଛନ୍ତି । କିନ୍ତୁ କୌଣସି ପୁଞ୍ଜି ଓଡ଼ିଶାକୁ ଆଣିପାରୁନାହାନ୍ତି । କେନ୍ଦ୍ରସରକାରଙ୍କଠାରୁ ବିଭିନ୍ନ ପ୍ରକଳ୍ପ ବାବଦରେ ୩୦ହଜାର କୋଟିରୁ ଅଧିକ ଅନୁଦାନ ଆସିଛି । ଏହାକୁ ଖର୍ଚ୍ଚ ନକରି ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ନୂଆଦିଲ୍ଲୀରେ ରୋଡ୍ ଶୋର ଆୟୋଜନ କରୁଛନ୍ତି । ଏହା ରାଜ୍ୟପାଇଁ ଅନୁକୂଳ ନୁହେଁ ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ମଙ୍ଗଳବାର ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରେ ବିଜେପି ଏହି ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରିବାପରେ ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ କଡ଼ା ପ୍ରତିକ୍ରିୟା ରଖାଯାଇଛି । ରାଜ୍ୟର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ନିରନ୍ତର ଉଦ୍ୟମ କରୁଥିବାବେଳେ ବିଜେପି ପୁଞ୍ଜି ନିବେଶରେ ବାଧକ ସାଜିଛି । ମେକ୍ଇନ୍ ଓଡ଼ିଶାକୁ ବିରୋଧ କରି ବିଜେପି ନିଜର ବିକୃତ ମାନସିକତାର ପରିଚୟ ଦେଉଛି ବୋଲି ଶାସକ ଦଳ ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି । ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିଜେପି ସଦସ୍ୟ ପ୍ରଦୀପ ରୋହିତ, ରବି ନାୟକ, ଗୋବିନ୍ଦ ଦାସ, ବିଭୂତି ଭୂଷଣ ହରିଚନ୍ଦନ ପ୍ରମୁଖ ଗୃହର ମଧ୍ୟଭାଗକୁ ଚାଲିଆସି ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତକୁ ବିରୋଧ କରିଥିଲେ । ପୁଞ୍ଜି ଲଗାଣ କ୍ଷେତ୍ରରେ ସରକାର ବିଫଳ ହୋଇଥିବାବେଳେ ଏହାକୁ ନେଇ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ ଓ ହୋହଲ୍ଲା କରିଥିଲେ । ଗୃହରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ପ୍ରଶ୍ନକାଳକୁ ମୁଲତବୀ ରଖିଥିଲେ । ମଙ୍ଗଳବାର ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କେଙ୍ଗମ୍ ସୂର୍ଯ୍ୟରାଓଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ଉତ୍ତର ରଖିଥିଲେ । ଏହି ସମୟରେ ବିଜେପି ସଦସ୍ୟମାନେ ନୂଆଦିଲ୍ଲୀରେ ଅନୁୂଷ୍ଠିତ ହେଉଥିବା ମେକ୍ ଇନ୍ ଓଡ଼ିଶା ରୋଡ୍ ଶୋ’ରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ନେଇ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଥିଲା । ପୁଞ୍ଜି ବିନିଯୋଗରେ ରାଜ୍ୟସରକାର ବିଫଳ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନିଜର ଆତ୍ମପ୍ରଚାର କରିବାପାଇଁ ଉଦ୍ୟମ କରୁଛନ୍ତି ବୋଲି ବିଜେପି ପକ୍ଷରୁ ହୋହଲ୍ଲା ଓ ପାଟିତୁଣ୍ଡ ହୋଇଥିଲା । ଗୃହରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ତେବେ ଏହି ପ୍ରସଙ୍ଗକୁ ନେଇ ଉଭୟ ଶାସକ ଓ ବିରୋଧି ଦଳ ଗୃହ ବାହାରେ ମୁହାଁମୁହିଁ ହୋଇଛନ୍ତି । ପ୍ରଶ୍ନକାଳ ବାତିଲ ହେବାପରେ ବିରୋଧୀ ଦଳର ନେତା ନରସିଂହ ମିଶ୍ର ଏନେଇ ଗୃହ ବାହାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଥିଲେ ଯେ, କଂଗ୍ରେସ ଦଳ ଗୃହ ଚାଲୁ ବୋଲି ଚାହୁଁଥିଲା । କିନ୍ତୁ ବିଜେପି ସଦସ୍ୟମାନେ ପୁଞ୍ଜିନିବେଶ ନାଁରେ ଗୃହକୁ ଅଚଳ କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଶିଳ୍ପ ପ୍ରତିଷ୍ଠା ନାଁରେ ପ୍ରଚାର ପ୍ରସାର କରୁଛନ୍ତି । କିନ୍ତୁ ବାସ୍ତବରେ ଏହା କାର୍ଯ୍ୟାନ୍ୱୟନ ହୋଇପାରୁନାହିଁ ବୋଲି ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ବିଜେପି ସଦସ୍ୟ ପ୍ରଦୀପ ପୁରୋହିତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଳଚେରରେ ପ୍ରସ୍ତାବିତ ଏନ୍ଟିପିସି ପ୍ରକଳ୍ପକୁ କେନ୍ଦ୍ରସରକାର ୯ହଜାର ୭୦୦ କୋଟି ଟଙ୍କା ଅନୁଦାନ ମିଳିଛି । ତେବେ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କମିଟିରେ ଏହି ପ୍ରକଳ୍ପକୁ ଅନୁମୋଦନ ନମିଳିବାରୁ ଏହି ପ୍ରକଳ୍ପରେ ଅନିଶ୍ଚିତତା ଦେଖାଦେଇଛି । ସେହିଭଳି ଜାତୀୟ ରାଜପଥ ନିର୍ମାଣରେ ପ୍ରସ୍ତାବିତ ୧୧ଶହ ୫୫ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୧୨୮୬୮କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିଛି । ତେବେ ରାଜ୍ୟସରକାର ଜମି ଅଧିଗ୍ରହଣ କରୁନଥିବାରୁ କାମ ଆଗେଇ ପାରୁନି । ୨୦୧୩ରୁ ୨୦୧୮ ମସିହା ପର୍ଯ୍ୟନ୍ତ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ୯୨ ଏମ୍ଓୟୁ ସ୍ୱାକ୍ଷରିତ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୪୨ଟି ପ୍ରକଳ୍ପ ଆଂଶିକ କାର୍ଯ୍ୟକ୍ଷମ ହୋଇପାରିଛି । କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିଥିବା ସତ୍ତ୍ୱେ ରାଜ୍ୟସରକାର ଏ ଦିଗରେ କୌଣସି ପଦକ୍ଷେପ ନନେଇ ନୂଆଦିଲ୍ଲୀରେ ନିଜର ଆତ୍ମପ୍ରଚାର ପାଇଁ ରୋଡ୍ ଶୋର ଆୟୋଜନ କରୁଛନ୍ତି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଏନେଇ ବିଜେଡି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡି ବିଧାୟକ ସମୀର ଦାସ କହିଛନ୍ତି ଯେ, ପୁଞ୍ଜିନିବେଶକୁ ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ହାସ୍ୟସ୍ପଦ କଥା । ବିଜେପି ଯେଉଁଭଳି ଭାବେ ଗୃହର ମଧ୍ୟଭାଗରେ ନାରାବାଜି କରି ଗୃହକୁ ଅଚଳ କରିଛି ତାହା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ । ରାଜ୍ୟରେ ଶିଳ୍ପର ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଦିଲ୍ଲୀ, ମୁମ୍ବାଇ, ବାଙ୍ଗଲୋରରେ ରୋଡ୍ ଶୋ’ ମାଧ୍ୟମରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରାଯାଉଛି । ଏହା ଦ୍ୱାରା ବେକାରୀ ସମସ୍ୟା ଦୂର ହେବାସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । ତେବେ ବିଜେପି ଯେଉଁ ଅପପ୍ରଚାର କରୁଛି ତାହା ବିକୃତ ମାନସିକତାର ପରିଚୟ ବୋଲି ଶ୍ରୀ ଦାସ କହିଛନ୍ତି । ପୁଞ୍ଜିନିବେଶକାରୀ ଯେଉଁଭଳି ଭାବେ ଓଡ଼ିଶାକୁ ନଆସିବେ ସେ ଦିଗରେ ବିଜେପି ଅହରହ କାର୍ଯ୍ୟକରୁଛି । ଯାହାର ପ୍ରତିଫଳନ ଆଜି ବିଧାନସଭାର ପ୍ରଶ୍ନକାଳରେ ଦେଖିବାକୁ ମିଳିଛି ବୋଲି ଶ୍ରୀ ଦାସ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com