4

କୁକ୍ଙ୍କୁ ବିଜୟ ବିଦାୟୀ

15

୧-୪ରେ ଟେଷ୍ଟ ଶୃଙ୍ଖଳା ହାରିଲା ଟିମ୍ ଇଣ୍ଡିଆ
ଲଣ୍ଡନ, ୧୧ା୯ (ଏଜେନ୍ସି): ଲୋକେଶ ରାହୁଲ୍ ଓ ରିଷଭ ପନ୍ତଙ୍କ ଶତକ ସତ୍ତ୍ୱେ ଭାରତ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍ରେ ପରାଜୟ ଏଡ଼ାଇ ପାରିନାହିଁ । ଇଂଲଣ୍ଡ ୧୧୮ ରନ୍ରେ ବିଜୟ ହାସଲକରି ୪-୧ରେ ଶୃଙ୍ଖଳା ଉପରେ କବ୍ଜା କରିଛି । ଆନ୍ତର୍ଜାତିକ କ୍ୟାରିଅର୍ର ଶେଷ ମ୍ୟାଚ୍ ଖେଳିଥିବା ଆଲଷ୍ଟର୍ କୁକ୍ଙ୍କୁ ବିଜୟ ବିଦାୟୀ ଦେଇଛି ରୁଟ୍ବାହିନୀ । କୁକ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ସାମ୍ କୁରାନ୍ ଓ ବିରାଟ କୋହଲିଙ୍କୁ ଯୁଗ୍ମଭାବେ ମ୍ୟାନ୍ ଅଫ୍ ଦ ସିରିଜ୍ ଘୋଷଣା କରାଯାଇଛି ।ଦୁଇ ଶତକଧାରୀ ଯଦିଓ ଆଜିର ପ୍ରମୁଖ ଆକର୍ଷଣ ଥିଲେ, ହେଲେ ଅଧିକାଂଶ ବ୍ୟାଟ୍ସମ୍ୟାନ୍ଙ୍କ ବିଫଳତା ଯୋଗୁଁ ଶେଷ ସତ୍ରରେ ୩୪୫ରେ ଶେଷ ହୋଇଥିଲା ଭାରତୀୟ ଇନିଂସ୍ । ଚତୁର୍ଥ ଦିନ ଭାରତୀୟ ଦଳ ୫୮/୩ ସ୍କୋର୍ରୁ ଅସମାପ୍ତ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବଦିନ କ୍ରିଜ୍ରେ ଥିବା ଓପ୍ନର୍ ଲୋକେଶ ରାହୁଲ୍ ପ୍ରଥମରୁ ହିଁ ସକାରାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ ଏବଂ କୌଣସି ଚାପ ବିନା ନିଜ ସଟ୍ ଖେଳିଥିଲେ । ସେ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ସହ ମିଶି ଇନିଂସ୍କୁ ୧୦୦ ଅତିକ୍ରମ କରାଇଥିଲେ । ରାହାଣେ(୩୭)ଙ୍କୁ ଆଉଟ୍କରି ଏହି ଯୋଡ଼ି ଭାଙ୍ଗିଥିଲେ ମୋଇନ୍ ଅଲ୍ଲୀ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ହନୁମା ବିହାରୀ ଖାତା ଖୋଲି ନ ପାରି ବେନ୍ ଷ୍ଟୋକ୍ସଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଦଳୀୟ ସ୍କୋର୍ ୧୨୧ ହୋଇଥିବା ବେଳେ ପଞ୍ଚମ ୱିକେଟ୍ ପଡ଼ିଥିଲା । ଏହାପରେ ଭାରତୀୟ ଇନିଂସ୍ର ସ୍ଥାୟିତ୍ୱ ନେଇ ଆଶଙ୍କା ଉପୁଜିଥିଲା । କ୍ରିଜ୍ରେ ଯୋଗ ଦେଇଥିଲେ ପନ୍ତ । ଇତ୍ୟବସରେ ରାହୁଲ୍ ୧୧୮ଟି ବଲ୍ରୁ ଶତକ ପୂରଣ କରିଥିଲେ । ଭୋଜନ ବିରତି ବେଳକୁ ସ୍କୋର୍ ହୋଇଥିଲା ୧୬୭/୫ । ଦ୍ୱିତୀୟ ସତ୍ରରେ ରାହୁଲ୍ ଓ ପନ୍ତ ମିଶି ଏକ ଅପ୍ରତ୍ୟାଶିତ ଆଶା ସଞ୍ଚାର କରିଥିଲେ । ରାହୁଲ୍ଙ୍କ ଭଳି ପନ୍ତ ମଧ୍ୟ ଇଂଲଣ୍ଡ ବୋଲର୍ଙ୍କ ଦୃଢ଼ ମୁକାବିଲା କରିଥିଲେ । ଏହି ସତ୍ରରେ କୌଣସି ୱିକେଟ୍ ପଡ଼ି ନ ଥିଲା ଅଥଚ ୧୩୧ ରନ୍ ଯୋଗ ହୋଇଥିଲା ଦଳୀୟ ସ୍କୋର୍ରେ । ପନ୍ତ ତାଙ୍କ ଟେଷ୍ଟ କ୍ୟାରିଅର୍ର ପ୍ରଥମ ଶତକ ପୂରଣ କରିଥିଲେ ୧୧୭ ବଲ୍ରୁ । କିନ୍ତୁ ତୃତୀୟ ସତ୍ରର ଆଦ୍ୟଭାଗରେ ଏହି ଯୋଡ଼ି ଭାଙ୍ଗିଥିଲା । ସ୍ପିନର୍ ଅଦିଲ୍ ରଶିଦ୍ ଏହି ଦୁଇ ବ୍ୟାଟ୍ସମ୍ୟାନ୍ଙ୍କ ଉଜ୍ଜ୍ୱଳ ଇନିଂସ୍ରେ ଯବନିକା ଟାଣିଥିଲେ । ଷଷ୍ଠ ୱିକେଟ୍ରେ ୨ଠ୪ ରନ୍ର ଭାଗୀଦାରୀ ହୋଇଥିଲା । ପ୍ରଥମେ ରାହୁଲ୍ ୧୪୯ (୨୦ ଚୌକା ଓ ୧ ଛକା ସହାୟତାରେ) ବୋଲ୍ଡ ହୋଇଥିଲେ । ଏହାପରେ ପନ୍ତ ବ୍ୟକ୍ତିଗତ ୧୧୪ (୧୫ ଚୌକା ଓ ୪ ଛକା ସହାୟତାରେ) ରନ୍ କରି କ୍ୟାଚ୍ ଆଉଟ୍ ହୋଇଥିଲେ । ଏହାପରେ ଭାରତର ସବୁ ଆଶା (ଅନ୍ତତଃ ଡ୍ର’ ଆଶା) ମଉଳି ଯାଇଥିଲା । ଆଉ ୧୭ ରନ୍ ମଧ୍ୟରେ ଅବଶିଷ୍ଟ ୩ ୱିକେଟ୍ ପଡ଼ିଥିଲା । ଇଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡ଼େଜା ୧୩ ରନ୍ କରି କୁରାନ୍ଙ୍କ ବଲ୍ରେ ଏବଂ ମହମ୍ମଦ ଶାମି କୌଣସି ସ୍କୋର୍ ନ କରି ଜେମ୍ସ ଆଣ୍ଡରସନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଭାରତୀୟ ଦଳ ୯୪.୩ ଓଭର୍ ଖେଳି ୩୪୫ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା । ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ୍ ୩ଟି, କୁରାନ୍ ଓ ରଶିଦ୍ ୨ଟି ଲେଖାଏଁ ଏବଂ ଷ୍ଟୁଆର୍ଟ ଡ୍ଡ୍, ମୋଇନ୍ ଓ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।




Powered by odothemes.com