surya-patra

କମ୍ପୁ୍ୟଟରୀକରଣ ବାବଦରେ ୪୮.୭୨ କୋଟି ବ୍ୟୟ: ମନ୍ତ୍ରୀ

18

ସମବାୟ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଛି: ନରସିଂହ
ଭୁବନେଶ୍ୱର (ବୁ୍ୟରୋ): ବିଧାନସଭାରେ ସମବାୟ ଅତିରିକ୍ତ ଖର୍ଚ୍ଚଦାବି ଗୃହିତ ହୋଇଯାଇଛି । ମଙ୍ଗଳବାର ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଉକ୍ତ ଖର୍ଚ୍ଚଦାବିକୁ ଗୃହରେ ଆଗତ କରାଇଥିଲେ । ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ବିଭାଗର ଅତିରିକ୍ତ ବଜେଟ୍ ବାବଦକୁ ମୋଟ ୩୪୨କୋଟି ୩୦ଲକ୍ଷ ୬୩ହଜାର ଟଙ୍କା ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ପ୍ରଶାସନିକ ବ୍ୟୟ ଅଟକଳ ୭୧ଲକ୍ଷ ୬୩ହଜାର ଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ମୋଟ ୩୪୧ କୋଟି ୫୯ଲକ୍ଷ ଟଙ୍କା ଆକଳନ କରାଯାଇଛି । ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା ପରେ ବାଚସ୍ପତି ପ୍ରଦୀପ ଅମାତ୍ ସର୍ବସମ୍ମତିକ୍ରମେ ଏହାକୁ ବିଧାନସଭାରେ ଗୃହିତ କରିଛନ୍ତି ।ସମବାୟ ବିଭାଗର ଖର୍ଚ୍ଚଦାବି ଆଲୋଚନା ଆରମ୍ଭରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ରାଜ୍ୟର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମବାୟ ବିଭାଗ ଗଠନ କରାଯାଇଥିଲା । ଫସଲ ଅମଳ ପାଇଁ ସମବାୟ ବ୍ୟାଙ୍କ୍ ଜରିଆରେ ଋଣ ପ୍ରଦାନ କରାଯାଉଛି । କିନ୍ତୁ ଏହି ବିଭାଗରେ ବ୍ୟାପକ ମାତ୍ରାରେ ଦୁର୍ନୀତି ହେଉଛି ବୋଲି ଶ୍ରୀ ମିଶ୍ର କହିଥିଲେ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ରେ ମଣ୍ଡି ଜରିଆରେ ଧାନ କିଣାଯାଇଥିବାବେଳେ ଏଥିରେ ୪୦ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି । ଧାନକିଣାରେ ସବୁଠାରୁ ବଡ଼ ଦୁର୍ନୀତି ହୋଇଛି । ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଧାନକିଣା ଦୁର୍ନୀତି ଅଭିଯୋଗ ହୋଇଥିଲା । ରାଜ୍ୟ ସରକାର ଏହି ଘଟଣାର ବିଭାଗୀୟ ତଦନ୍ତ ନିଦେ୍ର୍ଦଶ ଦେବାସହ ଭିଜିଲାନ୍ସ ତଦନ୍ତ ନିଦେ୍ର୍ଦଶ ମଧ୍ୟ ଦେଇଛନ୍ତି । ଇତିମଧ୍ୟରେ ୬ମାସରୁ ଊଦ୍ଧ୍ୱର୍ ସମୟ ବିତିଗଲାଣି । ବର୍ତ୍ତମାନ ସୁଦ୍ଧା ଦୁର୍ନୀତିରେ ସମ୍ପୃକ୍ତ ସମବାୟ ସଂସ୍ଥାଗୁଡ଼ିକ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହରେ କୌଣସି ତଥ୍ୟ ରଖାଯାଇନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ହୋଇଛି । ଏଫ୍ଏକୁ୍ୟ ଓ ନନ୍-ଏଫ୍ଏକୁ୍ୟ ମାନର ଧାନ ନିର୍ଦ୍ଧାରଣ କରିବା ଲାଗି କୌଣସି ମଣ୍ଡିରେ ବିଭାଗ ପକ୍ଷରୁ ମେସିନ୍ ଲଗାଯାଇନାହିଁ । ଚାଷୀ ମଣ୍ଡିକୁ ଧାନ ବିକି୍ର କରିବାକୁ ଆଣି ଶୋଷଣର ଶିକାର ହେଉଛି । ଏହି ଦୁର୍ନୀତିରେ କିଛି ସରକାରୀ ଅଧିକାରୀ ସମ୍ପୃକ୍ତ ରହିଛନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ସେହିଭଳି ସମବାୟ ବ୍ୟାଙ୍କ ଜରିଆରେ ପ୍ରଦାନ କରାଯାଉଥିବା ଋଣ କେବଳ କାଗଜ କଲମରେ ଚାଲିଛି । ଯେଉଁ ଉଦେ୍ଦଶ୍ୟରେ ଋଣ ପ୍ରଦାନ କରାଯାଉଛି, ତାହା ବାସ୍ତବରେ ଫଳପ୍ରଦ ହେଉନାହିଁ । ଯଦି ଯୋଜନା ଫଳପ୍ରଦ ହୋଇଥାନ୍ତା, ତେବେ ମଣ୍ଡିରେ ରିସାଇକ୍ଲିଂ ହୋଇନଥାନ୍ତା ବୋଲି ସେ କହିଛନ୍ତି । ସମବାୟ ବ୍ୟାଙ୍କଗୁଡ଼ିକରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଛନ୍ତି, ସମବାୟ ବ୍ୟାଙ୍କ ଜରିଆରେ ଚାଷୀଙ୍କୁ ଋଣ ଦେବା ନାଁରେ ବ୍ୟାପକ ଦୁର୍ନୀତି ହୋଇଥିବା ପୂର୍ବତନ ମନ୍ତ୍ରୀ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେଣୁ ରାଜ୍ୟ ସରକାର ଏ ଦିଗରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରନ୍ତୁ । ରାଜ୍ୟରେ ଥିବା ସମସ୍ତ ସମବାୟ ବ୍ୟାଙ୍କର ସ୍ୱତନ୍ତ୍ର ଅଡିଟ୍ କରାଯାଉ ବୋଲି ବିରୋଧୀ ଦଳ ନେତା ଦାବି କରିଛନ୍ତି । ସେହିଭଳି ସମବାୟ ବିଭାଗ ଅଧୀନରେ ଥିବା ବିଜୟାନନ୍ଦ ସୁଗାର୍ ମିଲ୍ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର କହିଥିଲେ, କିନ୍ତୁ ଏ ଦିଗରେ ଆନ୍ତରିକତା ନଥିବାରୁ ଅନେକ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଭୁଲ୍ କ୍ରପ୍ କଟିଂ ପଲିସି ଯୋଗୁଁ ଫସଲ ବୀମା ପାଇବାରୁ ବଞ୍ଚôତ ହୋଇଛନ୍ତି । ତେଣୁ ରାଜ୍ୟ ସରକାର ଏ ପ୍ରସଙ୍ଗରେ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ସେହିଭଳି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏହି ଖର୍ଚ୍ଚଦାବିକୁ ସମର୍ଥନ ଜଣାଇ ପାରୁନାହିଁ ବୋଲି କହିବା ସହ ନୟାଗଡ଼ ଓ ବିଜୟାନନ୍ଦ ସୁଗର୍ ମିଲ୍ କେବେ କାର୍ଯ୍ୟକ୍ଷମ ହେବ ସେ ନେଇ ସମବାୟ ମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ ଦାବି କରିଥିଲେ ।ଅପରପକ୍ଷରେ ବିଜେଡି ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ସମବାୟ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ, ଏହାଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ସମବାୟ ବିଭାଗ ଗଠନ ନହେବା ପୂର୍ବରୁ ମହାଜନମାନେ ଚାଷୀଙ୍କୁ ଚଢ଼ାଦରରେ ସୁଧ ନେଇ ଲୁଟୁଥିଲେ । ସମବାୟ ବିଭାଗ ଗଠନ ହେବାପରେ ଚାଷୀମାନେ ଉପକୃତ ହୋଇଛନ୍ତି । ଓଡ଼ିଶାକୁ ୪ଥର କୃଷିକର୍ମଣ ପୁରସ୍କାର ମିଳିବାରେ ସମବାୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଚାଷୀଙ୍କୁ ସମବାୟ ବ୍ୟାଙ୍କ ଜରିଆରେ ଖୁବ୍ କମ୍ ସୁଧରେ ଋଣ ପ୍ରଦାନ କରାଯାଉଛି । ଚଳିତ ଆର୍ଥିକବର୍ଷରେ ସମବାୟ ବିଭାଗ ପକ୍ଷରୁ ବରାଦ୍ ହୋଇଥିବା ବ୍ୟୟ ଅଟକଳରୁ ବର୍ତ୍ତମାନ ସୁଦ୍ଧା ୬୧.୩୭% ଖର୍ଚ୍ଚ ହୋଇଛି । ସେଥିମଧ୍ୟରୁ ଅଣଯୋଜନା ବାବଦକୁ ୩୮.୨୭% । ପୂର୍ବରୁ କେନ୍ଦ୍ର ସରକାର କ୍ରପ୍ କଟିଂବେଳେ ଗୋଟିଏ ବ୍ଲକ୍କୁ ଗୋଟିଏ ୟୁନିଟ୍ ଭାବେ ଗଣନା କରୁଥିଲେ । ଏଥିରୁ ଚାଷୀ ଫସଲବୀମାରେ କ୍ଷତିଗ୍ରସ୍ତ ହେଉଥିଲା । ରାଜ୍ୟସରକାରଙ୍କ ଦାବିପରେ ବର୍ତ୍ତମାନ ଗୋଟିଏ ପଞ୍ଚାୟତକୁ ଗୋଟିଏ ୟୁନିଟ୍ ଭାବେ ଗ୍ରହଣ କରାଯାଉଛି । ଚଳିତବର୍ଷ ରାଜ୍ୟ ସରକାର ୪ଶହ କୋଟି ଟଙ୍କାର ଶସ୍ୟବୀମା ବଜେଟ୍ରେ ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ଚ୍ୟାଉପଟ୍ଟନାୟକ ମତ ରଖିଥିଲେ ।ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅଂଶୁମାନ ମହାନ୍ତି, ପ୍ରଫୁଲ୍ଲ ମାଝି, ପ୍ରଦୀପ ପୁରୋହିତ, ଆୟୁବ୍ ଖାଁ, ପୂର୍ଣ୍ଣଚନ୍ଦ୍ର ସେଠୀ, ଯୋଗେନ୍ଦ୍ର ବେହେରା, ଜୀବନପ୍ରଦୀପ ଦାସ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରି ନିଜ ମତ ରଖିଥିଲେ ।ଅପରପକ୍ଷରେ ବିଭାଗୀୟ ଖର୍ଚ୍ଚଦାବି ଉତ୍ତରରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, ଚଳିତବର୍ଷ ସମବାୟ ବ୍ୟାଙ୍କ ଦ୍ୱାରା ୧୨,୫ଠଠ କୋଟି ଟଙ୍କା ଶସ୍ୟଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି । ଚଳିତ ଖରିଫ୍ ଋତୁରେ ୧୬,୬୮,୫୪୬ ଚାଷୀଙ୍କୁ ଏପର୍ଯ୍ୟନ୍ତ ୬,୨୭୨ କୋଟି ୨୯ଲକ୍ଷ ଟଙ୍କା ଫସଲ ଋଣ ଦିଆଯାଇଛି । ସେହିଭଳି ନାମମାତ୍ର କ୍ଷୁଦ୍ର ଓ ପ୍ରକୃତ ଚାଷୀଙ୍କୁ ଆନୁଷ୍ଠାନିକ ଋଣ ପ୍ରଦାନ ବ୍ୟବସ୍ଥା କରିବା ପାଇଁ ପ୍ରତ୍ୟେକ ପ୍ୟାକ୍ସସ୍ତରରେ ଅତିକମ୍ରେ ୧୦ଟି ଏବଂ ଲ୍ୟାମ୍ପ୍ସ ସ୍ତରରେ ୩୦ କୋଟି ନୂତନ ଯୁଗ୍ମଦେୟ ଗୋଷ୍ଠୀ ଗଠନ କରାଯାଇ ୧୮୨ କୋଟି ୨୭ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ମାଧ୍ୟମରେ ୨୦୧୭ ଖରିଫ୍ ଋତୁରେ ୧୮ଲକ୍ଷ ୨୪ହଜାର ଚାଷୀଙ୍କୁ ବୀମାଭୁକ୍ତ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ୨୪୪୭ ପଞ୍ଚାୟତର ୭ଲକ୍ଷ ୪୬ହଜାର ୪୩୫ଜଣ ଚାଷୀଙ୍କୁ ୧୫୯୪ କୋଟି ୬ଲକ୍ଷ ଟଙ୍କା ଫସଲ କ୍ଷତିପୂରଣ ବୀମାରାଶି ପ୍ରଦାନ କରାଯାଇଛି । ସେହିଭଳି ସମବାୟ ବ୍ୟାଙ୍କ ଦ୍ୱାରା ଅଧିକ ପରିମାଣ ମିଆଦୀ କୃଷି ଋଣ ଲଗାଣ ପାଇଁ ଚଳିତବର୍ଷ ୧ଠଠଠ କୋଟି ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏବାବଦରେ ୬୧୫୫ଜଣ ଚାଷୀଙ୍କୁ ୬୨ କୋଟି ୮୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ରାଜ୍ୟର ୨୬ଠଠ ପ୍ୟାକ୍ସ ଓ ୨୩୦୧ ଲ୍ୟାମ୍ପସ୍ରେ କମ୍ପୁ୍ୟଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ୨୧ଲକ୍ଷ ୪୪ହଜାର ସକି୍ରୟ ଥିବା କିଷାନ୍ କ୍ରେଡିଟ୍ କାର୍ଡ ପରିବର୍ତ୍ତେ ୧୬ଲକ୍ଷ ୫୨ହଜାର ରୂପେ କିଷାନ୍ କାର୍ଡ ବଣ୍ଟନ କରାଯାଇଛି । ଏତଦ୍ବ୍ୟତୀତ ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କ ଓ ରାଜ୍ୟ ସମବାୟ ବ୍ୟାଙ୍କର ୩୫୩ ଶାଖାଗୁଡ଼ିକରେ କୋର୍ ବ୍ୟାଙ୍କିଂ ସେବା ଯୋଗାଇ ଦିଆଯାଇଛି । ନିୟନ୍ତ୍ରିତ ବଜାର କମିଟିମାନଙ୍କର ମଣ୍ଡିରେ ଇଣ୍ଟରନେଟ୍ ମାଧ୍ୟମରେ ଇ-ନିଲାମ ବ୍ୟବସ୍ଥା କରାଯାଉଛି । ଇତିମଧ୍ୟରେ ୧ଠଟି ମଣ୍ଡି ଇ-ନାମ୍ ସହ ସଂଯୋଗ କରାଯାଇଛି । କୃଷକମାନଙ୍କୁ ଓଡ଼ିଆ ଭାଷାରେ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ବଜାର ମୂଲ୍ୟର ସୂଚନା ଓ ସେମାନଙ୍କୁ ଚାଷ ଖସଡ଼ା ପ୍ରସ୍ତୁତି କରିବା ପାଇଁ କୃଷକମାନଙ୍କୁ ୫୯ହଜାର ମାଗଣା ମୋବାଇଲ୍ ବଣ୍ଟନ କରାଯାଇଛି । ଚଳିତବର୍ଷ ଏହି ଯୋଜନା ବାବଦକୁ ୩କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀ ପାତ୍ର ତାଙ୍କ ଉତ୍ତରରେ କହିଛନ୍ତି ।




Powered by odothemes.com