10-9-2018=1

ବିପନ୍ନଙ୍କୁ ୭ ଦିନ ରିଲିଫ୍

33

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା
ଭୁବନେଶ୍ୱର, ୧୦ ।୯ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ଓ ଜିଲ୍ଲାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୭ ଦିନ ପାଇଁ ରିଲିଫ୍ ଘୋଷଣା କରିଛନ୍ତି । ଏ ବାବଦରେ ପୌଢ଼ମାନଙ୍କୁ ଦୈନିକ ୬୦ ଟଙ୍କା ଏବଂ ୧୨ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଦୈନିକ ୪୫ ଟଙ୍କା ହିସାବରେ ରିଲିଫ୍ ପ୍ରଦାନ କରାଯିବ । ସେହିପରି ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପ୍ରାଣୀମାନଙ୍କୁ ମାଗଣାରେ ଚିକିତ୍ସା ସହିତ ଟୀକାକରଣ ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏକ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାପାଇଁ ଜିଲ୍ଲାପାଳମାନଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି ।
ସମୀକ୍ଷାରୁ ଜଣାଯାଇଛି ଯେ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ୧୭ଟି ବ୍ଲକ, ୪ଟି ପୌରପରିଷଦ ଏବଂ ୯୦୩ଟି ଗାଁର ସାଢ଼େ ସାତଲକ୍ଷ ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ପଚାଶ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଚି । ଚାଳିଶ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ଗୃହପାଳିତ ପଶୁମାନଙ୍କୁ ମଧ୍ୟ ୯୦ ମେଟି୍ରକ୍ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । ଏହାସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।
ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ, ଉନ୍ନୟନ କମିଶନର, ଜଳସଂପଦ ବିଭାଗ ପ୍ରମୁଖ ସଚିବ, କୃଷି ବିଭାଗ ପ୍ରମୁଖ ସଚିବ, ମତ୍ସ୍ୟ ଓ ପଶୁପାଳନ ବିଭାଗ ସଚିବ ପ୍ରମୁଖ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com