seaplane

ବାତିଲ ହେଲା ଚିଲିକା ସି-ଏରୋଡ୍ରମ୍ ପ୍ରକଳ୍ପ

15

ଭୁବନେଶ୍ୱର, ୧୦ା୯(ବୁ୍ୟରୋ): ଚିଲିକାରେ ପ୍ରସ୍ତାବିତ ସି-ଏରୋଡ୍ରମ୍ ପ୍ରକଳ୍ପ ବାତିଲ ହୋଇଛି । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଏହି ପ୍ରକଳ୍ପକୁ ବାତିଲ କରିଥିବା ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇବା ସହ ୩ ସପ୍ତାହ ମଧ୍ୟରେ ବିକଳ୍ପ ସ୍ଥାନ ଲାଗି ପ୍ରସ୍ତାବ ଦେବା ଲାଗି କହିଛନ୍ତି । ରାଜ୍ୟ ସରକାରଙ୍କ ଆପତ୍ତି ଯୋଗୁଁ ଏହି ପ୍ରକଳ୍ପ ହେବନାହିଁ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ଗୁରୁ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ଏକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ପ୍ରକଳ୍ପକୁ ବାତିଲ କରିବା ପାଇଁ ଅନୁରୋଧ କରିଥିଲେ । ସରକାର ଦର୍ଶାଇଥିଲେ ଯେ ଏହା ଚିଲିକାର ଜୈବବିବିଧତାକୁ ଧ୍ୱଂସ କରିବ । ତେଣୁ ଏହି ପ୍ରକଳ୍ପ ବାତିଲ କରାଯାଉ । ଯଦି ରାଜ୍ୟ ସରକାରଙ୍କ ୱାଟର ଏରୋଡ୍ରମ୍ ପାଇଁ ଅନ୍ୟ କୌଣସି ସ୍ଥାନରେ କରିବା ଲାଗି ପ୍ରସ୍ତାବ ରହିଛି, ତାହା ଦେଲେ ବିଚାର କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଗତ ଜୁନ୍ ମାସରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଓଡିଶା, ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ସି-ଏରୋଡ୍ରମ୍ ପ୍ରକଳ୍ପ ସ୍ଥାପନ କରିବା ଲାଗି ନିଷ୍ପତ୍ତି ନେଇଥିଲେ । ଓଡିଶାର ଚିଲିକାକୁ ଏଥିରେ ସ୍ଥାନିତ କରାଯାଇଥିଲା । ଶ୍ରୀ ମହାପାତ୍ର କହିଛନ୍ତି ଯେ ପୂର୍ବରୁ ମୁଖ୍ୟ ସଚିବଙ୍କ ପାଖରୁ ଏ ସମ୍ପର୍କରେ ଏକ ଚିଠି ଆସିଥିଲା । ଭୁବନେଶ୍ୱର ବିମାନବନ୍ଦର ଓ ଚିଲିକା ହ୍ରଦରେ ଏହା ପ୍ରତିଷ୍ଠା କରିବା ଲାଗି ଅନୁଧ୍ୟାନ କରିବା ପାଇଁ ଉଲ୍ଲେଖ ଥିଲା । ରାଜ୍ୟ ସରକାର ଚିଲିକାକୁ ଚିହ୍ନଟ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ରସ୍ତାବ ନେଇ କୌଣସି ବିରୋଧ କରାଯାଇନଥିଲା । ତେବେ ପରିବେଶ ବିଶାରଦ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସମ୍ପର୍କରେ ଅନୁଧ୍ୟାନ କରାଯାଇ ଏକ ରିପୋର୍ଟ ଦିଆଯାଇଥିଲା । ରାଜ୍ୟ ସରକାରଙ୍କୁ ସିଡିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ ଚିଲିକାରେ ୱାଟର ଏରୋଡ୍ରମ୍ କରି ସି–ପ୍ଲେନ୍ ଚଳାଚଳ କଲେ ଏହା ବିଶ୍ୱର ଦ୍ୱିତୀୟ ବୃହତମ ଲବଣାକ୍ତ ହ୍ରଦ ପାଇଁ କ୍ଷତି ପହଞ୍ଚାଇବ । ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବନଜୀବିକା ନଷ୍ଟ ହେବା ସହ ପରିବେଶ ସନ୍ତୁଳନ ବିଗିଡିଯିବ । ଏହି ପ୍ରକଳ୍ପ ପାଇଁ ବ୍ୟୟ ହେବାକୁ ଥିବା ଅର୍ଥ ଅନୁଯାୟୀ ଲାଭ ମିଳିବନାହିଁ । ଜୈବ ବିବିଧତା ନଷ୍ଟ ହେବା ସହ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡିବ । ସେହିଭଳି ମାଳଭୂମି ସଂରକ୍ଷଣ ଓ ପରିଚାଳନା ନିୟମ-୨୦୧୭ ଅନୁଯାୟୀ ଏହା ଆଇନ ବହିର୍ଭୂତ କାର୍ଯ୍ୟ । ନିୟମ ଅନୁଯାୟୀ ଏହି ମାଳଭୂମିରେ ବିମାନବନ୍ଦର ନିର୍ମାଣ ଲାଗି ଆଇନଗତ ଅନୁମତି ମିଳିପାରିନାହିଁ । ଚିଲିକାରେ ପ୍ରାୟ ୧୦ ଲକ୍ଷ ପକ୍ଷୀ ବିଦେଶରୁ ଆସିଥାନ୍ତି । ମୁଖ୍ୟତଃ ଏମାନେ ଆଣ୍ଟ୍ରାଟିକା ଓ ୟୁରୋପ ଅଞ୍ଚଳରୁ ଏଠାକୁ ଆସିଥାନ୍ତି । ପ୍ରାୟ ୨୩୦ ପ୍ରଜାତିର ପକ୍ଷୀ, ୯୭ ଆନ୍ତମହାଦେଶରୁ ଚିଲିକା ଅଞ୍ଚଳକୁ ଶୀତ ଋତୁରେ ଆସିଥାନ୍ତି । ସି-ପ୍ଲେନ୍ ଚଳାଚଳ ହେଲେ ପକ୍ଷୀମାନଙ୍କ ଯାତାୟତରେ ବାଧା ସୃଷ୍ଟି ହେବ । ଏହାଛଡା ଚିଲିକାରେ ଥିବା ବିରଣ ଇରାୱାଡି ଡଲ୍ଫିନ୍ମାନେ କ୍ଷତିଗ୍ରସ୍ତ ହେବେ । ବିମାନର ଶବ୍ଦ ପ୍ରଦୂଷଣ ଯୋଗୁଁ ସେମାନେ ହୁଏତ ହ୍ରଦ ଛାଡିପାରନ୍ତି ।
ସୂଚନାଯୋଗ୍ୟ, ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ଏହି ପ୍ରକଳ୍ପକୁ ପ୍ରଥମେ ବିରୋଧ କରିଥିଲେ । ଶ୍ରୀ ଦାସବର୍ମା ଅଭିଯୋଗ କରିଥିଲେ ଯେ ଚିଲିକା ସମ୍ପର୍କରେ ଜାଣିନଥିବା ଲୋକ ଏଠାରେ ସି-ପ୍ଲେନ୍ ଚଳାଚଳ ନେଇ ମତ ରଖୁଛନ୍ତି । ଚିଲିକା ଉପରେ ୨ ଲକ୍ଷ ମତ୍ସ୍ୟଜୀବୀ ନିର୍ଭର କରିଥାନ୍ତି । ଏହି ପ୍ରକଳ୍ପ ହେଲେ ସେମାନଙ୍କ ଜୀବନଜୀବିକା କ୍ଷତିଗ୍ରସ୍ତ ହେବ ବୋଲି ସେ କହିଥିଲେ । ବିଧାନସଭାର ମୌସୁମୀ ଅଧିବେଶନରେ ଶ୍ରୀ ଦାସବର୍ମା ଏହି ପ୍ରକଳ୍ପକୁ ବିରୋଧ କରିଥିଲେ । ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ମଧ୍ୟ ଉପରୋକ୍ତ ପ୍ରସ୍ତାବକୁ ବିରୋଧ କରି ବିଧାନସଭାରେ ମନ୍ତବ୍ୟ ରଖିଥିଲେ ।




Powered by odothemes.com