Petrol-desel-o-gas-dara-brudhi-birodhare-congress-ra-12-ghantia-bharata-banda-

ବନ୍ଦକୁ ଜନସମର୍ଥନ

12

ଭୁବନେଶ୍ୱର, ୧୦ ।୯(ବୁ୍ୟରୋ): ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ସମେତ ବିରୋଧୀ ଦଳଗୁଡିକ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ବସ୍ତୁତଃ ସଫଳ ହୋଇଛି । କାଁ ଭାଁ ହିଂସାକାଣ୍ଡକୁ ଛାଡିଦେଲେ ବନ୍ଦ ପାଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଛି । ପୂର୍ବରୁ ବନ୍ଦ ସମୟରେ ହିଂସା ହେବାର ଯେଉଁ ନଜିର ରହିଥିଲା, ଏଥର ଆନେ୍ଦାଳନରେ ତା’ର ବିପରିତ ରୂପ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣଭାବେ ପିକେଟିଂ କରିବା ସହ ବାଇକ୍ ଓ କାର୍ ଆରୋହୀମାନଙ୍କୁ ହାତ ଯୋଡି ଫେରିଯିବାକୁ ନିବେଦନ କରୁଥିଲେ । ବନ୍ଦ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ତେବେ ବନ୍ଦ ସମୟରେ ପିକେଟିଂ କରୁଥିବାରୁ ହଜାରେରୁ ଊଦ୍ଧ୍ୱର୍ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ କର୍ମୀମାନଙ୍କୁ ପୁଲିସ୍ ଗିରଫ କରିଥିବା ସୂଚନା ମିଳିଛି । ଜାତୀୟ ରାଜପଥକୁ ଅବରୋଧ କରାଯାଇଥିବାରୁ ଘଣ୍ଟା ଘଣ୍ଟା ଧରି ଗାଡି ଚଳାଚଳ ବ୍ୟାହାତ ହୋଇଥିଲା । ଶତାଧିକ ଟ୍ରକ୍ ଜାତୀୟ ରାଜପଥରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା ।
ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ ଡାକରାକୁ ଜନସମର୍ଥନ କରିଥିବା ଦେଖିବାକୁ ମିଳିଛି । ରାସ୍ତାଘାଟରେ ଯାନବାହନ ଚଳାଚଳ ବନ୍ଦ ଥିବାବେଳେ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ମଧ୍ୟ ଖୋଲିନଥିଲା । ରାଜ୍ୟବ୍ୟାପୀ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ସମେତ କଟକ, ବଲାଙ୍ଗିର, ମାଲକାନଗିରି, କୋରାପୁଟ, କେନ୍ଦ୍ରାପଡ଼ା, ଯାଜପୁର, ଭବାନୀପାଟଣା, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ସମ୍ବଲପୁର, ରାଉରକେଲା, ନୂଆପଡ଼ା, ସୁବର୍ଣ୍ଣପୁର ଆଦି ସମସ୍ତ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ସବୁ ଷ୍ଟେସନରେ କଂଗ୍ରେସ କର୍ମୀମାନେ ପିକେଟିଂ କରିଥିଲେ । ଫଳରେ କେତେକ ଟ୍ରେନ୍ ବାତିଲ କରାଯିବା ସହ ଅନ୍ୟକେତେକ ଟ୍ରେନ୍ ଷ୍ଟେସନରେ ଅଟକି ରହିଥିବା ଦେଖା ଯାଇଥିଲା । ସେହିଭଳି ବସ୍ଷ୍ଟାଣ୍ଡ ଓ ମୁଖ୍ୟ ଛକମାନଙ୍କରେ କର୍ମୀମାନେ ବିକ୍ଷୋଭ କରିଥିଲେ । ଫଳରେ ବସ୍, ଟ୍ରକ୍ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଦୂରଦୁରାନ୍ତରୁ ଆସିଥିବା ଶତାଧିକ ଯାତ୍ରୀ ଷ୍ଟେସନ୍ ଓ ବସ୍ଷ୍ଟାଣ୍ଡରେ ଅଟକି ରହିବାକୁ ବାଧ୍ୟ ହୋଇଥିଲେ ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ସୁରକ୍ଷା ବଳୟ ମଧ୍ୟରେ ବିଧାନସଭାରେ ପହଞ୍ଚôଥିଲେ । ହେଲେ ମନ୍ତ୍ରୀ ଓ ବିଧାୟକମାନେ ପହଞ୍ଚôବାମାତ୍ରେ କଂଗ୍ରେସ ଦଳର ନେତା ଓ ର୍କମୀମାନେ ସେମାନଙ୍କ ଗାଡ଼ିକୁ ଛାଡ଼ି ନଥିଲେ । ଫଳରେ ମନ୍ତ୍ରୀ ଓ ବିଧାୟକମାନେ ମୁଖ୍ୟ ଫାଟକ ସମ୍ମୁଖରୁ ବିଧାନସଭାକୁ ଚାଲିଚାଲି ଯାଇଥିଲେ । ଅନ୍ୟପଟେ ସଚିବାଳୟର କର୍ମଚାରୀମାନେ ପଛପଟ ଗେଟ୍ରେ ଅଫିସ୍କୁ ଆସିଥିଲେ । ଏପରିକି ବରିଷ୍ଠ ପୁଲିସ୍ ଅଧିକାରୀ ଅମିତାଭ ଠାକୁରଙ୍କୁ ମଧ୍ୟ କର୍ମୀମାନେ ବାଦ୍ ଦେଇନଥିଲେ । ଶ୍ରୀ ଠାକୁର ବାଧ୍ୟହୋଇ ଚାଲିଚାଲି ସଚିବାଳୟ ମଧ୍ୟକୁ ଯାଇଥିଲେ । ଅନ୍ୟପଟେ ସଚିବାଳୟ କର୍ମଚାରୀମାନେ ପଛପଟ ଗେଟ୍ରେ ଅଫିସ୍କୁ ଯାଇଥିଲେ । ଏହାପରେ କଂଗ୍ରେସ କର୍ମୀମାନେ ଏଜି ଛକରେ ପହଞ୍ଚô ଗାଡ଼ିମଟରକୁ ଅଟକାଇବା ସହ ରାସ୍ତାରେ ବସି ରହିଥିଲେ । ପୁଲିସ ପିସିସି ସଭାପତିି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ଭକ୍ତ ଦାସ ଓ ସୁରେଶ ରାଉତରାୟଙ୍କ ସମେତ ଶତାଧିକ କର୍ମୀଙ୍କୁ ଗିରଫ କରିଥିଲା ।
ଏହି ବିକ୍ଷୋଭ ସମୟରେ କଟକ ସିଏମ୍ସିରେ କର୍ମୀମାନେ ପଶି ଭଙ୍ଗାରୁଜା କରିଥିଲେ । ସେହିପରି କେନ୍ଦୁଝରର ୨୪ ନମ୍ବର ଓ ୨୯ ନମ୍ବର ଜାତୀୟ ରାଜପଥରେ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସ୍ରେ କର୍ମୀମାନେ ଧସେଇ ପସିଥିଲେ । ଏହିପରି କେତେକ ସ୍ଥାନରେ କଂଗ୍ରେସ କର୍ମୀମାନେ ଗଣ୍ଡଗୋଳ କରିଥିବା ଜଣାପଡ଼ିଛି । କଂଗ୍ରେସ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଥିବାବେଳେ କଂଗ୍ରେସ କର୍ମୀଙ୍କର ଏହି ଭଙ୍ଗାରୁଜାକୁ କେତେକ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ଏ ସଂକ୍ରାନ୍ତରେ କଂଗ୍ରେସ ପକ୍ଷରୁ ଏକ ୪ ଜଣିଆ କମିଟି ଗଠନ କରାଯାଇଛି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଏହି ବନ୍ଦ ପ୍ରଭାବରେ ଭୁବନେଶ୍ୱର, ବଲାଙ୍ଗିର ଇଣ୍ଟରସିଟି, ଭୁବନେଶ୍ୱର-ହାୱଡା ଏକ୍ସପ୍ରେସ୍, ଜନଶତାବ୍ଦୀ ଏକ୍ସପ୍ରେସ୍, କେନ୍ଦୁଝର- ଭୁବନେଶ୍ୱର ପାସେଞ୍ଜର, ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର, ଭୁବନେଶ୍ୱର-ବ୍ରହ୍ମପୁର, ପୁରୀ-କଟକ ପାସେଞ୍ଜର ଓ ପାରାଦୀପ-କଟକ ପାସେଞ୍ଜର ସମେତ ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବାତିଲ କରାଯାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।




Powered by odothemes.com