10-9-2018=3

ଏସିଆଡ୍ ପଦକ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

13

ଭୁବନେଶ୍ୱର(ବୁ୍ୟରୋ): ଜାକର୍ତ୍ତା ଏସିଆଡ୍ରେ ଭାରତୀୟ ହକି ଦଳରେ ସାମିଲ ହୋଇ ପଦକ ଜିତିଥିବା ଓଡ଼ିଶା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି । ରୌପ୍ୟ ପଦକ ଜିତିଥିବା ମହିଳା ଟିମ୍ର ୪ ଓଡ଼ିଆ ଖେଳାଳିଙ୍କୁ ୧କୋଟି ଏବଂ ବ୍ରୋଞ୍ଜ ପଦକ ବିଜେତା ପୁରୁଷ ଟିମ୍ର ଦୁଇ ଓଡ଼ିଆ ଖେଳାଳିଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖେଳାଳିଙ୍କୁ ପ୍ରଶଂସା କରିବା ସହିତ କହିଥିଲେ, ସେମାନଙ୍କ ପାଇଁ ଦେଶ ଓ ରାଜ୍ୟବାସୀ ଗର୍ବିତ । ଭବିଷ୍ୟତରେ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
କୋଟିଏ ଟଙ୍କା ଲେଖାଏଁ ପୁରସ୍କାର ପାଇଥିବା ଖେଳାଳି ହେଲେ ସୁନିତା ଲାକ୍ରା, ଲିଲିମା ମିଞ୍ଜ, ଦୀପଗ୍ରେସ ଏକ୍କା ଓ ନମିତା ଟପୋ । ସେହିପରି ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ ଦିଆଯାଇଥିଲା । ୨୦୧୭ ବର୍ଷ ଲାଗି ବିଜୁ ପଟ୍ଟନାୟକ ପୁରସ୍କାର ପାଇଥିବା ସୁନିତା ଲାକ୍ରା ଓ ଅମିତ ରୋହିଦାସ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବେଳେ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ପୁରସ୍କାର ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ପ୍ଲେୟାର ଅଫ ଦି ଇୟର-୨୦୧୭ ଟ୍ରଫି, ମାନପତ୍ର ସହିତ ୭.୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଏସିଆଡ୍ ଆଥ୍ଲେଟିକ୍ସରେ ଭାଗ ନେଇଥିବା ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାଢେ ୭ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କ୍ରୀଡା ଓ ଯୁବସେବା ସଚିବ ଏବଂ କ୍ରୀଡା ନିଦେ୍ର୍ଦଶକ ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com