e2d41209ed9af40b00bfb714b4440e16

ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ ସରିବା ନେଇ ଆକଳନ ହୋଇନି

24

ଭୁବନେଶ୍ୱର: ରାଉରକେଲା ନିକଟରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ କାର୍ଯ୍ୟ କେବେ ସୁଦ୍ଧା ଶେଷ ହେବ ସେଥିଘେନି ଆକଳନ କରାଯାଇପାରୁନଥିବା ବେଳେ ଏହି ସେତୁକୁ ସଂଯୋଗ କରୁଥିବା ବୀରମିତ୍ରପୁର-ରାଜାମୁଣ୍ଡା-ବାରକୋଟ୍ ରାସ୍ତାର କାର୍ଯ୍ୟ ଅଢ଼େଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି ।
ରାଉରକେଲା ନିକଟବର୍ତ୍ତୀ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁର ନିର୍ମାଣ ସହିତ ଏହାକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ସମ୍ପର୍କରେ ରାଉରକେଲା ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଉପରୋକ୍ତ ସୂଚନା ଦେଇଛନ୍ତି ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଉରକେଲା ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁର ଶିଳାନ୍ୟାସ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀ ଗତ ବର୍ଷ ଜୁଲାଇ ୨୧ ତାରିଖରେ କରିଥିଲେ । ଏଠାରେ ଉଲ୍ଲେଖନୀୟ ଯେ ଏହି ସେତୁ ନିର୍ମାଣ ପାଇଁ ୨୦୧୪ ସାଧାରଣ ନିର୍ବାଚନ ବେଳେ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବାରୁ ବିଧାୟକ ଶ୍ରୀ ରାୟ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରିଆସୁଥିଲେ ।
ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ ଉକ୍ତ ପ୍ରକଳ୍ପକୁ ମେସର୍ସ ଜିକେସି ପ୍ରୋଜେକ୍ଟସ ଲିମିଟେଡ୍କୁ ୩୮୧କୋଟି ୭୫ ଲକ୍ଷ ଟଙ୍କାରେ ନିର୍ମାଣ କରିବା ପାଇଁ ଦିଆଯାଇଛି । ଏହି ପ୍ରକଳ୍ପର ନିର୍ମାଣ ଲାଗି ଗତ ମଇ ୨୩ ତାରିଖରେ ଘୋଷଣା ହୋଇଛି ଓ ବର୍ତ୍ତମାନ ବ୍ରାହ୍ମଣୀ ସେତୁର ପାଇଲିଂ କାର୍ଯ୍ୟ ସହିତ ଅନ୍ୟାନ୍ୟ ପ୍ରସ୍ତୁତି ଆରମ୍ଭ ହେଉଛି ।
ସେ ପୁଣି କହିଛନ୍ତି ଯେ ଏହି ପ୍ରକଳ୍ପ ଲାଗି ୨୦୧ ହେକ୍ଟର ଜମି ଆବଶ୍ୟକ ହେଉଥିବା ବେଳେ ସେଥିରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ୧୪୬.୪୩ ହେକ୍ଟର ଅଧିଗୃହୀତ କରିଛନ୍ତି । କିଛି ଜଙ୍ଗଲ ଜମିରୁ ଗଛ କାଟି କାର୍ଯ୍ୟାରମ୍ଭ କରିବାକୁ ଗତ ଅଗଷ୍ଟ ୨୭ ତାରିଖରେ ଆଦେଶ ଦିଆଯାଇଛି । ରାଜ୍ୟ ସରକାର ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆଉ ୨୦ ହେକ୍ଟର ଜମି ହସ୍ତାନ୍ତର କରିବେ । ଏହାଛଡ଼ା ବୀରମିତ୍ରପୁର ବାଇପାସ୍ ଲାଗି ପୁନଃ ସର୍ଭେ କରାଯାଉଛି ।

ସେଆର କରନ୍ତୁ:



Powered by odothemes.com