ଆଜି ଭାରତ ବନ୍ଦ

97

ବ୍ୟାପକ ଫୋର୍ସ ମୁତୟନ, ଗଡ଼ିବନି ଅଟୋ ଟ୍ୟାକ୍ସି, ଜରୁରୀ ସେବା ବାଦ୍
ଭୁବନେଶ୍ୱର, ୯ା୯(ବୁ୍ୟରୋ): ତୈଳଦର ବୃଦ୍ଧି ପ୍ରତିବାଦରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଛି । ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଏହି ବନ୍ଦକୁ ସଫଳ କରିବା ଲାଗି ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି । ଏହି ସମୟରେ ଯାନବାହାନ ଚଳାଚଳ ପ୍ରଭାବିତ ହେବା ସହ ଦୋକାନବଜାର ଆଦି ବନ୍ଦ ରହିବ ବୋଲି ଜଣାପଡ଼ିଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ୍ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି । ଏହି ବନ୍ଦକୁ ବିଭିନ୍ନ ବାମପନ୍ଥୀ ଦଳ ସମେତ ନିଖିଳ ଓଡ଼ିଶା ପରିବହନ କର୍ମଚାରୀ ସଂଘ, ଅଟୋ ଓ ଟ୍ୟାକ୍ସି ମହାସଂଘ ପକ୍ଷରୁ ସମର୍ଥନ ଦିଆଯାଇଛି । ଫଳରେ ବନ୍ଦବେଳେ ଅଟୋ ଓ ଟ୍ୟାକ୍ସି ଚଳାଚଳ କରିବ ନାହିଁ । ଏଆଇସିସିର ଭାରତ ବନ୍ଦ ଡାକରାକୁ ସଫଳ କରିବା ଲାଗି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ପ୍ରସ୍ତୁତି ଜୋର୍ଦାର କରାଯାଇଛି । ଅପରପକ୍ଷରେ କଂଗ୍ରେସର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠିଲେଖି ଆଇନ୍ଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏଥିସହିତ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଯେପରି କୌଣସି ବ୍ୟାଘାତ ନଘଟେ, ସେଥିପ୍ରତି ସତର୍କ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ସତର୍କତାମୂଳକ ପଦକ୍ଷେପସ୍ୱରୂପ ସୋମବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ଓଡ଼ିଶାରେ ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯିବ । ଆମ୍ବୁଲାନ୍ସ, ଔଷଧ ଦୋକାନ, କ୍ଷୀର ଗାଡ଼ି, ପରୀକ୍ଷାର୍ଥୀଙ୍କୁ ବନ୍ଦର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଯଦି କୌଣସି ବ୍ୟକ୍ତି ଅସୁବିଧାରେ ପଡ଼ନ୍ତି, ତେବେ କଂଗ୍ରେସ ପକ୍ଷରୁ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ । କଂଗ୍ରେସ ପକ୍ଷରୁ ଏକ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । ବନ୍ଦ ସମୟରେ ଯେକେହି ଅସୁବିଧାରେ ପଡ଼ିଲେ, ସିଧାସଳଖ କଣ୍ଟ୍ରୋଲ୍ ରୁମ୍ ନମ୍ବର ୭ଠଠ୮୪ଠ୬୪୮୮ କିମ୍ବା ୮୨୪୯୯୪୨୫୮୫ରେ କଲ୍ କରି ଅସୁବିଧା ସମ୍ପର୍କରେ ଜଣାଇପାରିବେ । କଂଗ୍ରେସ ତରଫରୁ ସେମାନଙ୍କ ଯା’ଆସ ଲାଗି ସୁବିଧା ଯୋଗାଇ ଦିଆଯିବ । ବିଶେଷ କରି ଯଦି ଜରୁରୀ ଥାଏ ଆଉ ବନ୍ଦ ପାଳନ ଯୋଗୁ କେହି ବିମାନବନ୍ଦର କିମ୍ବା ହସ୍ପିଟାଲ୍କୁ ଯାଇନପାରନ୍ତି, ଏହି ନମ୍ବରକୁ ଯୋଗାଯୋଗ କଲେ ସୁବିଧା ଯୋଗାଇ ଦିଆଯିବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ଆଜି ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦକୁ ସଫଳ କରିବା ଲାଗି ପ୍ରଚାର ଗାଡ଼ି ମାଧ୍ୟମରେ ସମର୍ଥନ ଲୋଡ଼ା ଯାଇଛି । ସକାଳ ୬ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ମୁଖ୍ୟ ଛକ, ରାସ୍ତା, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପିକେଟିଂ କରିବେ । ଏହି ସମୟରେ ପେଟ୍ରୋଲ୍ ପମ୍ପ୍ ଓ ଦୋକାନ ବଜାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯିବ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ବିଜେଡି ଓ ବିଜେପି ପକ୍ଷରୁ ଏହି ବନ୍ଦ ଡାକରାକୁ ସମାଲୋଚନା କରାଯାଇଛି ।
ଭାରତ ବନ୍ଦର କାରଣ ଜଣାଇବାକୁ ଯାଇ ପିସିସି ସଭାପତି ଅଭିଯୋଗ କରିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଗୁଁ ପେଟ୍ରୋଲ୍ ଓ ଡିଜେଲ୍ ଦର ଆକାଶଛୁଆଁ ହୋଇଛି । କେନ୍ଦ୍ର ସରକାର ନେଉଥିବା ଉତ୍ପାଦନ ଶୁଳ୍କ ଛାଡ଼ିବାକୁ ନାରାଜ୍ ଥିବାବେଳେ ରାଜ୍ୟ ସରକାର ମଧ୍ୟ ଭାଟ୍ କମାଇବାକୁ ଅମଙ୍ଗ ହେଉଛନ୍ତି । ଫଳରେ ଏହାର ବୋଝ ସାଧାରଣ ଖାଉଟିଙ୍କ ଉପରେ ମାତ୍ରାଧିକ ଉପରେ ପଡ଼ୁଛି । ବିଗତ ୪ବର୍ଷ ମଧ୍ୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର କମ୍ ଥିବାବେଳେ ଦେଶବାସୀ ଚଢ଼ା ଦରରେ ତେଲ କିଣୁଛନ୍ତି । ତୈଳଜାତ ଦ୍ରବ୍ୟକୁ ଜିଏସ୍ଟି ପରିସରଭୁକ୍ତ କରାଗଲେ ତୈଳଦର ହ୍ରାସ ପାଇବ । ହେଲେ ଏହାକୁ କେଉଁ କାରଣରୁ ଜିଏସ୍ଟି ପରିସରକୁ ଅଣାଯାଉନାହିଁ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ୨୦୧୪ ମେ’ ମାସଠାରୁ ପେଟ୍ରୋଲ୍ ଉପରେ ଉତ୍ପାଦନ ଶୁଳ୍କ ୨୧୧.୭% ବୃଦ୍ଧି କରାଯାଇଛି । ସେହିପରି ଡିଜେଲ୍ ଉପରେ ୪୩୩.୦୬% ବୃଦ୍ଧି ହୋଇଛି । ଯାହାର ଚଡ଼କ ସାଧାରଣ ଖାଉଟିଙ୍କ ଉପରେ ପଡ଼ୁଛି । ବିଜେପି କ୍ଷମତାକୁ ଆସିବା ପରଠାରୁ ୧୨ଥର ଉତ୍ପାଦନ ଶୁଳ୍କରେ ବୃଦ୍ଧି ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି ଦେଶବାସୀଙ୍କ ପକେଟ୍କୁ ଭାରାକ୍ରାନ୍ତ କରିଛି । ସାଧାରଣ ଲୋକଙ୍କ ଉପରେ ବୋଝ ଲଦି ମୋଦି ସରକାର ଗତ ୫୨ ମାସ ଭିତରେ ୧୧ଲକ୍ଷ କୋଟି ଟଙ୍କାରୁ ଅଧିକ ଟିକସ ଆକାରରେ ସଂଗ୍ରହ କରିଛନ୍ତି । କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ ଅଶୋଧିତ ତୈଳଦର ଅଧିକ ଥିବାବେଳେ ଯେଉଁ ଦରରେ ପେଟ୍ରୋଲ୍ ଓ ଡିଜେଲ୍ ମିଳୁଥିଲା, ଏବେ ଏଥିରେ ହ୍ରାସ ଘଟିଥିଲେ ମଧ୍ୟ ଦର ଆକାଶଛୁଆଁ ହୋଇଛି । ଅପରପକ୍ଷରେ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁସାରେ ମୋଦି ସରକାର ୧୫ଟି ବିଦେଶୀ ରାଷ୍ଟ୍ରକୁ ପେଟ୍ରୋଲ୍ ଲିଟର ପିଛା ମାତ୍ର ୩୪ ଟଙ୍କାରେ ଓ ୨୯ଟି ରାଷ୍ଟ୍ରକୁ ଡିଜେଲ୍ ପିଛା ମାତ୍ର ୩୭ଟଙ୍କାରେ ବିକି୍ର କରୁଛନ୍ତି । ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଆମେରିକା, ମାଲେସିଆ ଓ ଇସ୍ରାଏଲ୍ ଆଦି ରହିଛି । କେନ୍ଦ୍ର ସରକାର ଦେଶବାସୀଙ୍କୁ ଏଭଳି ପ୍ରତାରିତ କରିଥିବାରୁ ଲୋକେ ଆସନ୍ତା ନିର୍ବାଚନରେ ଏହାର ଦୃଢ଼ ଜବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଛନ୍ତି । ସେହିପରି ରାଜ୍ୟ ସରକାର ମଧ୍ୟ ମାତ୍ରାଧିକ ଟିକସ ଲଗାଇ ଖାଉଟିଙ୍କୁ ଶୋଷୁଛନ୍ତି । ୨୦୧୪ରେ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ସରକାରଙ୍କ ଭାଟ୍ ୨୮୬୫ କୋଟି ଥିବାବେଳେ ୨୦୧୮ରେ ଏହା ୬୯୦୦ କୋଟିକୁ ବୃଦ୍ଧି ଘଟିଛି । ମାତ୍ର ସାଢ଼େ ୪ ବର୍ଷରେ ରାଜ୍ୟ ସରକାରଙ୍କର ପେଟ୍ରୋଲ ଓ ଡିଜେଲ ବାବଦକୁ ରାଜସ୍ୱ ୧୪୪ ପ୍ରତିଶତ ବୃଦ୍ଧି ହୋଇଛି । ହେଲେ ରାଜ୍ୟ ସରକାର ଟିକସ କମାଇବାକୁ ନାରାଜ ଥିବାରୁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ତେବେ ବିଜେଡିର ତୈଳଦର ବୃଦ୍ଧି ପ୍ରତିବାଦ ସଂକ୍ରାନ୍ତରେ ଶ୍ରୀ ପଟ୍ଟନାୟକ ସମାଲୋଚନା କରି କହିଛନ୍ତି, ଏହା କେବଳ ଲୋକ ଦେଖାଣିଆ । ଯଦି ବିଜେଡିର ଆନ୍ତରିକତା ଅଛି, ତା’ହେଲେ ବନ୍ଦକୁ ସମର୍ଥନ କରନ୍ତୁ । ଦେଶବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଧାନସଭା ଗୃହକୁ ମଧ୍ୟ ଅପରାହ୍ନ ୩ଟା ଯାଏଁ ବନ୍ଦ ରଖାଯାଉ । ସୋମବାର କଂଗ୍ରେସର କୌଣସି ବିଧାୟକ ବିଧାନସଭାରେ ଯୋଗଦେବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com