dasarathpur--banya-ghera-re-30-gaon-(1)

ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା

20

ବୈତରଣୀରୁ ପାଣି ଖସୁଛି
ଦଶରଥପୁର/ଭଣ୍ଡାରୀପୋଖରୀ, ୯ା୯(ଆପ୍ର): ଦୁଇଦିନ ହେଲା ଉପରମୁଣ୍ଡରେ ବର୍ଷା ନଥିବାରୁ ବୈତରଣୀରେ ବନ୍ୟାଜଳ ହ୍ରାସ ପାଇବାରେ ଲାଗିଛି । ତେବେ ତଳିଆ ଅଞ୍ଚଳରେ ଜଳସ୍ତର ବଢୁଥିବାରୁ ବିପନ୍ନଙ୍କ ଅବସ୍ଥା ସଙ୍ଗୀନ ହୋଇପଡିଛି । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ରେ ବିପନ୍ନ ଲୋକେ ଦୟନୀୟ ଅବସ୍ଥାରେ ଅଛନ୍ତି । ରିଲିଫ୍ ଓ ଉଦ୍ଧାର ଲାଗି ତତ୍ପରତା ପ୍ରକାଶ ପାଉନଥିବାରୁ ପରିସ୍ଥିତି ଜଟିଳ ରୂପ ନେଇଛି । ତଳିଆ ଅଞ୍ଚଳରେ ଥିବା ପ୍ରାୟ ୩୦ରୁ ଊଦ୍ଧ୍ୱର୍ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ୍ରେ ନାହିଁନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ବୈତରଣୀର ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ପ୍ରାୟ ୫୦ ଗ୍ରାମ ଜଳଘେରରେ ରହିଛି । ବିପନ୍ନଙ୍କ ସହ ଗୃହପାଳିତ ପଶୁ ମଧ୍ୟ ଅନାହାରରେ ରହିଥିବା ଅଭିଯୋଗ ହୋଇଛି । ଠିକ୍ରୂପେ ଗୋ-ଖାଦ୍ୟ ଯୋଗାଇ ଦିଆଯାଉନଥିବାରୁ ବନ୍ୟାଞ୍ଚଳରେ ଅସନ୍ତୋଷ ତୀବ୍ର ହୋଇଛି ।
ଦଶରଥପୁର ବ୍ଲକ୍ କୟାଁ, କମାରଡିହ, ଖାନନଗର ପଞ୍ଚାୟତ ଅଫିସ୍ ପାଣି ଘେରରେ ରହିଛି । ଥାଲକୁଡି ଓ ନିଜାମପୁର ପଞ୍ଚାୟତରେ ବହୁ କ୍ଷୟକ୍ଷତି ଘଟିଛି । ୩୦ରୁ ଅଧିକ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି । କୟାଁ ପଞ୍ଚାୟତ ଅବସ୍ଥା ସଂଗୀନ ହୋଇଥିବାବେଳେ ପ୍ରାୟ ସବୁ ଗ୍ରାମରେ ପାଣି ପସିଛି । ଓଡ୍ରାଫ୍ ଟିମ୍ କୟାଁ ଗୋଲାରେ ଅବସ୍ଥାନ କରି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ବନ୍ୟାର ପ୍ରାୟ ୧ ସପ୍ତାହ ବିତିଯାଇଥିଲେ ବି ବିପନ୍ନଙ୍କୁ ରିଲିଫ୍ ଯୋଗାଇବା ବ୍ୟବସ୍ଥା କରାଯାଇନାହିଁ । ସମୁଦ୍ରକୁ ଶଙ୍ଖେ ଭଳି ମାତ୍ର ୨୧ ଟନ୍ ଗୋ-ଖାଦ୍ୟ ପ୍ରଭାବିତ ଅଞ୍ଚଳକୁ ଯୋଗାଇ ଦିଆଯାଇଛି । ବର୍ଷା ଓ ବନ୍ୟାରେ ଶହ ଶହ ଘର ଭାଙ୍ଗି ପଡିଥିବାବେଳେ ପ୍ରଶାସନ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇନାହିଁ । ଯାହାଫଳରେ ବିପନ୍ନ ଲୋକେ ଆଜି ତହସିଲଦାରଙ୍କୁ ଘେରାଉ କରିଛନ୍ତି । ଆବଶ୍ୟକ ମୁତାବକ ପଲିଥିନ ନଥିବାରୁ ସହାୟତା କରାଯାଇପାରୁନାହିଁ ବୋଲି ତହସିଲଦାର ଜ୍ୟୋତି ପ୍ରକାଶ ମହାନ୍ତି କହିବା ପରେ ଜନପ୍ରତିନିଧିମାନେ ତହସିଲ ଘେରାଉ କରିଛନ୍ତି । ସୋମବାର ସୁଦ୍ଧା ପଲିଥିନ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି । ଦଶରଥପୁର ଅଞ୍ଚଳକୁ ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ବ୍ଲକ୍ ଅଧ୍ୟକ୍ଷା ସୁଜାତା ସାହୁ, ମୁକ୍ତିକାନ୍ତ ପଣ୍ଡା ପ୍ରମୁଖ ଗସ୍ତ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ବିଧାୟିକା ପ୍ରମିଳା ମଲ୍ଲିକ ନିଜାମପୁର ପଞ୍ଚାୟତ ଗସ୍ତ କରିଛନ୍ତି । ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ବନ୍ୟା ପ୍ରଭାବିତ ମଲ୍ଲିକାପୁର, କଶପା, ପରିଦର୍ଶନ କରିବା ସହିତ କାଣି ନଦୀରେ କଣ୍ଟପଡାଠାରେ ହୋଇଥିବା ଘାଇ ବୁଲି ଦେଖିବା ସହ ବିପନ୍ନଙ୍କୁ ତୁରନ୍ତ ପର୍ଯ୍ୟାପ୍ତ ରିଲିଫ୍ ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ବରିଷ୍ଠ ବିଜେପି ନେତା ଅମୀୟକାନ୍ତ ମଲ୍ଲିକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ, ଜିଲ୍ଲା ଉପସଭାପତି ସଂଜୟ ନାୟକ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।
ଭଣ୍ଡାରୀପୋଖରୀ ବ୍ଲକ୍ ଷୋଳମପୁର ପଞ୍ଚାୟତର ମଣିନାଥପୁର, ବିରୋଳି, ବରାହନୂଆପଡା, ମୁଢାପଦା, ଷୋଳମପୁର, ମାଳଦା ପଞ୍ଚାୟତର ଚତୁର୍ଭୂଜପୁର, ମହିଷାଗଡିଆ, ରଘୁନାଥପୁର, ଜୋରାଗଡିଆ, କୁରିଗାଁ ପଞ୍ଚାୟତର ସଠଗାଁ, ଦୋଳଗୋବିନ୍ଦପୁର, କଣ୍ଟି, ଘୁଟୁଣା ପଞ୍ଚାୟତର ଦାଦେଶ୍ୱର, ବାବଲପୁର, ବାଲିପୋଖରୀ ପଞ୍ଚାୟତର ଅଙ୍ଗାରଗାଡିଆ, ରଣଜିତ ପଞ୍ଚାୟତର ସିମିଳିଆ, ମହାମାଲିଆ ଇତ୍ୟାଦି ୫୧ ଗ୍ରାମ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୩ ହଜାର ଗୃହପାଳିତ ପଶୁ ଅନାହାରରେ ଥିବାବେଳେ ମାତ୍ର ୨୫୦ କ୍ୱିଣ୍ଟାଲ ଗୋ-ଖାଦ୍ୟ ବିତରଣ କରାଯାଇଛି । କଣ୍ଟିଘାଇ ଦେଇ ବନ୍ୟାଜଳ ନିଷ୍କାସିତ ହୋଇପାରୁନୁ । ଯାହାଫଳରେ ଶହ ଶହ ଏକର ଜମି ବୁଡିରହିଛି । ବିଲରେ ପ୍ରାୟ ସପ୍ତାହେ ହେଲା ପାଣି ଜମି ରହିଥିବାରୁ ଧାନ ପଚିଯାଇଛି ଓ ଚାଷୀକୂଳ ହତାସ ହୋଇପଡିଛନ୍ତି । ତହସିଲଦାର ପ୍ରଣୟ ଜେନା, ବିଡିଓ ବନମାଳି ତରାଇ, ସହକାରୀ ଯନ୍ତ୍ରୀ ଅଜୟ ସ୍ୱାଇଁ, ଅତିରିକ୍ତ ତହସିଲଦାର ଶରତ ସ୍ୱାଇଁ ପ୍ରମୁଖ ବନ୍ୟାଞ୍ଚଳରେ ରହି ରିଲିଫ୍ ତ୍ୱରାନ୍ୱିତ କରିଛନ୍ତି । ସବୁ ଅଞ୍ଚଳକୁ ଯୋଗାଯୋଗ ସମ୍ଭବ ହୋଇପାରିନଥିବାରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ଦୁଇଦିନ ମଧ୍ୟରେ ସବୁ ଅଞ୍ଚଳକୁ ରିଲିଫ୍ ଯୋଗାଇ ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ଦୃଢୋକ୍ତି କରିଛନ୍ତି ।




Powered by odothemes.com