2--------Aska-3-Collage

ପିଲାଙ୍କ ଭବିଷ୍ୟତ ଚିନ୍ତାରେ ଅଭିଭାବକ

45

ଆସିକା (ଆପ୍ର): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ଆସିକାର ୩ଟି ମହାବିଦ୍ୟାଳୟରେ ଦୀର୍ଘମାସ ଧରି ବହୁ ଅଧ୍ୟାପକ ପଦବୀ ଖାଲିପଡ଼ିଥିଲେ ମଧ୍ୟ ତାହାକୁ ପୂରଣ କରିବା ଦିଗରେ ଶିକ୍ଷା ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ +୨, +୩ ବିଜ୍ଞାନ ଓ କଳା ପାଠ୍ୟକ୍ରମ ରହିଛି । ମାତ୍ର ପଢ଼ାଇବା ପାଇଁ ଶିକ୍ଷକଙ୍କ ଅଭାବ ଥିବା ଅଭିଯୋଗ ହେଉଛି । ମହାବିଦ୍ୟାଳୟରେ ଗୋଟିଏ ଇଂରାଜୀ ଅଧ୍ୟାପକ, ୨ଟି ଓଡିଆ ଅଧ୍ୟାପକ, ଗୋଟିଏ ଅର୍ଥନୀତି ଅଧ୍ୟାପକ, ଗୋଟିଏ ଇତିହାସ ଅଧ୍ୟାପକ, ଗୋଟିଏ ପ୍ରାଣୀବିଜ୍ଞାନ, ଗୋଟିଏ ରସାୟନ ବିଜ୍ଞାନ, ଗୋଟିଏ ଗଣିତ, ଗୋଟିଏ ରାଜନୀତି ବିଜ୍ଞାନ ପାଠ୍ୟକ୍ରମର ସ୍ଥାୟୀ ଅଧ୍ୟାପକ ପଦବୀ ଖାଲିପଡ଼ିଛି ।
ସେହିଭଳି ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୩ଟି ରସାୟନ ବିଜ୍ଞାନ ଅଧ୍ୟାପକ, ୨ଟି ବାଣିଜ୍ୟ ବିଭାଗ ଅଧ୍ୟାପକ, ଗୋଟିଏ ଅର୍ଥନୀତି ଶାସ୍ତ୍ର ଅଧ୍ୟାପକ, ୩ଟି ଗଣିତ ଅଧ୍ୟାପକ, ୩ଟି ଓଡିଆ ଅଧ୍ୟାପକ, ଗୋଟିଏ ପଦାର୍ଥ ବିଜ୍ଞାନ ଅଧ୍ୟାପକ, ଗୋଟିଏ ଇଂରାଜୀ ଅଧ୍ୟାପକ, ଗୋଟିଏ ଇତିହାସ ଅଧ୍ୟାପକ, ଗୋଟିଏ ହିନ୍ଦୀ, ଗୋଟିଏ ଉଦ୍ଭିଦ ବିଜ୍ଞାନ ପାଠ୍ୟକ୍ରମର ସ୍ଥାୟୀ ଅଧ୍ୟାପକ ପଦବୀ ଖାଲିପଡ଼ିଛି । ନାରୀଶିକ୍ଷାର ବିକାଶ ଲାଗି ସ୍ଥାପିତ ହୋଇଥିବା ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଦୀର୍ଘ ଦିନ ହେଲା +୨ କଳା, ବିଜ୍ଞାନ ଓ +୩ ଡିଗ୍ରୀ ବିଭାଗରେ ବହୁ ସ୍ଥାୟୀ ଅଧ୍ୟାପକ ପଦବୀ ଖାଲିପଡିଛି । +୩ କଳା ବିଭାଗରେ ଶିକ୍ଷା, ଇଂରାଜୀ ଓ ଗୃହବିଜ୍ଞାନ, ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର, ଓଡିଆ ପାଠ୍ୟକ୍ରମର ସ୍ଥାୟୀ ପ୍ରାଧ୍ୟାପକ ପଦବୀ ଖାଲି ପଡ଼ିଛି । ଏଥିସହ +୨ କଳା ପାଠ୍ୟକ୍ରମରେ ଶିକ୍ଷା, ଓଡ଼ିଆ, ଅର୍ଥଶାସ୍ତ୍ର, ଗୃହବିଜ୍ଞାନ ବିଭାଗର ସ୍ଥାୟୀ ଅଧ୍ୟାପକ ଏବଂ ବିଜ୍ଞାନ ପାଠ୍ୟକ୍ରମରେ ଗତ ୨୦୧୨-୧୩ରୁ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଗଣିତ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, କମ୍ପୁ୍ୟଟର ବିଜ୍ଞାନ, ଲାବ୍ରୋଟୋରୀ ଆସିଷ୍ଟାଣ୍ଟ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ତତ୍ସହ କିରାଣୀ ଓ ଲାଇବ୍ରେରିଆନ୍ ପଦବୀ ମଧ୍ୟ ଖାଲିପଡିଥିବା ଜଣାଯାଇଛି । ଆସିକା ଅଞ୍ଚଳର ତିନୋଟି ମହାବିଦ୍ୟାଳୟରେ ଏତେ ସଂଖ୍ୟକ ସ୍ଥାୟୀ ପ୍ରାଧ୍ୟାପକ ଓ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବାରୁ ଅଭିଭାବକମାବେ ସନ୍ତାନସନ୍ତତିଙ୍କ ପଢାକୁ ନେଇ ଚିନ୍ତିତ ଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଖାଲି ପଡ଼ିଥିବା ପ୍ରାଧ୍ୟାପକ ଓ ଅଧ୍ୟାପକ ପଦବୀ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com