ବୟାନଦେଲେ ୪ ବାଡ଼ଗ୍ରାହୀ

26

ପୁରୀ,୨୧ା୬(ଆପ୍ର):ଶ୍ରୀବିଗ୍ରହଙ୍କ ବ୍ରହ୍ମ ପରିବର୍ତ୍ତନ ପ୍ରକି୍ରୟାରେ ବିଭ୍ରାଟ ଓ ବିଳମ୍ବ ଘଟଣାର ଆଜି ଚାରିବାଡ଼ଗ୍ରାହୀଙ୍କ ବୟାନ ରେକର୍ଡ଼ କରାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ମୁଖ୍ୟପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର, ଦେବୀ ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ୍ ମହାପାତ୍ର ଓ ପ୍ରଭୁସୁଦର୍ଶନଙ୍କ ବାଡଗ୍ରାହୀ ନବକିଶୋର ପତି ମହାପାତ୍ରଙ୍କୁ ଘଟଣା ସମ୍ପର୍କରେ ପଚାରିବୁଝିବା ସହ ସେମାନଙ୍କ ବୟାନ ରେକର୍ଡ଼ କରିଥିଲେ । ଆସନ୍ତା୨୩ ତାରିଖରେ ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସ ମହାପାତ୍ର,ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର, ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର ଓ ବିଦ୍ୟାପତି ନରସିଂହ ପତିମହାପାତ୍ରଙ୍କ ବୟାନ ରେକର୍ଡ଼ କରାଯିବ । ସୁଦର୍ଶନଙ୍କ ବାଡଗ୍ରାହୀ ନବକିଶୋରଙ୍କୁ ପୃଥକଭାବେ ପଚରା ଉଚରା କରାଯାଇଥିବାବେଳେ ଅନ୍ୟତିନିଜଣଙ୍କ ବୟାନ ଏକସମୟରେ ରେକର୍ଡ଼ କରାଯାଇଥିଲା । ମୁଖ୍ୟପ୍ରଶାସକଙ୍କ ନିକଟରେ ବୟାନ ଦେଇଫେରିବା ପରେ ନବକିଶୋର ଗଣମାଧ୍ୟମକୁ କହିଥିଲେଯେ, ମୁଖ୍ୟପ୍ରଶାସକ ମୋତେ ଅନେକ ପ୍ରଶ୍ନ ପଚାରିଥିଲେ, ମୁଁ ତାର ଉତ୍ତର ଦେଇଛି । ହଳଧର ଦାସ ମହାପାତ୍ର ଯେଉଁମାନଙ୍କ ନାମ ତାଙ୍କ ଅଭିଯୋଗପତ୍ରରେ ଲେଖିଛନ୍ତି ସେମାନେ ଭିତରକୁ ଯାଇଥିଲେ । କାର୍ତ୍ତିକ ଦାସ ମହାପାତ୍ର ବାହାରେଥିଲେ । ମୁଁ ଘଟ ପରିବର୍ତ୍ତନ କରିବି ବୋଲି ସ୍ଥିର କରିଥିଲି । ବିଶୃଙ୍ଖଳା ହେବାରୁ ବଡ଼ଭାଇ ଦେବରାଜ ଘଟପରିବର୍ତ୍ତନ କରିବାକୁ ଚାହିଁବାରୁ ତାଙ୍କୁ ସୁଯୋଗ ଦେଇଥିଲି । ୮ଟାରୁ ସାଢେ ଅଠଟାମଧ୍ୟରେ ଆମେ ଗର୍ଭଗୃହକୁ ପ୍ରବେଶ କରିଥିଲୁ । ଦିନ ୨ଟା ମଧ୍ୟରେ ଘଟ ପରିବର୍ତ୍ତନ ଶେଷ ହୋଇଥିଲା । ମୁଁ ସତ କହୁଛିକି ନାହିଁଁ ବୟାନ ରେକର୍ଡ଼ପରେ ସତ୍ୟାସତ୍ୟ ଜଣାପଡ଼ିବ । ଯେଉଁମାନେ ବିଶୃଙ୍ଖଳା କରିଛନ୍ତି,ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।ଏହାକେବଳ ମୋର ଦାବିନୁହେଁ, ସମଗ୍ର ଭାରତବାସୀମାନେ ମଧ୍ୟ ଏହି ଦାବି କରିଛନ୍ତି ବୋଲି ନବକିଶୋର କହିଥିଲେ । ସେହିପରି ନିଜର ବୟାନ ଦେଇ ଫେରିବାପରେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଥିଲେ ଯେ, ବ୍ରହ୍ମପରିବର୍ତ୍ତନ ପରେ ଦେହ ଭଲ ନଥିବାରୁ ମୁଁ ଆଜି ଘରକୁ ବାହାରିଲି । ମହାପ୍ରଭୁଙ୍କ ବ୍ରହ୍ମପରିବର୍ତ୍ତନ ନୀତି ଯେପରିହେବା କଥା ସେହିପରି ସୁନ୍ଦର ଓ ନିଖୁଣ ଭାବେ ହୋଇଛି । ନୀତି ପାଇଁ ୪ ଘଣ୍ଟା ଓ ପାତ୍ତାଳିପାଇଁ ୩ ଘଣ୍ଟା ସମୟ ଲାଗେ ।କେବଳ ନୀତି ପାଇ ଁବିଳମ୍ବ ହୋଇଥିଲା । ୪ଜଣଙ୍କ ବ୍ୟତୀତ ଅନ୍ୟ କେହିଭିତରକୁ ଯାଇନାହାଁନ୍ତି । ଭାଇମାନଙ୍କ ମଧ୍ୟରେ ଯାହା କିଛି ବିବାଦ ହୋଇଛି । ତାହାର ତର୍ଜମା ହେବ,ଦୋଷୀ ଦଣ୍ଡପାଇବେ । ଜଗନ୍ନାଥ ଜାଣନ୍ତି ମୁଁ ମିଛ କହିବି ନାହିଁ । ସବୁକାମ ସରିଲା ପରେ ଆମେ ଭାଇମାନଙ୍କୁ ଡ଼ାକିଲୁ । ସେମାନେ ବ୍ରହ୍ମ ଦର୍ଶନ କଲେ । ମୁଖ୍ୟପ୍ରଶାସକ ସତ କ’ଣ ଜାଣିଛନ୍ତି । ବିଶ୍ୱାସରେ ଛାଡ଼ିଥିଲେ । ମନ୍ଦିର ଚାରିଦ୍ୱାର ତାଲା ପଡ଼ିଥିଲା । ଆମ ଭିତରୁ ଯିଏ ଅବିଶ୍ୱାସ କରିଥିବେ । କାର୍ଯ୍ୟାନୁଷ୍ଠନ ହେବ । ମନ୍ଦିର ଭିତରକୁ କେତେକ ମୋବାଇଲ ନେଇଥିବା ସତ୍ୟ ବୋଲି ସେ ସ୍ୱୀକାର କରିଥିଲେ । ଭଳମନ୍ଦ ଯାହା ଘଟିଥିଲା କହିଲି । ମୁଖ୍ୟପ୍ରଶାସକ ଓ ରାଜ୍ୟସରକାର ଯାହା ଦଣ୍ଡ ଦେବା କଥା ଦେବେ ବୋଲି ଶ୍ରୀ ସ୍ୱାଇଁ ମହାପାତ୍ର କହିଥିଲେ । ଅନ୍ୟପକ୍ଷରେ ସୁଭଦ୍ରାଙ୍କ ମୁଖ୍ୟବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ୍ ମହାପାତ୍ର ବୟାନ ଦେଇ ଫେରିବା ପରେ ଗୁପ୍ତନୀତି ସମ୍ପର୍କରେ କିଛି କହିବାକୁ ମନା କରିଥିଲେ । ଯାହା କହିବା କଥା ମୁଖ୍ୟପ୍ରଶାସକଙ୍କୁ କହିଛନ୍ତି ବୋଲି ସେ କହିଥିଲେ । ସୂଚନାଯୋଗ୍ୟଯେ, ଶ୍ରୀବିଗ୍ରହଙ୍କ ବ୍ରହ୍ମପରିବର୍ତ୍ତନ ପ୍ରକି୍ରୟାରେ ବିଭ୍ରାଟ ଓ ବିଳମ୍ବ ଘଟଣାରେ ୪ ବାଡଗ୍ରାହୀଙ୍କ ସମେତ ଦଇତାପତି ନିଯୋଗର ସଭାପତି, ସଂପାଦକ, ବିଶ୍ୱକର୍ମା ମହାରଣା, ଦେଉଳକରଣ ଓ ତଢଉକରଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଥିଲା ।ଶ୍ରୀବଳଭଦ୍ରଙ୍କ ବାଡଗ୍ରାହୀ ଜୁନ୍ ୧୫ ତାରିଖରେ ତାଙ୍କ ପ୍ରତି ହୋଇଥିବା ଅଶାଳୀନ ବ୍ୟବହାର ଓ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ଜିଲ୍ଲାପାଳ ଓ ଏସ୍ପିଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ।




Powered by odothemes.com