8-9-2018=3

କୃଷିକୁ ପ୍ରାଧାନ୍ୟ

27

ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଉଦ୍ଘାଟିତ
ଭୁବନେଶ୍ୱର,୮ା୯(ବୁ୍ୟରୋ): ପାର୍ବତୀ ମେଗା ଉଠା ଜଳସେଚନ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟିତ ହୋଇଥିବା ଏହି ପ୍ରକଳ୍ପରେ ୪୧ଟି ପଏଣ୍ଟ ରହିଛି । ଏହାଦ୍ୱାରା ୫୦ ହଜାର ହେକ୍ଟରରୁ ଊଦ୍ଧ୍ୱର୍ ଜମି ଜଳସେଚିତ ହେବ ।
ଉଦ୍ଘାଟନ ଅବସରରେ ବିଭିନ୍ନ ପ୍ରକଳ୍ପ ସ୍ଥାନରେ ସମବେତ ଜନତାଙ୍କ ନିକଟରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷି ବିକାଶରେ ଜଳସେଚନର ଭୂମିକା ସବୁଠାରୁ ବଡ଼ । ୨୦୧୯ ସୁଦ୍ଧା ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାପାଇଁ ସେ ପ୍ରତିଶ୍ରୁତି ଦେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳଯୋଗାଣର ସୁବିଧା କରାଯାଇପାରିଛି । ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ ଖୁବ୍ ଶୀଘ୍ର ଆଉ ୩ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା କରାଯିବ ବୋଲି ସେ କହିଥିଲେ । ରାଜ୍ୟର ଉଚ୍ଚା ଜମି ଅଞ୍ଚଳରେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ବହୁତ ଲୋକପି୍ରୟ ହୋଇପାରିଛି । ତେଣୁ ଅଧିକ ଚାଷୀ ଯେପରି ଏହି ସୁବିଧା ପାଇପାରିବେ, ସେଥିପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମ ଜାରି ରଖିବେ ବୋଲି କହିିଥିଲେ । ଏଥିପାଇଁ ଆଗାମୀ ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।
କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ଅଭିଭାଷଣରେ ଜଳସେଚନ ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ ପାଳନ କରିବା ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ବଲାଙ୍ଗୀର ଜିଲ୍ଲାରେ ଯେପରି ଅଧିକ ଜମିରେ ଜଳସେଚନ ସୁବିଧାର ବିକାଶ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ, ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଜରିଆରେ ରାଜ୍ୟର ୨୩ ଜିଲ୍ଲାରେ ୧୯୯ ଯୋଜନା ଅଧିନରେ ୨ ଲକ୍ଷ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜି ଉଦ୍ଘାଟନ ହୋଇଥିବା ୪୧ ମେଗା ଲିଫ୍ଟ ପ୍ରକଳ୍ପ ଦ୍ୱାରା ୯ ଜିଲ୍ଲାର ୫୦,୦୨୨ ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିପାରିଛି । ଏହି ଜିଲ୍ଲାଗୁଡ଼ିକ ହେଲା ଗଜପତି, କଳାହାଣ୍ଡି, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ବୌଦ ଓ ସୁବର୍ଣ୍ଣପୁର । ୨୦୧୯ ମାର୍ଚ୍ଚ ସୁଦ୍ଧା ଏହି ମେଗା ଲିଫ୍ଟ କାର୍ଯ୍ୟକ୍ରମ ଅଧିନରେ ଆହୁରି ୮୦ ପ୍ରକଳ୍ପ ଜରିଆରେ ୧ ଲକ୍ଷ ହେକ୍ଟର ଜମିରେ ଜଳସେଚନର ସୁବିଧା ଦିଆଯିବ ।
ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଏହି ଯୋଜନାର ବିଭିନ୍ନ ସ୍ଥାନରେ ଉପସ୍ଥିତ ଚାଷୀମାନଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ସମ୍ବଳିତ ଏକ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଚିପ୍ ଇଞ୍ଜିନିୟର, ମେଗାଲିଫ୍ଟ କାର୍ଯ୍ୟାଳୟର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଢ଼ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଜଳସମ୍ପଦ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ, କୃଷି ଉତ୍ପାଦନ କମିଶନର, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ, ଜଳସେଚନ ବିଭାଗ ପ୍ରମୁଖ ସଚିବ ଓ ଅନ୍ୟାନ୍ୟ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com