ଆର୍ଆଇ ରିପୋର୍ଟ ଆଧାରରେ ବୀମା କମ୍ପାନୀ ଦେବେ ୬୭ କୋଟି

30

ତୁଟିଲା ଫସଲ ବୀମା ବିବାଦ
ଭୁବନେଶ୍ୱର (ବୁ୍ୟରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ ପ୍ରାପ୍ୟ ମିଳିନଥିବାରୁ ଘୋର ଅସନ୍ତୋଷ ଦେଖାଦେଇଥିଲା । ଏପରି କି ଗତ ଗୁରୁବାର ଦିନ ଫସଲ ବୀମା ଅସଙ୍ଗତି ପ୍ରସଙ୍ଗ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଧାନ ସଭାରେ ଉଠାଇଥିଲେ । ଫସଲ ବୀମା ପ୍ରଦାନରେ ଅସଙ୍ଗତି ଦୂର କରିବା ପାଇଁ ଶନିବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମଳନୀ ଗୃହରେ ସମବାୟମନ୍ତ୍ରୀ ସୂର୍ଯ୍ୟ ନାରୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର କୃଷି ମନ୍ତ୍ରାଳୟର ଯୁଗ୍ମ ସଚିବ ଆଶିଷ ଭୂତାନୀଙ୍କ ସମେତ ବୀମା କମ୍ପାନୀ କର୍ତ୍ତୃପକ୍ଷ ଓ ବରଗଡରୁ ଆସିଥିବା ଚାଷୀଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପସ୍ଥିତିରେ ବୀମା କମ୍ପାନୀ ଗୁଡିକ ପୁର୍ନଃବାର ରାଜସ୍ୱ ନିରିକ୍ଷକଙ୍କ ରିପୋର୍ଟ ଆଧାରରେ ବୀମା ରାଶିରେ ଅସଙ୍ଗତି ଦୂର କରିବା ସହିତ ବକେୟା ଥିବା ୬୭ କୋଟି ଟଙ୍କା ପୈଠ କରିବା ଲାଗି ନିଦେ୍ର୍ଦଶ ଦିଆଯାଇଛି ବୋଲି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରୟଣ ପାତ୍ର ସୁଚନା ଦେଇଛନ୍ତି ।
ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ତିନୋଟି ପଏଣ୍ଟ ଉପରେ ଆଲୋଚନା କରାଯାଇଥିଲା । ୨୦୧୭ରେ ଫସଲହାନି ଆକଳନରେ ଅସଙ୍ଗତି ହୋଇଥିବା ଅଭିଯୋଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ରପ କଟିଂ ରିପୋର୍ଟ ଆଧାରରେ ବୀମା ରାଶି ପ୍ରଦାନ କରାଯାଇନଥିବା କିଛି ଜିଲ୍ଲାରେ ଅଭିଯୋଗ ହୋଇଛି । ସେହିଭଳି ବୀମା ଅର୍ଥ ପ୍ରଦାନ ବେଳେ ବୀମା କମ୍ପାନୀ ଗୁଡିକ ଆରଆଇ ରିପୋର୍ଟ ଆଧାରରେ ପ୍ରଦାନ ନକରି ୱେବସାଇଟ୍ରେ ଥିବା ତଥ୍ୟକୁ ଆଧାର କରିଛନ୍ତି । ଫସଲହାନି ଆକଳନ ବେଳେ ଗୋଟିଏ ପଞ୍ଚାୟତର ଚାଷ ଜମିକୁ ଅନ୍ୟ ପଞ୍ଚାୟତରେ ଗଣନା କରିବା ଫଳରେ ଚାଷୀ ତାର ପ୍ରକୃତ ଫସଲ କ୍ଷତି ଜନିତ ବୀମା ପାଇବାରୁ ବଞ୍ଚିତ ହୋଇଛି । ଗତ ଖରିଫ ଋତୁରେ ବରଗଡ ଜିଲ୍ଲାରେ ଫସଲ କ୍ଷୟକ୍ଷତି ବାବଦକୁ ୬୯୯ କୋଟି ଟଙ୍କା ଆକଳନ ହୋଇଥିବା ବେଳେ ବୀମା କମ୍ପାନୀ ୬୩୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ବକେୟା ୬୪ କୋଟି ଟଙ୍କା ମିଳିନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ଆଜିର ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ଏହି ବିବାଦର ସମାଧାନ ବାଟ ବାହାରିଛି । ପୂର୍ବରୁ ବୀମା କମ୍ପାନୀମାନେ ୱେବସାଇଟ୍ ରିପୋର୍ଟ ଆଧାରରେ ବୀମା ଅର୍ଥ ପୈଠ କରିଥିବା ବେଳେ ବକେୟା ରାଶି ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଆଧାରରେ ପ୍ରଦାନ କରିବା ଲାଗି ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com